ଭଦ୍ରକ ଜିଲା ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଯାଜପୁର ଜିଲାର ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ୨ ଶହ କୋଟି ଟଙ୍କାର ଆନିକଟ ନିର୍ମାଣ ଅର୍ଥ ମଂଜୁର କରିଛନ୍ତି। ଏଥିନିମିତ୍ତ ଆଜି ଭଦ୍ରକ ଜିଲା ବିଜେଡି ପକ୍ଷରୁ ସ୍ଥାନୀୟ ଜିଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିନା ବସ୍ଥାପନରେ ସୀମିତ ନଦୀଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟି ଲାଗି ବିଜେଡି ସରକାର ୨୦୧୯-୨୦ ମସିହାରେ ୧୧ ହଜାର ୭ ଶହ କୋଟି ଟଙ୍କା ବ୍ୟୟରେ ‘ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ପ୍ରକଳ୍ପର ଯୋଜନାର ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନିମନ୍ତେ ଭଦ୍ରକ ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ କୁଟୁରିଆ ଗ୍ରାମ ନିକଟସ୍ଥ କୋଚିଳା ନଦୀରେ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକ୍ ଅଧୀନସ୍ଥ ଧୋବାବିଲ ଗ୍ରାମ ନିକଟରେ ବୈତରଣୀ ନଦୀରେ ଏକ ମିଳିତ ଆନିକଟ ନିର୍ମାଣ କରାଯିବ ବୋଲି ସୂଚାଇ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୨୦୧ କୋଟି ଟଙ୍କା ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ପ୍ରକଳ୍ପଟି ଅଢେଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପଟି କୋଚିଳା ନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ସହିତ ବୈତରଣୀ ନଦୀକୁ ପୁନଃଜୀବିତ କରିବାରେ ସହାୟକ ହେବ। ଏହା ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀର ଧାମନଗର ବ୍ଲକ୍ର ଅର୍ଜୁନପୁର, ପ୍ରଧାନୀ, ସୋହଡା, ନଦୀଗାଁ ଓ ହସନାବାଦ ଭଳି ୫ଟି ପଂଚାୟତର ଦଶନ୍ଧିକୂଳ, ବାଲିପଡା, ପିତିପିପୁର, ଡାଙ୍ଗୁଆପାଟଣା, ମିଶ୍ରପୁର, କଣ୍ଟାପାରି, ଗୋପକୁଳ, ଡୋଭାବିଲ୍, ବନପୁର, ପାଟପୁର, ଦଶରଥପୁର, ଚଣ୍ଡକୁରା, କୁଟୁରିଆ, ରାମରାକୁଳ, ବିଶ୍ୱାଳସାହି ଓ ଦାସପାରି ଗ୍ରାମର ୨୨ ହଜାର ଲୋକ ଏବଂ ଯାଜପୁର ଜିଲା ନିର୍ବାଚନ ମଣ୍ଡଳୀର ଦଶରଥପୁର ବ୍ଲକ୍ର ଜଇଁତିରା, ସାରପଡା, କଶପା, ଦୁଦୁରନ୍ତ, ଦତ୍ତପୁର ଭଳି ୫ଟି ପଂଚାୟତର ଆଖୁଆସାହି, କୁଅଁରସାହି, କଣ୍ଟାପଡା, କୁଟୁରିଆ, ବ୍ରହ୍ମଚାରୀପାଟଣା, ଅରଦଳିଆ, ବଳରାମପୁର, ଇଚ୍ଛାପୁର, କମାଳପୁର, ପଲାସାହି, ଧୋବାବିଲ, ମଲ୍ଲିକାପୁର, ଦତ୍ତପୁର, ନାରାୟଣପୁର, ବାଇଶପାନ, ରଡଗାଁ, ହେମନ୍ତପୁର ଓ ନୂଆପାଟଣା ଗ୍ରାମର ୨୬ ହଜାର ଲୋକମାନଙ୍କର ପାନୀୟଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ସହିତ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହଯୋଗ ହେବ ବୋଲି ବକ୍ତାମାନେ କହିଥିଲେ। ବିଶେଷକରି ଧାମନଗରର କୋଚିଳା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଏଭଳି ଆନିକଟ ନିର୍ମାଣ ପାଇଁ ବିଗତ ଦିନରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକ ଓ ତାଙ୍କ ସୁପୁତ୍ର ପୂର୍ବତନ ବିଧାୟକ ମାନସ ମଲ୍ଲିକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ ସାକାର ହେଉଥିବାରୁ ବକ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲା ବିଜେଡି ମହିଳା ସଭାନେତ୍ରୀ ବିଦ୍ୟୁତ୍ଲତା ନାୟକ, ଜିଲ୍ଲା ପରିଷଦ ଉପସଭାପତି ଟୁନିବାଳା ବିଶ୍ୱାଳ, ଜିଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷା ମୁକୁନ୍ଦଦେବ ସାମଲ, ସାରଦା ପ୍ରସନ୍ନ ସାହୁ, ପ୍ରତାପ ସାମଲ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ହରେକୃଷ୍ଣ ପାଢୀ, ବିଜେଡି ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ଜିଲା କୋଷାଧ୍ୟକ୍ଷ ତଥା ସଂପାଦକ ପ୍ରଦୀପ ପଣ୍ଡା, ଜିଲା କାର୍ଯ୍ୟକାରୀ ସଦସ୍ୟ ଚିନ୍ତାମଣି ଦାସଙ୍କ ସମେତ ୫ଟି ପଂଚାୟତର ସରପଞ୍ଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଧାମନଗର ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ବିନୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।







