Home ଜିଲ୍ଲା ପରିକ୍ରମା ଧାମନଗରର ୩ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବାକୁ ଗଣଶିକ୍ଷା ବିଭାଗର ଅନୁମତି

ଧାମନଗରର ୩ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବାକୁ ଗଣଶିକ୍ଷା ବିଭାଗର ଅନୁମତି

28

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ତିନିଟି ହାଇସ୍କୁଲ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଞ୍ଜୁରୀ ଦେଇଛି। ଫଳରେ ଏହି ତିନିଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ। ବିଭିନ୍ନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠି ରୁ ଏହି ସୂଚନା ମିଳିଛି। ଏହି ଚିଠି ଅନୁସାରେ ଧାମନଗର ବ୍ଲକ ର ଆନନ୍ଦପୁର ପଂଚାୟତର ଜଗନ୍ନାଥ ନୋଡାଲ ହାଇସ୍କୁଲ, ଚୂଡ଼ାକୁଟି ଇନ୍ଦ୍ରଗୋବିନ୍ଦ ନୋଡାଲ ହାଇସ୍କୁଲ ଓ ସୋହଡ଼ା ପଂଚାୟତର ବାଲିପଡ଼ା ସ୍ଥିତ ବୈତରଣୀ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବ। ଏହି ତିନିଟି ଯାକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ରହିବ ବୋଲି ଜଣାପଡ଼ିଛି। ପ୍ରକାଶ ଥାଉକି , ୨୦୨୫-୨୬ ଶିକ୍ଷାବର୍ଷ ରୁ ଏଠାରେ ଯୁକ୍ତ ଦୁଇ ପାଠ ପଢ଼ାଯିବ। ମାତ୍ର ଉକ୍ତ ବିଦ୍ୟାଳୟର ଆବଶ୍ୟକ ଭିତି ଭୂମୀ ନାହିଁ ,ଏଥିଲାଗି ଆବଶ୍ୟକୀୟ ଉପଯୁକ୍ତ ଶ୍ରେଣୀଗୃହ ନାହିଁ। ବିଜ୍ଞାନାଗାର ମଧ୍ୟ ନାହିଁ। ତା ସହିତ ପିଜି ଶିକ୍ଷକ କି ଅଧ୍ୟାପକ ମଧ୍ୟ ନାହାନ୍ତି। ଏଣୁ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପାଠ ପଢ଼ା ଯିବା ସମ୍ଭବନୁହଁ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ଏଣୁ ଆସନ୍ତାବର୍ଷ ଯୁକ୍ତ ଦୁଇ ପାଠ ପଢ଼ାଯିବ ବୋଲି ଜଗନ୍ନାଥ ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ରମୋହନ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପାଠ ପଢ଼ାଯିବା ପୂର୍ବରୁ ସ୍କୁଲରେ ପ୍ରିନ୍ସପାଲ ଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ। କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଆଧାରରେ ଗୋଟିଏ କ୍ୟାଂପସ ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ରଖିବା ଉଦ୍ଦେଶ୍ୟ ନେଇ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି। ଗୋଟିଏ କ୍ୟାଂପସରେ ପ୍ରଥମରୁ ଦ୍ୱାଦଶ ଯାଏ ଶ୍ରେଣୀ ରହିଲେ ଏହା ଏକୀକୃତ ପରିଚାଳନାରେ ରହିବ। ଜଣେ ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କ ଅଧିନରେ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାମ କରିବେ। ଏହାସହ ଶିକ୍ଷକମାନଙ୍କୁ ତାଲିମ ଦେବାରେ ସୁବିଧା ହେବ। କ୍ୟାଂପସରେ ଶୃଙ୍ଖଳା ରହିବ। ପିଲାଙ୍କ ଦକ୍ଷତା ବିକାଶ ହୋଇପାରିବ। ଏହି ଲକ୍ଷ୍ୟ ନେଇ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଅପଗ୍ରେଡ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ମାନଦଣ୍ଡକୁ ନଜରରେ ରଖି ଜିଲ୍ଲା ଶିକ୍ଷା ବିଭାଗ ଧାମନଗର ର ୮ ଟି ସ୍କୁଲର ନାଁ ଗତବର୍ଷ ସୁପାରିଶ କରିଥିଲେ। ଯେଉଁ ସ୍କୁଲ ଅପଗ୍ରେଡ ହେବ, ସେହି ସ୍କୁଲରେ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀ ଯାଏ ରହିଛି। ମୋଟ୍ କେତେ ପିଲା ପାଠ ପଢୁଛନ୍ତି। ଦଶମ ଶ୍ରେଣୀରେ ଗତ ଶିକ୍ଷା ବର୍ଷରେ କେତେ ଜଣ ନାଁ ଲେଖାଇଥିଲେ। ସ୍କୁଲର ଜମି କେତେ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ ଖୋଲିଲେ କେତୋଟି ଗାଁର ପିଲା ଆସି ପାଠ ପଢ଼ିବେ। ଯୁକ୍ତ ଦୁଇ ର କେତୋଟି ଷ୍ଟ୍ରିମ ଖୋଲାଯିବ ଓ ମୋଟ କେତେ ଜଣ ପିଲା ନାଁ ଲେଖାଇବା ସମ୍ଭାବନା ରହିଛି, ସେନେଇ ସୂଚନା ଦିଆଯିବାକୁ କୁହାଯାଇଥିଲା। ତା ଛଡ଼ା ଅପଗ୍ରେଡ ହେବାକୁ ଥିବାସ୍କୁଲଠାରୁ କେତେ ଦୂରରେ ରହିଛି ନିକଟତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏ ସବୁ ସୂଚନା ସହ ଜିଲ୍ଲା ଶିକ୍ଷା ବିଭାଗ ୮ ଟି ସ୍କୁଲର ନାଁ ସୁପାରିଶ କରିଥିଲା। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା କରିଥିଲେ। ଏହାପରେ ଗଣଶିକ୍ଷା ବିଭାଗ ବ୍ଲକର ୩ ଟି ସ୍କୁଲରେ ଯୁକ୍ତ ୨ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହି ଯୁକ୍ତ ୨ କଲେଜ ଖୋଲିବା ପରେ ଗାଁ ଗହଳିର ଅନେକ ଗରିବ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ସୁବିଧାରେ ପାଠ ପଢିପାରିବେ ବୋଲି ଅନେକ ଛାତ୍ର ଛାତ୍ରୀ ଅଭିଭାବକ ମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.