Home ଜିଲ୍ଲା ପରିକ୍ରମା ଧାମନଗରରେ ସାଂସଦଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ଧାମନଗରରେ ସାଂସଦଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

42

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଧାମନଗର ଗସ୍ତକରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଧାମନଗର ମହାବିଦ୍ୟାଳୟ ଗସ୍ତକରି ଜାତୀୟ ସେବା ଯୋଜନା ତରଫରୁ ବିଶ୍ୱ ନିମୋନିଆ ଦିବସ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେବାଯୋଜନାର ସଂଯୋଜକ ପ୍ରାଧ୍ୟାପକ ମହମ୍ମଦ ଇସ୍ରାଇଲ, ଅଧ୍ୟାପିକା ସ୍ମରଣୀକା ପ୍ରଧାନ, ଅଧ୍ୟାପକ ବୈରିଗଞ୍ଜନ ଦାସ ଓ ଡ଼ାକ୍ତର ମନୋଜ କୁମାର କର ପ୍ରମୁଖ ପରିଚାଳନା କରିଥିଲେ ଏବଂ ଡ଼ାକ୍ତର ମିତାଲି ଶ୍ରୀବାସ୍ତବ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ନିମୋନିଆ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସାଂସଦ ଶ୍ରୀମତୀ ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଂଚାୟତସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମିତିସଭ୍ୟ ହରେକୃଷ୍ଣ ପାଢୀ, ପ୍ରଦୀପ କୁମାର ମଲ୍ଳିକ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିନୋଦ ନାୟକ, ପୂର୍ବତନ ସମିତିସଭ୍ୟ ପ୍ରତାପ କୁମାର ସାମଲ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଉନ୍ନତୀ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ନିବାସ ଦୀର୍ଘବର୍ଷ ଧରି ଅଧପନ୍ତରୀୟା ଅବସ୍ଥାରେ ପଡ଼ିରହିଥିବାବେଳ ତୁରନ୍ତ ତା’ର କାର୍ଯ୍ୟ ଶେଷ କରିବା ପାଇଁ ଛାତ୍ର ଛାତ୍ରୀମାନେ ଏକ ଦାବିପତ୍ର ମାନନୀୟା ସାଂସଦଙ୍କୁ ପ୍ରଦାନ କରିଥିଲେ । ଖୁବ୍ ଶୀଘ୍ର ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ କରାଯିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ଏହାକୁ ଏକ ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟ ରୂପେ ପରିଗଣିତ କରିବାପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ସାଂସଦ ତାଙ୍କ ବକ୍ତବ୍ୟରେ କହିଥିଲେ । ପରେ ଧାମନଗର ଠାରେ ଥିବା ଶବବ୍ୟବଚ୍ଛେଦ କେନ୍ଦ୍ର ଦୀର୍ଘ ୫ବର୍ଶରୁ ଉର୍ଦ୍ଧ୍ୱ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇନପାରି ଜରାଜିର୍ଣ୍ଣ ଅବସ୍ଥାରେ ଥିବାବେଳେ ସାଂସଦ ଉକ୍ତ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଯାଇ ସେଠାରେ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ ପାତ୍ର ଓ ଧାମନଗର ଡ଼ାକ୍ତରଖାନାର ଡ଼ାକ୍ତର ରାଜଦୀପ ତ୍ରିପାଠୀଙ୍କ ସହ ଆଲୋଚନା କରି ତୁରନ୍ତ ଉକ୍ତ କେନ୍ଦ୍ରକୁ ସଚଳ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦ୍ଦେର୍ଶ ଦେଇଥିଲେ । ପରେ ଧାମନଗର ଡ଼ାକ୍ତରଖାନା ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସାଂସଦ ଡ଼ାକ୍ତରଖାନାରେ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଧାମନଗରର ମୁଖ୍ୟ ଡ଼ାକ୍ତରଖାନା ସମେତ ବ୍ଲକର ବିଭିନ୍ନ ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଉକ୍ତ ଡ଼ାକ୍ତରଖାନାର ନୂତନଗୃହ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବାପାଇଁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଡ଼ାକ୍ତରଖାନାର ସମସ୍ତ ଡ଼ାକ୍ତର ଓ କର୍ମଚାରୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.