Home ଜିଲ୍ଲା ପରିକ୍ରମା ଧାମନଗର:ରିଲିଫରୁ ବଂଚିତ ୪ ପଂଚାୟତ : ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳ ପାଇଁ ଚେତାବନୀ ଦେଲେ ୪...

ଧାମନଗର:ରିଲିଫରୁ ବଂଚିତ ୪ ପଂଚାୟତ : ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳ ପାଇଁ ଚେତାବନୀ ଦେଲେ ୪ ସରପଂଚ

63

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକରେ ଚଳିତ ବର୍ଷ ଲଗାଣ ବର୍ଷା ପରେ ବନ୍ୟା ଦ୍ୱାରା ବ୍ଲକର ୩୧ ପଂଚାୟତ ଓ ଏନଏସିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ମାତ୍ର ସରକାରୀ ଭାବେ ୨୭ ପଂଚାୟତକୁ କ୍ଷତିଗ୍ରସ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ପରନ୍ତୁ ବ୍ଲକର କଲ୍ୟାଣୀ, ଗୋବିନ୍ଦପୁର, ଚୁଡାକୁଟୀ ଓ ଦଇପୁର ପଂଚାୟତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କୁ ରିଲିଫ ସାମଗ୍ରୀ ଦିଆନଯିବା ଏବଂ ଚାଷୀଙ୍କ କ୍ଷୟକ୍ଷତି ଆକଳନ ନକରିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଜି କଲ୍ୟାଣୀ ପଂଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ ୪ ପଂଚାୟତର ସରପଂଚମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉକ୍ତ ପଂଚାୟତ ପ୍ରତି ପାତରଅନ୍ତର ନିତି ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଲଗାଣ ବର୍ଷା ପରେ ରେବ, କପାଳି ଓ ବୈତରଣୀ ନଦୀର ବନ୍ୟା ଆସି ଚୁଡାକୁଟୀ, ସୋରିଷଡିହ, ବିଦ୍ୟାଧରପୁର, କୁସୁମା, କୋରୁଆ, ମଙ୍ଗଳପୁର, କସଟି, ବରଗଡା, ଗୋବିନ୍ଦପୁର ଯେନାସାହି, ତାମ୍ପଳା, ମାଙ୍କଡିଆ, ବନସର, କଲ୍ୟାଣୀନଗର, ତାଳସିଠା, ଜାଗୁଳାଇସାହି, କେସସାହି ପ୍ରଭୁତି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରଭାବିତ ବ୍ଲକର ୩୧ ପଂଚାୟତ ମଧ୍ୟରୁ ୨୭ ପଂଚାୟତକୁ ସରକାର ରିଲିଫ ସାମଗ୍ରୀ ବାବଦରେ ପରିବାର ପ୍ରତି ୫୦ କିଲୋ ଚାଉଳ ଓ ୫ଶହ ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି । କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ଉକ୍ତ ଅଂଚଳ ବନ୍ୟା ପ୍ରଭାବିତଚ ହୋଇଉଥିଲେ ମଧ୍ୟ ଏହି ରିଲିଫ ସାମଗ୍ରୀ ପାଇବାରୁ ସାଧାରଣ ଲୋକ ବଂଚିତ ହୋଇଛନ୍ତି । ପ୍ରଶାସନିକ ସ୍ତରରେ କୌଣସି ତଦନ୍ତ କରାନଯାଇ ୪ଟି ପଂଚାୟତକୁ ରିଲିଫ ପ୍ରକ୍ରିୟାରୁ କାଟି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସରପଂଚମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅପରପକ୍ଷେ ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବ ବର୍ଷ ବନ୍ୟା ସମୟରେ ଉକ୍ତ ପଂଚାୟତର କେତେକ ଗ୍ରାମକୁ ସରକାରୀ ବନ୍ୟା ସହାୟତା ଦିଆଯାଇଥିବା ବେଳେ ଚଳିତ ବନ୍ୟାରେ ପ୍ରଶାସନ କାହା ଇଙ୍ଗିତରେ ଏହି ୪ ପଂଚାୟତକୁ ବାଦ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରିକି ବ୍ଲକର ଉପରମୁଣ୍ଡରେ ଭଗବାନପୁର ପଂଚାୟତକୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇ ସେମାନଙ୍କୁ ସରକାରୀ ସହାୟତା ଦିଆଯାଇଥିବା ବେଳେ ଏହି ୪ ପଂଚାୟତକୁ କଣ ପାଇଁ ଅଣଦେଖା କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହି ୪ ପଂଚାୟତକୁ ବନ୍ୟା ପ୍ରଭାବିତ ଅଂଚଳ ଭାବେ ସାମିଲ କରିବାକୁ ସରପଂଚମାନେ ଧାମନଗର ବନ୍ୟା ଦାୟିତ୍ୱରେ ଥିବା ନୋଡାଲ ଅଫିସର ତଥା ପିଡି ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ଏଦିଗରେ ପ୍ରଶାସନ ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷା ବିଳାସିନୀ ଘୋଷ, କଲ୍ୟାଣୀ ପଂଚାୟତ ସରପଂଚ ରୀତାରାଣୀ ଜେନା, ଦଇପୁର ସରପଂଚ ରାଜୀବ ଲୋଚନ ନାୟକ, ଚୁଡାକୁଟୀ ସରପଂଚ ସରସ୍ୱତୀ ବେହେରା ଓ ଗୋବିନ୍ଦପୁର ସରପଂଚ ଜୟନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.