ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନଦଳ ସେମାନଙ୍କର ରଣକୌଶଳ ଆରମ୍ଭ କରିଦେଇଥିବାବେଳେ ଧାମନଗର ବିଜୁ ଜନତାଦଳ ପକ୍ଷରୁ ଏବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଲାଣି । ନିକଟରେ ଯାଜପୁର ଜିଲ୍ଳାର ଜାରକା ଠାରେ ଭଦ୍ରକ ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟଙ୍କ ବାସଭବନରେ ଧାମନଗର ବିଜୁ ଜନତା ଦଳର ମାନସ ମନ୍ଥନ କରାଯାଇ କିପରି ଭାବରେ ଧାମନଗର ବିଜୁ ଜନତାଦଳ ଆଗାମୀ ନିର୍ବାଚନରେ ସଫଳତା ପାଇବ ସେ ନେଇ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏପରିକି ଯୁବ ଛାତ୍ର ଓ ମହିଳାଙ୍କୁ ଆଗାମୀ ନିର୍ବାଚନରେ ସାମିଲ କରାଇବାକୁ ପରାମର୍ଶ ଦିଆଯାଇଥିବାବେଳେ ତାହାକୁ ଆଧାର କରି ଆଜି ଧାମନଗର ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଧୂଷୁରୀ ପୂଜ୍ୟ ପୂଜା ସମ୍ମିଳନୀ କକ୍ଷରେ ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରୁ ଯୁବଛାତ୍ର ଜନତାଦଳର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ଏଥିରେ କେନ୍ଦ୍ରାପଡ଼ାର ଯୁବସଭାପତି ତଥା ଧାମନଗର ବ୍ଲକ ପର୍ଯ୍ୟବେକ୍ଷକ ରାଜେଶ ଦାସ ଓ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଯୁବନେତା କିଶାନ କୁମାର ରାଉତ ପ୍ରମୁଖ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନରେ ସବୁ ମାନଅଭିମାନକୁ ଭୁଲି ୱାର୍ଡ଼ ସ୍ତରରୁ ଛାତ୍ର, ଯୁବକ ଓ ମହିଳା ମାନେ ଦଳକୁ ପ୍ରାଣପଣେ ଲାଗି ମଜବୁତ୍ କରିବା ସହିତ ଯେପରି ଆଶାତିତ ସଫଳ ହେବା ସେ ଲାଗି ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକର ୩୧ ପଂଚାୟତ ମଧ୍ୟରୁ ୭ଟି ପଂଚାୟତର କାର୍ଯ୍ୟକର୍ତ୍ତାମାନେ ଅନୁପସ୍ଥିତ ନେଇ ମୃଦୁଗୁଞ୍ଜରଣ ସୃଷ୍ଟି ହୋଇଥିଲା । ବିଗତ ଦିନମାନଙ୍କରେ ବିଜୁ ଜନତାଦଳର ଆଗଧାଡ଼ିର ନେତାମାନେ ଯୁବଛାତ୍ର ଓ ମହିଳା ମାନଙ୍କୁ ଅଣଦେଖା କରି ମନୋମୁଖି ଭାବରେ ସଂଗଠନକୁ ନିଜହାତରେ ରଖି ଦଳକୁ ଅଧପତନ କରିବାରେ ଲାଗିଛନ୍ତି । ଆଗାମୀ ଦିନରେ ଯଦି ସେପରି ଭୁଲହୁଏ ନିଶ୍ଚିତ ଭାବେର ଦଳ ପରାଜୟ ବରଣ କରିବବୋଲି ଏହି ଶିବିରରେ କେତେକ ପଂଚାୟତର କାର୍ଯ୍ୟକର୍ତ୍ତା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସେପରି କୌଣସି ତୃଟି ରହିବନାହିଁ । ଯେଉଁମାନେ ଦଳ ବିରୋଧି କରିବେ ସେମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପର୍ଯ୍ୟବେକ୍ଷକ ଶ୍ରୀଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ।