Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଦୁଃଖଦ ଖବର, ସଡ଼କ ଦୁର୍ଘଟଣା: ୨ ମୃତ, ୧ ଗୁରୁତର, ସମାନ ସ୍ଥାନରେ...

ଧାମନଗର ଅଂଚଳରେ ଦୁଃଖଦ ଖବର, ସଡ଼କ ଦୁର୍ଘଟଣା: ୨ ମୃତ, ୧ ଗୁରୁତର, ସମାନ ସ୍ଥାନରେ ସଂଧ୍ୟାରେ ଯାତ୍ରା ପାର୍ଟି ଗାଡ଼ି ଓଲଟିଲା, ପ୍ରତିବାଦ ରେ ରାସ୍ତା ରୋକ

8

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧିନ ଭଣ୍ଡାରିପଦୀ ଛକ ନିକଟରେ ଶନିବାର ସକାଳ ୮ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ କଟକ ଡ଼ାକ୍ତରଖାନା ଚିକିତ୍ସା ପାଇଁ ପଠାଯାଇଛି।ଧାମନଗର ଛକ ପଟୁ ଏକ ବାଇକ୍ ନଂ ଓ ଡି ୧୯ ଏସ ୬୫୩୦ ରେ ତିନି ଜଣ ଆସୁଥିବା ବେଳେ ଏକ ଟ୍ରାକ୍ଟର ନଂ ଓଡ଼ି ୨୨ ଏମ ୦୭୮୩ ସହ ବାଇକ ର ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ସେକ ଆର୍ମାନ୍ ଓ ସେକ୍ ଆଜମେର୍ ଅନ୍ୟ ଆହତ ହେଲେ ସେକ ସାବିର।ଏମାନଙ୍କ ଘର ସ୍ଥାନୀୟ ହବିବନଗର ଗ୍ରାମରେ।ସାବିର ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଓ ବାଇକ୍ କୁ ପୋଲିସ ଜବତ କରି ଥାନା କୁ ଆଣିଛି।ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ପ୍ରଶାସନିକ ଅବହେଳାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏନେଇ ପୋଲିସ ଥାନା କେସ ନଂ ୧୫୨/୨୬ ରେ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଇଛି।ତେବେ ଶବ ବ୍ୟବଚ୍ଛେଦ ହୋଇ ଭଦ୍ରକ ରୁ ଫେରିବା ପରେ ଧାମନଗର ବିଜ୍ଞାପିତ ଅଂଚଳ ର ହବିବ ନଗର ଛକ ଠାରେ ଗ୍ରାମ ବାସୀ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ। ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ ଘଟଣା ସ୍ଥଳେ ପହଂଚି ଲୋକମାନଙ୍କୁ ବୁଝାସୁଝା କରି ରେଡ୍ କ୍ରସ ପାଣ୍ଠି ରୁ ମୃତକ ଙ୍କ ପରିବାର କୁ ୨୦ ହଜାର ଟଙ୍କା ଲେଖା ଦିଆଯାଇଥିଲା।ସରକାରୀ ସ୍ତରରେ ଆଉ କଣ ହୋଇପାରିବ ବୁଝାସୁଝା କରି ବ୍ୟବସ୍ଥା କରାଯିବ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ୍ ରୁ ଲୋକେ ଉଠିଥିଲେ। ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା, ଦୁଇ ମୃତ । ଧାମନଗର ଅଂଚଳରେ ପ୍ରଶାସନିକ ଅବହେଳା ଯୋଗୁଁ ଦୁର୍ଘଟଣାରେ ରକ୍ତ ଭିଜିଛି ରାସ୍ତା । ସେହିପରି ବୟାଙ୍ଗଡିହ ପଂଚାୟତର ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ନୂଆ ହାଟ ମେଳଣ ପଡ଼ିଆରେ ଆଜି ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଶ ଅପେରାର ସରଞ୍ଜାମ ନେଇ ଯାଉଥିବା ଏକ ଟ୍ରକ୍ (ଓଡି-୦୧-ଏଫ-୪୩୯୨) ସକାଳେ ଘଟିଥିବା ଦୁର୍ଘଣଣା ସ୍ଥଳ ରେ ସନ୍ଧ୍ୟାରେ ଟ୍ରକ ଓଲଟି ପଡ଼ିଛି। ଡ୍ରାଇଭର ଅଳ୍ପକେ ବର୍ତି ଯାଇଥିଲେ ମଧ୍ୟ ଗାଡ଼ିଟିର ବହୁତ କ୍ଷତି ହୋଇଛି। ସକାଳେ ଦୁଇ ଯୁବକଙ୍କ ଜୀବନ ଯିବା ପରେ ପୁଣି ସମାନ ସ୍ଥାନରେ ଟ୍ରକ ଓଲଟିବା ଘଟଣା ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତୁରନ୍ତ ରାସ୍ତା ମରାମତି ନହେଲେ ଆଗକୁ ଆହୁରି ବଡ଼ ବିପଦ ଘଟିବାର ଆଶଙ୍କା ରହିଛି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.