ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅନ୍ତର୍ଗତ ସୋଧ ରାଜସ୍ୱ ଗ୍ରାମର ଧାମନଗର- ଦୋବଲ ମୁଖ୍ୟ ରାସ୍ତାର ମୁସ୍ତଫାପୁର ମୌଜାର ୨୩ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠରେ ଏହି ରାୟ ପ୍ରଦାନ କରିଛନ୍ତି ଏବଂ ଧାମନଗର ତହସିଲଦାର, ଭଦ୍ରକ ଉପଜିଲ୍ଳାପାଳ ଓ ଜିଲ୍ଳାପାଳଙ୍କୁ ୨ମାସ ମଧ୍ୟରେ ଉକ୍ତ ଜବରଦଖଲ ଉଚ୍ଛେଦ ସହିତ ଆଇନ୍ଗତ ପ୍ରକ୍ରିୟା କରିଯିବାପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ୨ମାସ ମଧ୍ୟରେ ଉଚ୍ଛେଦ ସମ୍ପର୍କିତ ସମସ୍ତ ପକ୍ରିୟା ଶେଷ କରିବାକୁ ମଧ୍ୟ ମାନ୍ୟବର କୋର୍ଟ କହିଛନ୍ତି । ପ୍ରକାଶ ଥାଉକି ଦୋବଲ- ମୁସ୍ତଫାପୁର ଅଂଚଳର ଘୋଡ଼ାଗଣ୍ଡ ପାଖରୁ ଧାମନଗର ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ୨୩ଏକର ଜମିକୁ ସ୍ଥାନୀୟ ଅଂଚଳର ଲୋକମାନେ ଜବରଦଖଲ କରି ସେଠାରେ ସ୍ଥାୟୀ ପକ୍କାଘର, ଓ ଘରମାନ ନିର୍ମାଣ କରି ଭଡ଼ା ଲଗାଇବା ସହିତ ବ୍ୟବସାୟ ମଧ୍ୟ କରୁଛନ୍ତି । ପ୍ରାୟ ୧୫ବର୍ଷହେବ ମୁସ୍ତଫାପୁର ମୌଜାର ଖାତା ନଂ ୬୧୪ରେ ଥିବା ଅନାବାଦି, ଆବାସ ଯୋଗ୍ୟ ଅନାବାଦି, ରଖିତ ଅନାବାଦି, ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିକୁ ନିଜ କବଜାକରିବା ସହିତ ଏଠାରେ ବେଆଇନ୍ ଭାବେ ଘରନିର୍ମାଣ କରି ବ୍ୟବସାୟ ଚଳାଇଛନ୍ତି । ଏହି ଜମିରେ ମଧ୍ୟ ବଡ଼ବଡ଼ କୋଠା କରାଯାଇ ନିଜ ଅକ୍ତିଆରରେ ରଖିଛନ୍ତ । ଏହି ଜାଗାରେ ପ୍ରାୟ ୫୦ରୁ ଅଧିକ ବଡ଼ ବଡ଼ ବିଲଡ଼ିଂ ତିଆରି କରାଯାଇ ରହୁଥିବାର ଦେଖିବାକୁ ମିଳିଛି । ଏନେଇ ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ରାଜସ୍ୱ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଭଦ୍ରକ ଜିଲ୍ଳାପାଳ ଓ ଧାମନଗର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସ୍ଥାନୀୟ ଅଂଚଳର ଜୈନିକ ସ୍ୱେଚ୍ଛାସେବୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । କୋର୍ଟ ଏହାର ସୁଣାଣି କରି ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିବାପାଇଁ କହିଥିଲେ । ପରବର୍ତ୍ତି ସମୟରେ ଜିଲ୍ଳାପାଳଙ୍କ ନିରବତା ପରେ ପୁଣିଥରେ ହାଇକୋର୍ଟରେ ଦ୍ୱାରସ୍ତ ହେବାପରେ ଆବେଦନ କାରୀଙ୍କ ପକ୍ଷରୁ ଆଇନ୍ଜୀବୀ ଏସ୍ଏନ୍ ମିଶ୍ର ମାମଲା ପରିଚାଳନା କରିବା ସହ ୨୩ଏକର ଜମିରୁ ଜବରଦଖଲ ଉଛେଦପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ନିବେଦନ କରିଥିଲେ । ଶେଷରେ ହାଇକୋର୍ଟ ଏହାର ଶୁଣାଣି କରି ଆସନ୍ତା ଦୁଇମାସ ମଧ୍ୟରେ ଉକ୍ତ ୨୩ଏକର ଜବଦଖଲ ଜାଗାକୁ ଉଚ୍ଛେଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।