Home ଜିଲ୍ଲା ପରିକ୍ରମା ଧାମନଗର : ଗେଙ୍ଗୁଟି ନଦୀ ବିପର୍ଯ୍ୟସ୍ତ, ରାସ୍ତା ସାରା ଖାଲ, ଏବେବି ମାଟି ରାସ୍ତାରେ ଚାଲୁଛନ୍ତି...

ଧାମନଗର : ଗେଙ୍ଗୁଟି ନଦୀ ବିପର୍ଯ୍ୟସ୍ତ, ରାସ୍ତା ସାରା ଖାଲ, ଏବେବି ମାଟି ରାସ୍ତାରେ ଚାଲୁଛନ୍ତି ଲୋକେ

10

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଦୋବଲ ନିକଟ କୋରକଦା ଠାରୁ କରଦା ଭାୟା ଅଙ୍ଗେଇପାଳ ଗେଙ୍ଗୁଟି ନଦୀବନ୍ଧ ରାସ୍ତାଟି ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ନଦୀବନ୍ଧ ସଂପୂର୍ଣ୍ଣ ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷାହେଲେ ଯାତାୟତ ଅସମ୍ଭବ ହୋଇପଡୁଛି । ଏବେ ବର୍ଷାଋତୁ ହୋଇଥିବାବେଳେ ବନ୍ଧ ସାରା ଖାଲ ଖମାରେ ଭର୍ତି ଥାଇ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମୁଛି । ଫଳରେ ନନ୍ଦିପୁର, ଅଂଗେଇପାଳ ଓ କରଦା ଲୋକେ ଦୋବଲ ବଜାରକୁ ଯିବା ଆସିବାରେ ଅନେକ କଷ୍ଟ ଭୋଗୁଛନ୍ତି । ଦୋବଲରୁ କରଦା ଯିବାକୁ ମାତ୍ର ୪ କିମି ଦୂର ହୋଇଥିବାବେଳେ ବର୍ଷାଦିନରେ ଏ ରାସ୍ତାରେ ଯାତାୟତ ସମ୍ଭବ ହୋଇନଥିବାରୁ ଅଂଗେଇପାଳ ଓ କରଦା ଲୋକେ ଖଡିପଦା, ସୁଜାଣସିଂହପୁର ଦେଇ ଯିବାଆସିବା କରୁଛନ୍ତି । ବିଶେଷକରି ଏହି ଅଂଚଳରୁ ବହୁ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବାବେଳେ ଏହି ରାସ୍ତାଟିର ଦୂରାବସ୍ଥା ସେମାନଙ୍କ ପାଇଁ ପ୍ରତିବନ୍ଧକ ହୋଇଛି । ଏହି ଗେଙ୍ଗୁଟିର ଦକ୍ଷିଣ ପାଶ୍ୱର୍ ବନ୍ଧଟି ଜଳସଂପଦ ବିଭାଗ ଅଧୀନରେ । ତାହା ପୁଣି ଯାଜପୁର ଜଳସଂପଦ ଡିଭିଜନ ଅଧୀନରେ ରହୁଛି । ବର୍ଷ ବର୍ଷ ଧରି ଲୋକେ ଏହି ନଦୀବନ୍ଧ ରାସ୍ତାକୁ ସୁଦୃଢୀକରଣ ଓ ପକ୍କାରାସ୍ତା କରିବାକୁ ଦାବି କରିଆସୁଥିଲେ ମଧ୍ୟ ଜଳସଂପଦ ବିଭାଗ ପଦକ୍ଷେପ ନେଉନାହିଁ । ଅନ୍ୟପଟେ ବନ୍ଧ ରାସ୍ତାଟି ଜଳସଂପଦ ବିଭାଗ ଅଧୀନରେ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗ ମଧ୍ୟ ଆଖି ବୁଜିଦେଉଛି । ମାତ୍ର ତାହାର କୁପରିଣାମ ଭୋଗୁଛନ୍ତି ସ୍ଥାନୀୟ ଲୋକେ । ବର୍ଷା ହେବାମାତ୍ରେ ଏହି ରାସ୍ତା ଦେଇ ଅଗ୍ନିଶମ ବାହିନୀ କିମ୍ବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । କୋରକଦା ଗଡାଣିରୁ ଅଂଗେଇପାଳ ପର୍ଯ୍ୟନ୍ତ ପିଚୁ କରିବା ଲାଗି ସ୍ଥାନୀୟ ଅଂଚଳବାସୀ ବହୁବାର ଦାବି କରିଆସୁଛନ୍ତି । ମାତ୍ର ଜଳସଂପଦ ବିଭାଗ ୨୦୧୬ ରୁ ୨୦୧୮ ମଧ୍ୟରେ ନଦୀବନ୍ଧ ପ୍ରଶସ୍ତିକରଣ କରିବା ସହ ନାଲିଗୋଡି ପକାଇ ଚୁପ୍ ହୋଇ ବସିଛି । ତେବେ ୩ ବର୍ଷ ହେଲା ଯେଉଁ ନାଲିଗୋଡି ପଡିଥିଲା, ତେବେ ଟ୍ରାକ୍ଟର ଓ ଭାରିଯାନ ଯିବାଆସିବା ଫଳରେ ତାହା ଖାଲ ଖମାରେ ପୂର୍ଣ୍ଣ ହୋଇଛି । ପୁଣି ବର୍ଷା ପରେ ରାସ୍ତାର ଅବସ୍ଥା ଆହୁରି ସଂଗୀନ ହୋଇଯାଇଛି । ଏଥିନେଇ ଧାମନଗର ଜଳସଂପଦ ଅଧିକାରୀଙ୍କୁ ପଚାରିବାରୁ ସେ ଏହି ବନ୍ଧ ରାସ୍ତାକୁ ପିଚୁ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି । ତେବେ ତୁରନ୍ତ ବର୍ଷାଦିନରେ ଲୋକମାନେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବନ୍ଧ ମରାମତି ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.