Home ଜିଲ୍ଲା ପରିକ୍ରମା ଧାମନଗର ଗ୍ରାମାଂଚଳରେ ମନ୍ଥର ଗତିରେ ଚାଲିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣାଧୀନ ଗୃହ

ଧାମନଗର ଗ୍ରାମାଂଚଳରେ ମନ୍ଥର ଗତିରେ ଚାଲିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣାଧୀନ ଗୃହ

10

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କରିଥିଲେ । ଦୁଇମହଲା ବିଶିଷ୍ଟ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ପ୍ରତି କେନ୍ଦ୍ରକୁ ୩୫ ଲକ୍ଷ ବ୍ୟୟ ଅଟକଳରେ ଅର୍ଥ ମଂଜୁର ହୋଇଥିଲା । ଧାମନଗର ବ୍ଲକ୍‌ର ୩୧ ପଂଚାୟତରୁ ମୋଟ ୧୯ଟି ପଂଚାୟତରେ ଏହି କେନ୍ଦ୍ର ପ୍ରକଳ୍ପ ମଂଜୁର ହୋଇଥିବାବେଳେ ସେଥିରୁ ୧୮ଟି ନିର୍ମାଣାଧୀନ ଥାଇ ଗୋଟିଏ ପଂଚାୟତରେ କାର୍ଯ୍ୟ ଆରମ୍ଭ ହୋଇନଥିବାର ଜଣାଯାଇଛି । ୧୮ଟି ପ୍ରକଳ୍ପରୁ ୭ଟିର ଦୁଇମହଲା କାର୍ଯ୍ୟ ଚାଲିଥିବାବେଳେ ଅନ୍ୟ ବହୁ କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ଅଛି । ସମସ୍ତ ଯାକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନିର୍ମାଣ ଅବଧି ସରିଥିଲେ ମଧ୍ୟ ଏ ଦିଗରେ ବିଭାଗୀୟ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ଧାମନଗର ଅଂଚଳର ପ୍ରମୁଖ ଚିକିତ୍ସାଳୟ, ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଥିବାବେଳେ ତାହାକୁ ଜନପଯୋଗୀ କରିବା ପରିବର୍ତେ ଗ୍ରାମାଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଆଳରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ, କେବଳ ଠିକାଦାର ତୁଷ୍ଟିକରଣ ଉଦ୍ୟମ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଧାମନଗର ଭଳି ଏକ ସମ୍ବେଦନଶୀଳ ଜନବହୁଳ ଅଂଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ୭ ଜଣ ଏମ୍‌ବିବିଏସ୍‌, ୪ ଜଣ ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ଏଥିସହିତ ଆଟେଡାଂଟ ଓ ସଫେଇ କର୍ମଚାରୀର ଅଭାବ ପରିଲକ୍ଷିତ ହୋଇଛି । ଅନୁରୂପ ଏହି ବ୍ଲକ୍‌ର ବିଭିନ୍ନ ଅଂଚଳରେ ଏଲୋପ୍ୟାଥି ଓ ହୋମିଓପ୍ୟାଥି ଚିକିତ୍ସାଳୟରେ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଘୋର ଅଭାବ ଦେଖାଦେଇଥିବାବେଳେ ଗ୍ରାମାଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଆଳରେ କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି । ନୂତନ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.