Home ଜିଲ୍ଲା ପରିକ୍ରମା ଧାମନଗରରେ ତିନି ଏସକେପ ବନ୍ୟାର ମୁଖ୍ୟ କାରଣ

ଧାମନଗରରେ ତିନି ଏସକେପ ବନ୍ୟାର ମୁଖ୍ୟ କାରଣ

12

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦା ପଂଚାୟତର କାଞ୍ଜିଆପାଳ ଗାଁ ପାଇଁ ଦୁଃଖର କାରଣ ସାଜିଛି ଗେଙ୍ଗୁଟି ନଦୀର ତିନି ଏସକେପ। ଗାଁର ପଶ୍ଚିମରେ ଥିବା ଗାଇଛନ୍ଦା ଏସକେପ, ମଠ ମାହାରା ଓ କନକେଇ ଏସକେପ। ବନ୍ୟା ଆସିଲେ ବୈତରଣୀର ଶାଖା ନଦୀ ଗେଙ୍ଗୁଟି ର ପାଣି ଏହି ତିନି ଏସକେପ ବାଟେ ଗାଁ ଭିତରକୁ ପଶିଥାଏ। ଫଳରେ ଗାଁରୁ ଖଡ଼ିପଦାକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ିଯାଏ। ଠିକ ସେମିତି ଗାଇଛନ୍ଦା ଏସକେପ ପାଣିରେ ଆନନ୍ଦପୁର ପଂଚାୟତର ପାହାଡ଼ପୁର ସହ ଯୋଗାଯୋଗ ବିଛିନ୍ନ ହୋଇଯାଏ। ଏଣୁ ଗାଁରେ ରହୁଥିବା ୨୦୦ରୁ ଅଧିକ ପରିବାରର ଏକ ହଜାର ରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହନ୍ତି। ବଢ଼ି ପାଣି ନ ଛାଡ଼ିଲା ଯାଏ ଗାଁ ଭିତରେ ରହିବାକୁ ବାଧ୍ୟ ହୁଅନ୍ତି। ଏମିତିକି କେହି କେହି ନିଜ ଘରୁ ପଡ଼ିଶା ଘରକୁ ବି ଯାଇ ପାରନ୍ତି ନାହିଁ। ଗାଁ ଲୋକଙ୍କ ସୁବିଧା ପାଇଁ ଦୀର୍ଘ ବର୍ଷ ହେଲା ପାହାଡ଼ପୁର ଗାଇଛନ୍ଦା ଏସକେପ ଉପରେ ପୋଲଟିଏ କରିବାକୁ ଦାବି ହେଉଅଛି। ପଞ୍ଚାୟତ ବା ମୁଖ୍ୟାଳୟକୁ ଯୋଗାଯୋଗ କରିବା ସବୁବେଳେ ସମ୍ଭବ ନୁହଁ। କାରଣ କାଞ୍ଜିଆପାଳରୁ ଖଡ଼ିପଦାକୁ ଯିବା ପାଇଁ ହେଲେ ଦୁଇଟି ଏସକେପ ର ପାଣିକୁ ଅତିକ୍ରମ କରିବାକୁ ହେବ। ରାସ୍ତା ଉଚ୍ଚା କରିଦେଲେ ବନ୍ୟା ପାଣି ନିଷ୍କାସନ ହୋଇପାରିବ ନାହିଁ। ଆଉ ଉଚ୍ଚା ରାସ୍ତା ପାଇଁ ଅନାବଶ୍ୟକ ଭାବେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। କେବଳ ଗାଇଛନ୍ଦା ଉପରେ ପୋଲ ହୋଇଗଲେ ଗାଁ ଲୋକେ ପାହାଡ଼ପୁର ରୁ ଭାୟା ଆନନ୍ଦପୁର ହୋଇ ଯାଜପୁର ମେଡିକାଲକୁ ଯାଇପାରିବେ। ଛାତ୍ରଛାତ୍ରୀମାନେ ଯାଜପୁରର ବିଭିନ୍ନ କଲେଜ କୁ ପାଠ ପଡ଼ିବାକୁ ଯାଇପାରିବେ। ସ୍ୱାସ୍ଥ୍ୟସେବା ପାଇପାରିବେ। ଗାଇଛନ୍ଦା ଉପରେ ପୋଲ କରିବା ଲାଗି ସ୍ଥାନୀୟ ଲୋକେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ନିକଟରେ ଦାବି କରି ଆସିଥିଲେ। ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜଳ ସଂପଦ ବିଭାଗ ଓ ପୂର୍ତ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଭେ କରାଯାଇଛି। ଖୁବଶୀଘ୍ର ପୋଲ ନିର୍ମାଣ ହେବ ବୋଲି ଆଶା କରାଯାଉଛି। ତେବେ ଉକ୍ତ ତିନିଟି ଏସ କେପ ରେ ବନ୍ୟା ପାଣି ର ସ୍ଥାୟୀ ପ୍ରତିକାର ଜରୁରୀ ବୋଲି ସ୍ଥାନୀୟ ବାସୀ ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.