ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ସିଏମ୍ ଟ୍ରଫି ନାଁରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିଜ ନିର୍ବାଚନମଣ୍ଡଳୀ ଧାମନଗରରେ ଏହି କାର୍ଯ୍ୟକ୍ରମ ଏବେ ବିବାଦ ଭିତରେ। ମୁସ୍ତଫାପୁର ପଂଚାୟତର ଦୋବଲ କାଳୀ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଂଟକୁ ନେଇ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା କ୍ରୀଡ଼ାର ବିକାଶ ଅପେକ୍ଷା ଶାସକ ଦଳର ଶକ୍ତି ପ୍ରଦର୍ଶନ ଓ ଗୋଷ୍ଠୀ କନ୍ଦଳର ଏକ ନଗ୍ନ ନମୁନା ଭଳି ମନେହେଉଛି। ସରକାରୀ ନିୟମାବଳୀ ଅନୁଯାୟୀ, ସିଏମ୍ ଟ୍ରଫିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଂଚଳରୁ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ବାହାର କରିବା। ୧୭ ବର୍ଷରୁ କମ୍ ଏବଂ ୧୭ ରୁ ୩୫ ବର୍ଷ ବର୍ଗର ଯୁବକ-ଯୁବତୀଙ୍କ ପାଇଁ ଏହି ମଂଚ ପ୍ରସ୍ତୁତ କରାଯାଇଛି। ପ୍ରତି ଜିଲ୍ଲାକୁ ଏଥିପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି, ଯାହାକି ଖେଳାଳିଙ୍କ ଜର୍ସି, ଖାଦ୍ୟ, ଯାତାୟାତ ଏବଂ ମ୍ୟାଚ୍ ପରିଚାଳନା ପାଇଁ ଉଦ୍ଦିଷ୍ଟ। ମାତ୍ର ଧାମନଗରରେ ଏହାର ବାସ୍ତବତା ସଂପୂର୍ଣ୍ଣ ଓଲଟା। ଆଗୁଆ ପ୍ରଚାର ପ୍ରସାରର ଅଭାବ ଯୋଗୁଁ ବହୁ ପଂଚାୟତର ପ୍ରକୃତ ଖେଳାଳି ଏହି ସୁଯୋଗରୁ ବଂଚିତ ହୋଇଛନ୍ତି। ସାଧାରଣ ଲୋକ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏହି ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ଫଳସ୍ୱରୂପ, ସରକାରୀ ଅର୍ଥରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଏକ ଘରୋଇ ଇଭେଂଟରେ ପରିଣତ କରାଯାଇଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ, ବିଡିଓ କିମ୍ବା ଜିଲ୍ଲା କ୍ରୀଡ଼ା ଅଧିକାରୀ ଏହି ଖେଳର ପରିଚାଳନା କରିବା କଥା। ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କର ବ୍ଲକ ପ୍ରତିନିଧି ଅଶୋକ ପୁହାଣ ଏହି କାର୍ଯ୍ୟ ତୁଲାଇବା ପ୍ରୋଟୋକଲ୍ ରହିଛି। ମାତ୍ର ଆଶ୍ଚର୍ଯ୍ୟର କଥା, ଖୋଦ୍ ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ହିଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ସୂଚନା ମିଳିଛି। ମନ୍ତ୍ରୀଙ୍କ ଅନ୍ୟତମ ପ୍ରତିନିଧି କୈଳାଶ ମହାପାତ୍ର ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅରବିନ୍ଦ ପତି ଏହି ଖେଳର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିବା ଦେଖିବାକୁ ମିଳିଛି। ଧାମନଗର ବିଜେପି ମଧ୍ୟରେ ଫାଟ ଏବେ ଏହି ଖେଳ ପଡ଼ିଆରେ ପଦାରେ ପଡ଼ିଛି। ଚର୍ଚ୍ଚା ହେଉଛି ଯେ, ଆଗାମୀ ଦିନରେ ଧାମନଗର ବ୍ଲକ ଦଖଲ କରିବା ପାଇଁ ବିଜେପି ଭିତରେ ଦୁଇଟି ଶକ୍ତିଶାଳୀ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି।ପଧାନୀ ପଂଚାୟତରୁ ଏକାଧିକ ବାର ସରପଂଚ ରହି ସାରିଥିବା ଏବଂ ବନ୍ୟା-ବାତ୍ୟା ସମୟରେ ଜନସେବା ପାଇଁ ଜଣାଶୁଣା ଅଶୋକ ପୁହାଣ ଏବେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି। ତାଙ୍କୁ କୋଣଠେସା କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ତାଙ୍କ ସମର୍ଥକ ଅଭିଯୋଗ କରୁଛନ୍ତି। କ୍ରୀଡ଼ା ମନ୍ତ୍ରୀଙ୍କ ଅତି ନିକଟତର ଭାବେ ପରିଚିତ ଅରବିନ୍ଦ ପତି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଜୋରଦାର ଦାବିଦାର ଅଛନ୍ତି। ତାଙ୍କ ପତ୍ନୀ ଏବେ ସୋହଡ଼ା ପଂଚାୟତରୁ ସମିତି ସଭ୍ୟା ଅଛନ୍ତି। ଏଣୁ ଏହି ଅଭିଜ୍ଞତା ଓ ମନ୍ତ୍ରୀଙ୍କ ସହ ସୁସଂପର୍କ ଥିବାରୁ, ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ସରକାରଙ୍କ ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥିବା ବେଳେ ପ୍ରକୃତ କ୍ରୀଡ଼ା ପ୍ରତିଭା ଖୋଜିବା ପରିବର୍ତେ ଏହା ଦଳୀୟ କର୍ମୀଙ୍କ ସମ୍ମିଳନୀ ଭଳି ପ୍ରତୀତ ହେଉଛି। ପ୍ରଶାସନର ନିରବତା ଏବଂ ଗୋଟିଏ ଗୋଷ୍ଠୀର ଏକଛତ୍ରବାଦୀ ମନୋଭାବ ଯୋଗୁଁ ଧାମନଗରରେ କ୍ରୀଡ଼ା ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ବିଭାଗୀୟ ମନ୍ତ୍ରୀଙ୍କ ନିଜ ଅଂଚଳରେ ‘ସିଏମ୍ ଟ୍ରଫି’ର ଏଭଳି ଦୟନୀୟ ଅବସ୍ଥା, ତେବେ ରାଜ୍ୟର ଅନ୍ୟ ଅଂଚଳରେ ଏହାର କାର୍ଯ୍ୟକାରିତା କିଭଳି ହେଉଥିବ, ତାହା ଏବେ ବଡ଼ ପ୍ରଶ୍ନବାଚୀ। ପ୍ରଶାସନ ଏବଂ କ୍ରୀଡ଼ା ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ କ୍ରୀଡ଼ାକୁ ରାଜନୀତିରୁ ମୁକ୍ତ ରଖିବାକୁ ଅଂଚଳବାସୀ ଦାବି କରିଛନ୍ତି।








