Home ଜିଲ୍ଲା ପରିକ୍ରମା ଧାମନଗର ପାଇଁ ତିହିଡ଼ି ବ୍ଲକରୁ କଂଗ୍ରେସର ୩ ଆଶାୟୀ

ଧାମନଗର ପାଇଁ ତିହିଡ଼ି ବ୍ଲକରୁ କଂଗ୍ରେସର ୩ ଆଶାୟୀ

6

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ବିଧାନସଭା ପ୍ରାର୍ଥୀ ପାଇଁ ତିହିଡ଼ି ବ୍ଲକରୁ କଂଗ୍ରେସର ୩ ଆଶାୟୀ ଭାବେ ଆବେଦନ କରିଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀ ଦୀର୍ଘଦିନ ହେବ କଂଗ୍ରେସ ହାତରୁ ଖସି ଯାଇଛି । ତେବେ ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବିଜୟର ଆଶା ରଖିଛି । ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକରୁ କଂଗ୍ରେସର ବରିଷ୍ଠ ନେତା ପୀତାମ୍ବର ସେଠୀ, ପ୍ରଦୀପ କୁମାର ଦାସ ଓ ଭାସ୍କର ସେଠୀ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଜଣାଯାଇଛି । ଆଶାୟୀ ପୀତାମ୍ବର ବହୁ ପୁରୁଣା କଂଗ୍ରେସ ନେତା ଭାବେ ଜଣାଶୁଣା ଥିବା ବେଳେ ଜଣେ ଦକ୍ଷ ସଂଗଠକ ଓ ସମାଜସେବୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ମୁକୁନ୍ଦପୁର ପଞ୍ଚାୟତ ଗୁଡ଼ୁପାଳ ଗ୍ରାମର ପୀତାମ୍ବର ଇତି ପୂର୍ବରୁ ୧୯୯୦ରେ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଓ ୨୦୧୯ରେ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ଭଦ୍ରକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ସେ ୧୯୭୩ ମସିହାରେ ଜାତୀୟ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥି ସହିତ ସେ ଜଣେ ସାହିତ୍ୟ ଅନୁରାଗୀ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ମୁହଁ ।

ବିଶେଷ ଭାବେ ଲୋକମାନଙ୍କୁ ସେ ବିଭିନ୍ନ ସମୟରେ ସେବା ଯୋଗାଇ ପ୍ରିୟପାତ୍ର ହୋଇପାରିଛନ୍ତି । ବାରୋ ପଞ୍ଚାୟତ ଅଧୀନ ଶାସନ ଖାସ ଗ୍ରାମର ପ୍ରଦୀପ କୁମାର ଦାସ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି । ସେ ଶିକ୍ଷକତା କରି ଅବସର ନେଇଥିଲେ ମଧ୍ୟ ଜନସେବା ତାଙ୍କର ଧର୍ମ ଓ କର୍ତ୍ତବ୍ୟ ବୋଲି ମନେ କରନ୍ତି । ତାଙ୍କ ପରିବାର କଂଗ୍ରେସ ଦଳର ଅନୁଗତ ରହି ଦୀର୍ଘଦିନ ଧରି ସଂଗଠନକୁ ସୁଦୃଢ଼ କରିଆସୁଛନ୍ତି । ଆଶାୟୀ ପ୍ରାର୍ଥୀ ଶ୍ରୀ ଦାସଙ୍କ ବାପା ଦୀନବନ୍ଧୁ ଦାସ ପଞ୍ଚାୟତରୁ ତିନି ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ କଂଗ୍ରେସ ଦଳର ମର୍ଯ୍ୟାଦାକୁ ବଢ଼ାଇଛନ୍ତି । ନିଜ ପଞ୍ଚାୟତରୁ ଶ୍ରୀ ଦାସଙ୍କ ପତ୍ନୀ ଦେବକୀ ଦାସ ମଧ୍ୟ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଜିଲାପରିଷଦ ପ୍ରାର୍ଥୀ ହୋଇଥିଲେ । ଏଥିସହିତ ଶ୍ରୀ ଦାସଙ୍କ ପତ୍ନୀ ଏବେ ଗାନ୍ଧିନଗର ସେବା ସମବାୟ ସମିତିର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ସର୍ବୋପରି ଶ୍ରୀ ଦାସ ଜଣେ ସମାଜସେବୀ ଓ ଶାନ୍ତ, ଶରଳ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇଛନ୍ତି । ସେହିପରି ବାମନବିନ୍ଧା ପଞ୍ଚାୟତର ଭାସ୍କର ସେଠୀ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚୟ ସୃଷ୍ଟି କରିଥିବା ବେଳେ ସେ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି । ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜଣେ ଦକ୍ଷ ସଂଗଠକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ଏତଦ୍ ବ୍ୟତୀତ ନିର୍ବାଚନ ମଣ୍ଡଳୀ ପାଇଁ ହୃଦାନନ୍ଦ ସେଠୀ, ମଧୁମିତା ସେଠୀ, କୁମାର ଚିରଂଜୀବ, ରଂଜନ ବେହେରା, ପଞ୍ଚାନନ ମଣ୍ଡଳ, ଜାନକୀ ଦାସ ପ୍ରମୁଖ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.