Home ଜିଲ୍ଲା ପରିକ୍ରମା ଧାମନଗରରେ ଜଳାଶୟ ଜବରଦଖଲ, ମାଡ଼ି ଆସୁଛି ମରୁଭୂମିକରଣର ବିପଦ

ଧାମନଗରରେ ଜଳାଶୟ ଜବରଦଖଲ, ମାଡ଼ି ଆସୁଛି ମରୁଭୂମିକରଣର ବିପଦ

5

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ଗଡ଼ିଆ, ପୋଖରୀ ଓ ବିଭିନ୍ନ ଜଳାଶୟର ସଂଖ୍ୟା କମିବାରେ ଲାଗିଛି। ଫଳରେ ଅଞ୍ଚଳର ପରିବେଶୀୟ ସମତା ଭଙ୍ଗ ହେବା ସହିତ ମରୁଭୂମିକରଣର ବିପଦ ମଧ୍ୟ ମାଡ଼ି ଆସୁଛି। ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପରିଚାଳିତ ବେଦାସ ପୋର୍ଟାଲର ତଥ୍ୟ ଅନୁସାରେ ଧାମନଗର ଅଂଚଳରେ ପ୍ରାୟ ୩ ପ୍ରତିଶତ ଜଳାଶୟ ହ୍ରାସ ପାଇଥିବା ବେଳେ ୨୦୧୮-୧୯ ମଧ୍ୟରେ ପ୍ରାୟ ୧୫ ପ୍ରତିଶତ ମରୁଭୂମିକରଣ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଅର୍ଥାତ୍ ଏହି ପରିମାଣର ଜମିରେ ଉର୍ବରତା କମି ଯାଇ ଜମି ପଡ଼ିଆ ପଡ଼ି ରହିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିଭିନ୍ନ ସ୍ଥାନରେ ଜଳାଶୟ ଓ ଆର୍ଦ୍ରଭୂମିକୁ ପୋତି ତାହାର ଉପରେ କମ୍ୟୁନିଟି ସେଂଟର, ଖେଳ ପଡ଼ିଆ, ଦୋକାନ ଘର ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ଖଡ଼ିପଦା ଛକରୁ ଦୋବଲ ରାସ୍ତା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଜଳାଶୟ ପୋତି ଦିଆଯାଇଥିବା ଦେଖାଯାଇଛି। ବଡ଼ ପୋଲ ପାଖରେ କିଛି ବ୍ୟକ୍ତି ଆର୍ଦ୍ରଭୂମିକୁ ପୋତି ଦୋକାନ ଘର ନିର୍ମାଣ ଆରମ୍ଭ କରିଥିବା ବେଳେ ଦକ୍ଷିଣକୁରୁଆ ଛକରେ ମଧ୍ୟ ଏଭଳି ଅନଧିକୃତ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ଧାମନଗରରୁ ଫଳପୁର ରାସ୍ତାରେ ଥିବା ନୟନଜୋରି ମଧ୍ୟ ଅନେକ ସ୍ଥାନରେ ପୋତି ଘର ଓ ଦୋକାନ ନିର୍ମାଣ କରାଯାଇଛି। ଏହି ନୟନଜୋରି ଅଂଚଳର ପାଣି ନିଷ୍କାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ସତ୍ୱେ ତହସିଲ ପ୍ରଶାସନର ଅବହେଳା ଯୋଗୁଁ ସରକାରୀ ଜମିରେ ଥିବା ଜଳାଶୟକୁ ଲୋକେ ପୋତି ଘର ଓ ଦୋକାନ ତିଆରି କରିଦେଇଛନ୍ତି। ବିଶେଷ କରି ବିରୁହାଁ ଓ ଜାହାଙ୍ଗୀର ଅଂଚଳରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଧାମନଗରରୁ ଚୁଡ଼ାକୁଟି ରାସ୍ତାରେ ମଧ୍ୟ ନୟନଜୋରି ପୋତି ଦୋକାନ ଘର, ଠାକୁର ଘର ଓ କମ୍ୟୁନିଟି ସେଂଟର ନିର୍ମାଣ ହୋଇଛି। ବିଶେଷତଃ ଧାମନଗର ବିଜ୍ଞାପିତ ଅଂଚଳରେ ଏହି ଜବରଦଖଲ ଘଟଣା ଅଧିକ ଦେଖାଯାଉଛି। ବ୍ଲକ ଛକରୁ ଧାମନଗର କୋର୍ଟ ରାସ୍ତାରେ ଉଭୟ ପାର୍ଶ୍ୱରେ ଥିବା ଖାଲ, ଗଡ଼ିଆ ଓ ପାଣି ନାଳକୁ ପୋତି ଦିଆଯାଇଛି। ଏନ୍‌ଏସି କର୍ତୃପକ୍ଷଙ୍କ ଅବହେଳା ଓ ଭୁଲ ଟାଉନ ପ୍ଲାନିଂ ଯୋଗୁଁ ବଢୁଥିବା ଧାମନଗର ସହର ଧୀରେଧୀରେ ଜଳାଶୟ ହୀନ ହୋଇଯାଉଛି। ଏହାର ପରିଣାମରେ ବର୍ଷାଦିନରେ ପାଣି ନିଷ୍କାସନ ଏକ ଗୁରୁତର ସମସ୍ୟା ହେବାର ଆଶଙ୍କା ଜନ୍ମ ନେଇଛି। ପୂର୍ବରୁ ମଧ୍ୟ ଜଗୁ ସାଗର ଚାରିପାଖ ଜବରଦଖଲ ହୋଇ ପାଣି ନିଷ୍କାସନ ରାସ୍ତା ବନ୍ଦ ହେବାରୁ ବର୍ଷାଦିନେ ଧାମନଗର ଥାନାରୁ ବଡ଼ବଜାର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଚାରି ଦିନ ଧରି ବର୍ଷା ପାଣି ଜମି ରହିଥିଲା ଓ ସହର ମଝିରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା। ପରିବେଶ ବିଶେଷଜ୍ଞମାନଙ୍କ ମତାନୁସାରେ ଜଳାଶୟ ହ୍ରାସ ପାଇବା ଫଳରେ ଗୁରୁତର ପରିବେଶଗତ, ସାମାଜିକ ଓ ଅର୍ଥନୈତିକ ସମସ୍ୟା ଉଦ୍ଭବ ହେବ। ଜୈବ ବିବିଧତାର କ୍ଷୟ, ମରୁଭୂମିକରଣର ବୃଦ୍ଧି, କୃଷି ଉତ୍ପାଦନ ହ୍ରାସ ଓ ଜଳ ସଂକଟ ଭଳି ସମସ୍ୟା ଆଗାମୀ ଦିନରେ ଦେଖାଦେବାର ଆଶଙ୍କା ରହିଛି। ଜଳାଶୟ ଶୁଖିଯିବା ଫଳରେ ମାଟିର ଆଦ୍ରତା କମୁଥିବା ବେଳେ ଭୂତଳ ଜଳର ପୁନଃଭରଣ ମଧ୍ୟ ବାଧାପ୍ରାପ୍ତ ହେଉଛି, ଯାହା ଆଗାମୀ ଦିନରେ ଭୂଗର୍ଭ ଜଳସ୍ତର ହ୍ରାସର କାରଣ ହେବ। ଏନେଇ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ କହିଛନ୍ତି ଯେ, କର୍ମଚାରୀ ଅଭାବ ଯୋଗୁଁ ଜବରଦଖଲ ଉପରେ ତତ୍‌ଷଣାତ୍ ପଦକ୍ଷେପ ନେବାରେ କିଛି ସମସ୍ୟା ହେଉଛି। ତଥାପି ଜଳାଶୟଗୁଡ଼ିକୁ ଜବରଦଖଲ ମୁକ୍ତ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.