
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲ୍ଲା ଝାଡ଼ାବାନ୍ତି ପରେ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୁଇ ଦିନରେ ୭୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି । ରବିବାର ସଂଧ୍ୟା ୭୦ ଜଣ ଆକ୍ରାନ୍ତ ରେ ଚିକିତ୍ସା ପାଇଁ ଧାମନଗର ଡ଼ାକ୍ତର ଖାନା ଆସିଛନ୍ତି । ସେମାନଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଛଡ଼ାଯାଇଛି । ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏହାସହ ପରିସ୍ଥିତିର ମୁକାବିଲା ଲାଗି ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି । ଗତ ସପ୍ତାହେ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା । ଏବେ ବି ସ୍ଥିତିରେ ସୁଧାର ଆସିନି । ଅପରପକ୍ଷରେ ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା । ତିଖିଲିଆ ଅଂଚଳରୁ ୧୫ ରୁ ଅଧିକ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଧାମନଗର ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିଲା । ବକରିଦ ଓ ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ୟ ସାଂଗକୁ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣା ପଡ଼ିଛି । ରାଧାବଲ୍ଲଭପୁର ର ଗୋଟିଏ ପରିବାରର ୫ ଜଣ ଲୋକ କାଲିଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସାଲାଇନ ଓ ଇଂଜେକସନ ନେବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ରବିବାର ସକାଳୁ ଧାମନଗର ସହର ଓ ଏହାର ଆଖପାଖ ଅଂଚଳରୁ ୧୪ ଜଣ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ ସାଲାଇନ୍ ଓ ଇଂଜେକସନ ନେଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ଇଛଦା ର ଚାନ୍ଦ ମଣି ଜେନା, ବନ୍ଧଟିଆ ର ଗଣେଷ ଜେନା, ଦୁର୍ଗା ଜେନା, ବାସନ୍ତୀ ଜେନା, ମାତନ ଜେନା, ମାଆନ ଜେନା, ପଧାନି ର ରାଜଶ୍ରୀ ପୁହାଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ଧାମନଗର ମେଡ଼ିକାଲ ରେ ଚିକତ୍ସିତ ହେଉଛନ୍ତି ସେମାନେ ଏବେ ଗୁରୁତର ଥିବା ଜଣାଯାଇଛି ।ସେହି ପରି ଜାହାଙ୍ଗୀର, ତାଳପଦା, ନାଉରୀ ଗଡିଆ, ଦୋବଲ, ଗୋଠିଣା , ଆମ୍ବିଲିଗାଁ, ଗୁହାଳୀଆ, ବରଗଡିଆ, କାଜିମହଲା, ବନ୍ଧଟିଆ ଆଦି ଅଂଚଳ ରେ ମଧ୍ୟ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇ ଧାମନଗର ଡାକ୍ତରଖାନା ଅସି ଚିକିତ୍ସିତ ହୋଇ ଫେରି ଥିବା ବେଳେ କିଛି ରୋଗୀ ଭଦ୍ରକ ଓ କଟକ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି ।ଏହାସହ ପ୍ରତି ମୁହୂର୍ତରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଛି । ଏହାସହ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ସାଲାଇନ ଓ ଇଂଜେକସନ ମହଜୁଦ ରଖାଯାଇଛି । ସ୍ୱାସ୍ଥ୍ୟକର୍ମୀ ଙ୍କୁ ମଧ୍ୟ ସଜାଗ ରଖାଯାଇଛି ବୋଲି ଅଧୀକ୍ଷକ କହିଛନ୍ତି ।






