ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ନିର୍ବାଚନମଣ୍ଡଳୀର ଭିତିଭୂମିର ବିକାଶକୁ ନୂଆ ଦିଗ ଦେଇ ବହୁ ୩୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଗସ୍ତରେ ଆସି ପ୍ରକଳ୍ପ ଗୁଡ଼ିକ ର ଶିଳାନ୍ୟାସ କରିଛନ୍ତି। ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଖଣ୍ଡେଇପଦା ଠାରେ ସାଧାରଣ ଶୌଚାଳୟ ନିର୍ମାଣ, ଜୟନଗର ଖେଳ ପଡ଼ିଆ ନିର୍ମାଣ, ଗୁମୁଗଡ଼ ସ୍କୁଲ ନିକଟରେ ସୌନ୍ଦର୍ଯ୍ୟକରଣ ଏବଂ ମଠ ପୋଖରୀର ସୌନ୍ଦର୍ଯ୍ୟକରଣ ଭଳି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ତହସିଲ ସାମନା କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୁଇଚି ଟିପି ପ୍ରକଳ୍ପ ଶିଳାନ୍ୟାସ ଫଳକର ଅନାବରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଏମ ଡି ନୁରାନି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ଧାମନଗର ବାସୀଙ୍କୁ ଉନ୍ନତ ଯାତାୟତ ସୁବିଧା ଯୋଗାଇବା ପାଇଁ ନୂତନ ବସଷ୍ଟାଣ୍ଡର ଭିତି ପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି। ଏହାସହ ସହରବାସୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ (ସୁବିଧା କାର୍ଡ) ବଂଟନ କରାଯାଇଥିଲେ। ଏହାପରେ ଦଳାଙ୍ଗ ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଦଳାଙ୍ଗ ରାସ୍ତାରେ ଗେଙ୍ଗୁଟି ନଦୀ ଉପରେ ୮ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ନୂତନ ସେତୁ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୋବଲ କାଳୀବଜାର ଠାରେ ଗେଙ୍ଗୁଟି ନଦୀବନ୍ଧ ନିର୍ମାଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ସୋହଡ଼ା ପଂଚାୟତର ବେଦପୁରଠାରେ ପୂର୍ତ ବିଭାଗ ରାସ୍ତା ଠାରୁ ଦକ୍ଷିଣକୁରୁଆ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ଆୟୋଜିତ କାର୍ଯ୍ଯକ୍ରମରେ ପଧାନି ସରପଂଚ ତଥା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, ବରିଷ୍ଠ ବିଜେପି ନେତା ମନୋରଞ୍ଜନ ମଲ୍ଲିକ, ଅରବିନ୍ଦ ପତି, ଧାମନଗର ଏନଏସି ର ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାଶ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।








