Home ଜିଲ୍ଲା ପରିକ୍ରମା ଧାମନଗରରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡିରେ ପଡ଼ିଛି ୩୮ ହଜାର କ୍ୱିଂଟାଲ ଧାନ, କଟନି...

ଧାମନଗରରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡିରେ ପଡ଼ିଛି ୩୮ ହଜାର କ୍ୱିଂଟାଲ ଧାନ, କଟନି ଛଟନିରେ ଚାଷୀ ବେହାଲ

10

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଖରିଫ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଚଳିତ ବର୍ଷ ବ୍ଲକ ରୁ ୧ ଲକ୍ଷ ୭ ହଜାର ୪୨୨ କ୍ୱିଂଟାଲ ଧାନ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିଲାଗି ୧୨ ସେବା ସମବାୟ ସମିତି ଓ ୩ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ମଣ୍ଡି ଖୋଲିବାକୁ ଦାୟିତ୍ୱ ଦିଆଯାଇଛି। ଫେବ୍ରୁଆରି ୧୧ ସଂଧ୍ୟା ସୁଦ୍ଧା ୯୨ ହଜାର ୫୪୩ କ୍ୱିଂଟାଲ ଧାନ କିଣା ହୋଇଛି। ଏହା ଭିତରୁ ମିଲର ମାନେ ୫୪ ହଜାର ୩୧୮.୪୫ କ୍ୱିଂଟାଲ ଧାନ ମଣ୍ଡିରୁ ଉଠାଇଛନ୍ତି। ମଣ୍ଡିରେ ୩୮,୨୨୫.୦୩ କ୍ୱିଂଟାଲ ଧାନ ପଡ଼ି ରହିଛି। ଧାମନଗର ବ୍ଲକରେ ମୋଟ ଟାର୍ଗେଟ ର ପ୍ରାୟ ୮୬% ଧାନ କିଣା ସରିଥିବା ବେଳେ, କିଣାଯାଇଥିବା ଧାନର ପ୍ରାୟ ୪୧% ଏବେ ବି ମଣ୍ଡିରେ ପଡ଼ି ରହିଛି। ଚୁଡ଼ାକୁଟି ସୋସାଇଟି ୧୧,୫୮୩ କ୍ୱିଂଟାଲ ଧାନି କିଣିବାକୁ ଲକ୍ଷ୍ୟ ରଖିଥିବାବେଳେ ୧୧,୪୦୫.୬୭ କ୍ୱିଂଟାଲ ଧାନ କିଣି ଶୀର୍ଷରେ ରହିଛି। ସେହିପରି ଧାମନଗର ସୋସାଇଟିରେ ୧୦,୬୮୩ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ରଖିଥିଲା। ବୁଧବାର ସୁଦ୍ଧା ୧୦,୩୨୯.୩୩ କ୍ୱିଂଟାଲ ଧାନ କିଣିଛି। ହେଲେ ଧାନ ଉଠାଣ ପ୍ରକ୍ରିୟା ଧୀମା ଥିବାରୁ ସେଠାରେ ସର୍ବାଧିକ ୫,୧୯୬.୯୫ କ୍ୱିଂଟାଲ ଧାନ ମଣ୍ଡିରେ ପଡ଼ି ରହିଛି। କରଦା ସୋସାଇଟି ୪,୨୮୭ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ରଖିଥିଲା। ହେଲେ ସବୁଠାରୁ କମ୍ ୨,୪୫୯.୫୩ କ୍ୱିଂଟାଲ ଧାନ କିଣିଛି। ଚଳିତ ବର୍ଷ ଧାନ ବିକିବା ଲାଗି ଧାମନଗର ବ୍ଲକରେ ୬୪୩୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ବୁଧବାର ସୁଦ୍ଧା ୮୦ ପ୍ରତିଶତ ଚାଷୀଙ୍କୁ ଟୋକନ ମିଳିଥିବାବେଳେ ୨୦ ପ୍ରତିଶତ ଚାଷୀ ଟୋକନ ଅପେକ୍ଷାରେ ଅଛନ୍ତି। ଟୋକନ ମିଳିଥିଲେ ବି ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି କଟନି ଛଟନି। କଟନି ଛଟନି ନ କରିବା ଲାଗି ସରକାର ଯେତେ ତାଗିଦ୍ କରୁଥିଲେ ବି ମିଲରମାନେ ସେସବୁକୁ ଖାତିର କରୁନାହାନ୍ତି। ଏଫ୍‌ଏକ୍ୟୁ ମାନର ଆଳ ଦେଖାଇ ଧାମନଗର ବ୍ଲକର ସମସ୍ତ ମଣ୍ଡିରେ କ୍ୱିଂଟାଲରେ ୭ କିଲୋ ଲେଖାଏଁ କାଟି ଦେଉଛନ୍ତି। ଏଣୁ ଚାଷୀଟି କ୍ୱିଂଟାଲ ଧାନ ଉପରେ ଅଧିକ ୭ କିଲୋ ଅର୍ଥାତ ୧୦୭ କିଲୋ ଧାନ ଦେଇ ୧ କ୍ୱିଂଟାଲ ଧାନ ଦେଇଛି ବୋଲି ମାନି ନେଉଛି। ଖାଲି ଏତିକିରେ ଦୁଃଖ ସରୁନି। ମିଲରମାନେ ୧୦୭ କିଲୋ ଧାନ ଉପରେ ପୁଣି ଅଖା ବାବଦରେ ଧାନ କାଟୁଥିବା ଚାଷୀ କହିଛନ୍ତି। ଏସବୁ ହିସାବକୁ ଦେଖିଲେ ଧାନ କ୍ୱିଂଟାଲ ପ୍ରତି ୨୩୦୦ ଟଙ୍କା ଓ ବୋନସ ବାବଦରେ ଆଉ ୮୦୦ ଟଙ୍କା ମିଶାଇ ୩୧୦୦ ପାଇବା କଥା। କଟନିଛଟନି ଯୋଗୁଁ ଚାଷୀଟି ପ୍ରାୟ ୨୭୦୦ ଟଙ୍କା ପାଉଛି। ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ କଟନିଛଟନିକୁ ଅସ୍ୱୀକାର କରିଛନ୍ତି। ଏପଟେ ମିଲର ଆଉ ଧାନ କିଣିବ ନାହିଁ ବୋଲି କହିବା ପରେ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ପୁଣି ବର୍ଷା ହେଲେ ସୋସାଇଟି ରେ ପଡ଼ିଥିବା ଧାନ ନଷ୍ଟ ହେବାର ସମ୍ଭାବନା ବି ଅନେକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.