Home ଜିଲ୍ଲା ପରିକ୍ରମା ଧାମନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅବ୍ୟବସ୍ଥା, କର୍ମଚାରୀ ଅଭାବରୁ ସେବା ବାଧାପ୍ରାପ୍ତ, ଅନ୍ଧାରରେ ପଶୁପାଳକ,...

ଧାମନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅବ୍ୟବସ୍ଥା, କର୍ମଚାରୀ ଅଭାବରୁ ସେବା ବାଧାପ୍ରାପ୍ତ, ଅନ୍ଧାରରେ ପଶୁପାଳକ, କର୍ଯ୍ୟାଳୟକୁ ରାସ୍ତା ନାହିଁ

6

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ର ପ୍ରାଣୀ ସମ୍ପଦର ସୁରକ୍ଷା ଓ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ନିଜେ ଅସୁସ୍ଥ ହୋଇପଡ଼ିଛି। କର୍ମଚାରୀ ଅଭାବ ସାଙ୍ଗକୁ ଭିତିଭୂମିର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ସାଧାରଣ ପଶୁ ପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଫିସ ଅଛି କିନ୍ତୁ ଯିବାକୁ ରାସ୍ତା ନାହିଁ କି ସେବା ଯୋଗାଇବାକୁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ସୂଚନା ଅନୁଯାୟୀ, ଧାମନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ମୋଟ ୯ ଟି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ରହିଛି। ମାତ୍ର ଦୁର୍ଭାଗ୍ୟର ବିଷୟ, କର୍ମଚାରୀ ଅଭାବ ଯୋଗୁଁ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। କେନ୍ଦ୍ରରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପି.ଏ.ଏନ୍ ପଦବୀ ଖାଲି ପଡ଼ିଥିବାରୁ ଜରୁରୀକାଳୀନ ସେବା ମିଳି ପାରୁନାହିଁ। ନଦୀଗାଁ ଓ ପାହାଡ଼ପୁର ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଏଲ.ଏ.ସି ଗୁଡ଼ିକରେ ଦୀର୍ଘ ଦିନ ହେବ ଚିକିତ୍ସକ ନାହାନ୍ତି। ସୋହଡ଼ା ଠାରେ ନୂତନ ଏଲ.ଏ.ସି ଗୃହ ନିର୍ମାଣ ଶେଷ ହୋଇଥିବା ବେଳେ ଚୁଡ଼ାକୁଟି ରେ ଏହା ଏବେ ମଧ୍ୟ ନିର୍ମାଣାଧୀନ ଅବସ୍ଥାରେ ରହିଛି। କେବଳ କର୍ମଚାରୀ ନୁହେଁ, କେନ୍ଦ୍ରର ପରିବେଶ ମଧ୍ୟ ଅତ୍ୟନ୍ତ ଶୋଚନୀୟ। ମୁଖ୍ୟ ଅଫିସକୁ ଯିବା ପାଇଁ ଏକ ରାସ୍ତାଟିଏ ନାହିଁ। ଫଳରେ ଗୃହପାଳିତ ପଶୁଙ୍କୁ ନେଇ ଚିକିତ୍ସାଳୟକୁ ଆସିବା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରାଣୀ ଚିକିତ୍ସା ସେବା ଠିକ୍ ଭାବରେ ମିଳୁନଥିବାରୁ ସ୍ଥାନୀୟ ଚାଷୀ ଓ ପଶୁପାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଚନା ଥାଉକି କେତେକ ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ କର୍ମ ଚାରି ନଥିବାରୁ ଘର ଗୁଡିକ ଜରାଜୀର୍ଣ୍ଣ ହୋଇ ପଡିଥିବା ବେଳେ ତାହା ଜବର ଦଖଲ ବି ହେଉ ଗଲାଣି।ସରକାର ପ୍ରାଣୀ ସମ୍ପଦର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଧାମନଗରରେ କେବଳ କର୍ମଚାରୀ ଅଭାବରୁ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସେବା ବି ଠିକ୍ ସେ ମିଳି ପାରୁନି। ତୁରନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ସହ ଅଫିସକୁ ରାସ୍ତା ନିର୍ମାଣ ଓ ଚିକିତ୍ସା ସେବାକୁ ସୁଧାରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.