ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଜଳସେଚନ ବିଭାଗ ଏବେ ଦୁର୍ନୀତିର ଏକ ‘ସୁରକ୍ଷିତ ଆଡ୍ଡା’ ପାଲଟିଛି। ଯେଉଁଠି ସରକାରୀ ନିୟମ ନୁହେଁ, ବରଂ କିଛି ମୁଷ୍ଠି ମେୟ ଦଲାଲ ଓ ଅସାଧୁ ଠିକାଦାରଙ୍କ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟ ପରିଚାଳିତ ହେଉଛି। ଧାମନଗର ଭଳି ଏକ ସ୍ପର୍ଶକାତର ବନ୍ୟା ପ୍ରବଣ ଅଂଚଳରେ ବିଭାଗର ଏଭଳି ମୂରବୀ ଶୂନ୍ୟ ଅବସ୍ଥା ଏବେ ସାଧାରଣ ଜନତାଙ୍କ ଜୀବନ ଓ ଜୀବିକା କୁ ବିପଦକୁ ଠେଲି ଦେଇଛି।ଦୀର୍ଘ ଦିନ ଧରି ଧାମନଗର ଜଳସେଚନ ବିଭାଗରେ ଏସ.ଡି.ଓ ପଦବୀ ଖାଲି ପଡ଼ିବା ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଅଂଶ ବୋଲି ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଅଧିକାରୀ ନଥିବାରୁ ତଳସ୍ତରର କିଛି କନିଷ୍ଠ ଯନ୍ତ୍ରୀ ଏବଂ ବାହାରର କିଛି ଦଲାଲ ମିଶି ମନମୁଖୀ ଶାସନ ଚଳାଇଛନ୍ତି। କୋଟି କୋଟି ଟଙ୍କାର ନଦୀବନ୍ଧ ମରାମତି ଓ ଘାଟ ନିର୍ମାଣ କାର୍ଯ୍ୟ ବିନା କୌଣସି ବୈଷୟିକ ତଦାରଖରେ ଶେଷ କରାଯାଉଛି, ଯାହା ବନ୍ୟା ସମୟରେ ପୁଣି ଧୋଇଯିବା ନିଶ୍ଚିତ। ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି: ଧୁଷୁରୀ ସେକ୍ସନ ର ଜେ.ଇ ବିମଳ ବେହେରା ସମ୍ପୂର୍ଣ୍ଣ ଭାବେ ଠିକାଦାର-ଦଲାଲ ଗୋଷ୍ଠୀର ହାତ ବାରିସି ସାଜି ନିମ୍ନମାନର କାମକୁ ପ୍ରଶ୍ରୟ ଦେଉଥିବା ବେଳେ ସରକାରୀ ପାଣ୍ଠିକୁ ହରିଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସେଣ୍ଡପୁର ସେକ୍ସନ ଜେ.ଇ ସ୍ୱାଗତ ବେହେରାଙ୍କ ସାଧୁତା ଏବେ ତାଙ୍କ ପାଇଁ କାଳ ସାଜିଛି। ଦୁର୍ନୀତିକୁ ବିରୋଧ କରିବା ଏବଂ ଗୁଣବତା ବଜାୟ ରଖିବା ପାଇଁ ପରାମର୍ଶ ଦେଉଥିବାରୁ ତାଙ୍କୁ ସେଠାରୁ ହଟାଇବା ପାଇଁ ଚକ୍ରାନ୍ତ ଚାଲିଛି। ଜଣେ କର୍ତବ୍ୟ ନିଷ୍ଠ ଅଧିକାରୀଙ୍କୁ ବଦଳି କରିବାକୁ ଯୋଜନା କରି ବିଭାଗୀୟ ଦଲାଲମାନେ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି।ଧାମନଗର ନିର୍ବାଚନ ମଣ୍ଡଳୀ ହେଉଛି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଗଡ଼। ମନ୍ତ୍ରୀ ମହୋଦୟ ଅଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆଣୁଥିବା ବେଳେ ବିଭାଗୀୟ କିଛି ‘ବିଭୀଷଣ’ ଏହାକୁ ଲୁଟ୍ କରିବାରେ ଲାଗିଛନ୍ତି। ମନ୍ତ୍ରୀଙ୍କ ପାଖକୁ ସଠିକ୍ ତଥ୍ୟ ପହଂଚିବାକୁ ଦିଆଯାଉ ନାହିଁ। କିଛି ବ୍ୟକ୍ତି ବିଭାଗୀୟ ଅଧିକାରୀଙ୍କୁ ନିଜ ଇସାରା ରେ ଉଠ୍-ବସ୍ କରାଉଛନ୍ତି, ଯାହା ରାଜ୍ୟ ସରକାରଙ୍କ ‘ଜିରୋ ଟୋଲରେନ୍ସ’ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଧାମନଗର, ଧୁଷୁରୀ ଓ ଆରଡ଼ି ଅଂଚଳର ଲୋକେ ଏବେ ଆତଙ୍କିତ। ଯଦି ନଦୀବନ୍ଧ ମରାମତିରେ ଚଂଚକତା କରାଯାଏ, ତେବେ ଆଗାମୀ ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଓ ଶହ ଶହ ଗାଁ ଜଳମଗ୍ନ ହେବ। ତେଣୁ ମାନ୍ୟବର ମନ୍ତ୍ରୀ ତୁରନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ଜଳସେଚନ ବିଭାଗରେ ‘ମହାଘୋଟାଲା’,ଦଲାଲଙ୍କ ଇସାରାରେ ନାଚୁଛନ୍ତି ଯନ୍ତ୍ରୀ, ମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନକୁ ଚ୍ୟାଲେଞ୍ଜ








