Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ବାଲି ମାଫିଆ ସକ୍ରିୟ, ବୈତରଣୀ ଗର୍ଭରୁ ବେଆଇନ ବାଲି ଲୁଟ, ପ୍ରଶାସନିକ ଶିଥଳତା...

ଧାମନଗର ଅଂଚଳରେ ବାଲି ମାଫିଆ ସକ୍ରିୟ, ବୈତରଣୀ ଗର୍ଭରୁ ବେଆଇନ ବାଲି ଲୁଟ, ପ୍ରଶାସନିକ ଶିଥଳତା ଓ ମାଫିଆଙ୍କ ପ୍ରାଦୁର୍ଭାବ

5

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧିନସ୍ତ ସୋହଡ଼ା ପଂଚାୟତର ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ରାତିରୁ ସକାଳ ଯାଏ ଟ୍ରାକ୍ଟର ମାଲିକ ତଥା ବାଲି ଚୋରମାନେ ଏଠାରୁ ବାଲି ଚୋରି କରିବାରେ ଲାଗିଛନ୍ତି। ପ୍ରାୟ ୨୦ ରୁ ଅଧିକ ଟ୍ରାକ୍ଟର ଏଠାରେ ପଶି ବାଲି ଉତୋଳନ କରୁଥିବା ଦେଖିବାକୁ ମିଳିଛି। ରାଜସ୍ୱ ବିଭାଗ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଏବଂ ସ୍ଥାନୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ନଦୀବନ୍ଧ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ନଦୀରେ ପର୍ଯ୍ୟାପ୍ତ ବାଲି ନଥିବାରୁ ସୈରାତ ନିଲାମ ହୋଇ ପାରିନାହିଁ। ଏଣୁ ସରକାରୀ ଭାବେ ବାଲି ଉତୋଳନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ମାଫିଆମାନେ ଖୋଲମଖୁଲା ଡୋଜର ଲଗାଇ ପାଣି ଭିତରୁ ବାଲି ଉଠାଇ ଠୁଳ କରୁଛନ୍ତି। ନିଜର ସୁବିଧା ପାଇଁ ସେମାନେ ଅନେକ ସ୍ଥାନରେ ନଦୀବନ୍ଧ କାଟି ଗଡ଼ା ପ୍ରସ୍ତୁତ କରିଛନ୍ତି, ଯେଉଁ ରାସ୍ତା ଦେଇ ଟ୍ରାକ୍ଟରଗୁଡ଼ିକ ନଦୀ ଭିତରକୁ ଯାଇ ବିଳମ୍ବିତ ରାତିରୁ ସକାଳ ଯାଏ ଟ୍ରାକ୍ଟର ଓ ମିନି ଟ୍ରକ୍ ସାହାଯ୍ୟରେ ଏହି ବାଲି ଉତୋଳନ କରି ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଛି।ଖଣି ବିଭାଗର ଜିଲ୍ଲା କାର୍ଯ୍ୟାଳୟ ଭଦ୍ରକରେ ଥିବା ବେଳେ ପ୍ରାୟ ୩୦ କିଲୋମିଟର ଦୂର ଷେଣ୍ଢପୁର ରେ ବାଲି ଚୋରି ହେଉଛି। ଯେତେବେଳେ ବି ଖଣି ଅଧିକାରୀ ଚଢ଼ାଉ ପାଇଁ ଆସୁଛନ୍ତି, ବେଦପୁର, ଖଡ଼ିପଦା, ଦୋବଲ ଓ ଧାମନଗର ଛକ ପର୍ଯ୍ୟନ୍ତ ଜଗି ରହିଥିବା ମାଫିଆଙ୍କ ‘ସୂଚନାଦାତା’ ମାନେ ସଙ୍ଗେ ସଙ୍ଗେ ଖବର ପହଂଚାଇ ଦେଉଛନ୍ତି। ଅଧିକାରୀ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟର ଓ ଜେସିବି ଗୁଡ଼ିକୁ ନଦୀ ଗର୍ଭରୁ କାଢ଼ି ନିଆଯାଇ ବାଡ଼ି ପଛପଟେ ଲୁଚାଇ ଦିଆଯାଉଛି। ଫଳରେ ଚଢ଼ାଉ ପ୍ରକ୍ରିୟା କେବଳ ପ୍ରହସନରେ ପରିଣତ ହେଉଛି। ବେଆଇନ ବାଲି ଉତୋଳନ ରୋକିବା ପାଇଁ କଡ଼ା ନିୟମାବଳୀ ରହିଛି। ସଷ୍ଟେନେବୁଲ ସ୍ୟାଣ୍ଡ ମାଇନିଂ ମ୍ୟାନେଜମେଂଟ ଗାଇଡଲାଇନ୍‌-୨୦୧୬ ଅନୁଯାୟୀ ପରିବେଶ ସନ୍ତୁଳନ ରକ୍ଷା କରି ବାଲି ଉତୋଳନ କରିବା କଥା। ସେହିପରି ଓଡ଼ିଶା ମାଇନିଂ ପଲିସି – ୨୦୨୧ରେ ମଧ୍ୟ ବାଲି ଚୋରି ରୋକିବା ନେଇ ବ୍ୟବସ୍ଥା ରହିଛି। ନଦୀ ଗର୍ଭରୁ କେବଳ ଶୁଖିଲା ଓ ଗଦା ହୋଇଥିବା ବାଲି ଉଠାଇବାକୁ ନିୟମ ଅଛି। ହେଲେ ମାଫିଆମାନେ ପାଣି ଭିତରୁ ବାଲି ଖୋଳିକି ଚାଲାଣ କରୁଛନ୍ତି। ତେବେ ପୂର୍ବତନ ରାଜ୍ୟ ସରକାରଙ୍କ ଅଜବ ନିୟମ ଯୋଗୁଁ ବାଲି ଚୋରି ଆହୁରି ବଢ଼ି ଯାଇଛି। ନିଲାମ ପ୍ରକ୍ରିୟା ଖଣି ବିଭାଗକୁ ଯିବା ପରଠାରୁ ତହସିଲ କାର୍ଯ୍ୟାଳୟ ଏହି ସମସ୍ୟାକୁ ଦେଖି ନଦେଖିଲା ଭଳି ରହୁଥିବା ଅଭିଯୋଗ ହେଉଛି। ତା ଛଡ଼ା ସ୍ଥାନୀୟ ରାଜନେତା ଙ୍କ ଚାପ ଯୋଗୁଁ କ୍ଷେତ୍ର ଅଧିକାରୀମାନେ କଡ଼ା ପଦକ୍ଷେପ ନେବାକୁ ପଛଘୁଂଚା ଦେଉଛନ୍ତି।ଯଦି ପୋଲିସ ଓ ତହସିଲ ପ୍ରଶାସନ ମିଳିତ ଭାବେ ସତର୍କତା ଅବଲମ୍ବନନକରନ୍ତି, ତେବେ ଆଗାମୀ ଦିନରେ ବୈତରଣୀ ନଦୀ ଶଯ୍ୟା ଶୂନ୍ୟ ହେବା ସହ ନଦୀବନ୍ଧ ଦୁର୍ବଳ ହୋଇ ବନ୍ୟା ଭଳି ବିପର୍ଯ୍ୟୟକୁ ଡାକି ଆଣିବ। ପ୍ରଶାସନ ତୁରନ୍ତ ସଚେତନ ହୋଇ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ଏ ଦିଗରେ ଧାମନଗର ତହସିଲଦାର ସାଇ ଲୋକ ନାଥ ସେଠୀ କହିଛନ୍ତି ଯେ ଜିଲ୍ଲାପାଳ ଙ୍କ ପରାମର୍ଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।ତେବେ ଏପରି ବେଆଇନି ବାଲି ଉଠାକୁ ନେଇ ସଧାରଣ ରେ ଅସନ୍ତୋଷ ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.