Home Top News ଧାମନଗର ଉପନିର୍ବାଚନରେ ଧର୍ମର ଜୟ, ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି -ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନରେ ଧର୍ମର ଜୟ, ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି -ଧର୍ମେନ୍ଦ୍ର ପ୍ରଧାନ

21

– ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି
– ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି
– ସ୍ୱାଭିମାନୀ ଧାମନଗରବାସୀମାନେ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥା’ନ୍ତି
– ବିଜୟୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
– ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଲେ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ହୋଇଛି

ଭୁବନେଶ୍ୱର, ନଭେମ୍ବର ୦୬ (ଓଡ଼ିଆ ପୁଅ) – ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି। ଏହି ବିଜୟ ଦ୍ୱାରା ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ନିଜ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି। ଗଣତନ୍ତ୍ରର ବିଜୟ ହୋଇଛି। ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ। ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବା, ସ୍ନେହ ଓ ଶ୍ରଦ୍ଧାର ବିଜୟ। ଓଡ଼ିଆ ସ୍ୱାଭିମାନର ବିଜୟ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ହୋଇଛି। ଆମ ଦଳକୁ ବିଜୟୀ କରିଥିବା ଧାମନଗରବାସୀଙ୍କୁ ଶ୍ରୀ ପ୍ରଧାନ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି। ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀମାନେ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥା’ନ୍ତି। ସୂର୍ଯ୍ୟବଂଶୀ ସୂରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଭୁବନେଶ୍ୱର ଠାରେ ରାଜ୍ୟ କାର୍ଯ୍ୟାଳୟ ଠାରେ ବରିଷ୍ଠ ନେତା, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.