Home ଜିଲ୍ଲା ପରିକ୍ରମା ଧାମନଗର-ଫଳପୁର ରାସ୍ତାରେ ମରଣଯନ୍ତା,୩୨ କୋଟିର ‘ଅଦୃଶ୍ୟ’ ବିକାଶ ଓ ମରାମତି ନାମରେ କୋଟି କୋଟିର ହରିଲୁଟ

ଧାମନଗର-ଫଳପୁର ରାସ୍ତାରେ ମରଣଯନ୍ତା,୩୨ କୋଟିର ‘ଅଦୃଶ୍ୟ’ ବିକାଶ ଓ ମରାମତି ନାମରେ କୋଟି କୋଟିର ହରିଲୁଟ

0

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବଦଳୁଛି, ମନ୍ତ୍ରୀ ବଦଳୁଛନ୍ତି, କିନ୍ତୁ ବଦଳୁନି ଧାମନଗର-ଫଳପୁର ରାସ୍ତାର ଭାଗ୍ୟ। ଦୀର୍ଘ ୨୦ ବର୍ଷ ଧରି ପ୍ରତାରଣାର ଶିକାର ହେଉଛନ୍ତି ପାଖାପାଖି ୧୦ ଟି ପଂଚାୟତର ଜନସାଧାରଣ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତାଟି ଏବେ କେବଳ ଗେଟି ଆଉ ଗାଡ ର ସମାହାର ପାଲଟିଛି। ଯେଉଁଠି ଦୈନିକ ଦୁର୍ଘଟଣା ଏବେ ଏକ ନିତିଦିନିଆ ଘଟଣା ହୋଇଛି।୨୦୦୪ ମସିହାରେ ତତ୍କାଳୀନ ମନ୍ତ୍ରୀ ମନ୍‌ମୋହନ ସାମଲଙ୍କ ବଳିଷ୍ଠ ଉଦ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ପାଇଁ ଅନୁଦାନ ଆସିଥିଲା। ଲୋକେ ଆଶା କରିଥିଲେ ଯେ ସେମାନଙ୍କ ଗମନାଗମନ ସହଜ ହେବ। ମାତ୍ର ବିଡ଼ମ୍ବନାର ବିଷୟ, ଦୁଇ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ରାସ୍ତା କାମ ଶେଷ ହେବା ପରିବର୍ତେ ବର୍ଷକୁ ବର୍ଷ ଖରାପ ହେବାରେ ଲାଗିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମରାମତି ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ଚଳୁ କରାଯାଉଛି, କିନ୍ତୁ ରାସ୍ତାର ଅବସ୍ଥା ଶୁଧୁରୁ ନାହିଁ। ଗତ ବର୍ଷେ ଧାମନଗର ବିଧାୟକ ତଥା ବର୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ପ୍ରଚେଷ୍ଟାରେ ଏହି ରାସ୍ତାର ସମ୍ପ୍ରସାରଣ ଓ ନବୀକରଣ ପାଇଁ ୩୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ବର୍ଷେ ବିତିଯାଇଥିଲେ ବି ଧାମନଗର-ଫଳପୁର ରାସ୍ତାରେ ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ। ତେବେ ପ୍ରଶ୍ନ ଉଠୁଛି, ଯଦି ଅର୍ଥ ମଞ୍ଜୁର ହୋଇଛି, ତେବେ କାମ ଆରମ୍ଭ ନହେବାର ରହସ୍ୟ କ’ଣ! ରାସ୍ତା ମଝିରେ ମାସେ ହେଲା ସୃଷ୍ଟି ହୋଇଥିବା ବିଭିନ୍ନ ସ୍ଥାନ ରେ ଖାଲ ସହ ଗାତ ଗୁଡ଼ିକ ଏବେ ମୃତ୍ୟୁର ସଙ୍କେତ ଦେଉଛନ୍ତି। ଏହି ରାସ୍ତା ଉପରେ ଦଶଟି ପଂଚାୟତର ହଜାର ହଜାର ଚାଷୀ, ଛାତ୍ରଛାତ୍ରୀ ଏବଂ ରୋଗୀ ନିର୍ଭର କରନ୍ତି। ଏହି ପଥ ଦେଇ ପ୍ରତିଦିନ ଅନ୍ୟ ଜିଲ୍ଲାକୁ ଭାରୀ ଯାନ ଓ ଯାତ୍ରୀବାହୀ ବସ୍ ଚଳାଚଳ କରେ। ରାସ୍ତାର ଅବସ୍ଥା ଯୋଗୁଁ ବସ୍ ମାଲିକମାନେ ମଧ୍ୟ ଗାଡ଼ି ଚଳାଇବାକୁ ଭୟ କରୁଛନ୍ତି। ଗତ ଏକ ମାସ ମଧ୍ୟରେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ସାରିଥିଲେ ମଧ୍ୟ ପ୍ରଶାସନ ଏବେ ବି କୁମ୍ଭକର୍ଣ୍ଣ ନିଦ୍ରାରେ।ରାସ୍ତା ପାଇଁ ମଞ୍ଜୁର ହୋଇଥିବା ୩୨ କୋଟି ଟଙ୍କାର କାର୍ଯ୍ୟାଦେଶ କେବେ କାର୍ଯ୍ୟକାରୀ ହେବ, ସେ ନେଇ ସ୍ପଷ୍ଟୀକରଣ ଦାବି କରିଛନ୍ତି ଅଂଚଳବାସୀ। ଯଦି ତୁରନ୍ତ ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.