Home ଓଡ଼ିଶା ଧାନ ରୁଆବେଳେ ବଜ୍ରାଘାତରେ ଚାଷୀର ମୃତ୍ୟୁ

ଧାନ ରୁଆବେଳେ ବଜ୍ରାଘାତରେ ଚାଷୀର ମୃତ୍ୟୁ

116

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୃତ୍ୟୁ ଏମିତି ବି ଆସିପାରେ। ଚାଷ ଅଛି ଯାହାର କେତେ ସୁଖ ତାହାର। ସେ ସୁଖ ସୃଷ୍ଟି କରୁଥିବା ସମୟରେ ଜଣେ ଚାଷୀ ଧାନ ରୁଆବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୃତକ ତିହିଡି ତହସିଲ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମର ବିମ୍ବାଧର ମଳିକଙ୍କ ପୁଅ କାଳନ୍ଦୀ ମଳିକ (୨୫)। ଚଳିତ ଆଷାଢ ମାସରେ ବିବାହ କରିଥିଲେ। ମନରେ ଥିଲା ଅସୁମାରି ଖୁସି। ଚାଷ କରି ପରିବାର ପୋଷଣ କରିବାର ଅଭିପ୍ରାୟ ତାହା ଆଜି ଧୂଳିସାତ ହୋଇଯାଇଛି। ଦିନ ପ୍ରାୟ ୧ ଘଟିକା ସମୟରେ ଘର ଠାରୁ ପ୍ରାୟ ୨ କିଲୋମିଟର ଦୂରରେ କାଳନ୍ଦି ଧାନ ରୁଉଥିଲେ। ଏହି ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଗଭୀର ଆଘାତ ପାଇ ତଳେ ପଡିଯାଇଥିଲେ। କିଛି ଦୂରରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏକ ଅପମୃତ୍ୟୁ ମାମଲା ୯/୨୨ ରୁଜୁକରି ପୀରହାଟ ପୁଲିସ୍ ମେଡିକାଲରେ ପହଞ୍ôଚ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ସରପଞ୍ଚ ପବିତ୍ର ମୋହନ ମଳିକ, ଭୀମସେନ ବାରିକ, ପ୍ରଦୀପ ପରିଡା, ଶଙ୍କର୍ଷଣ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଧନେଶ୍ୱର ଆରଣ, ଭୀମସେନ ପ୍ରଧାନ, ଶିଶିର ପରିଡା, ସୁବାଷ ମଳିକ, ସନାତନ ଦାସ, ନିରାକାର ଦାସ, ସଂଜୟ ନାୟକ, ବେଣୁଧର ଦାସ, କାଳନ୍ଦି ଚରଣ ନାୟକ ପ୍ରମୁଖ କାଳନ୍ଦିଙ୍କୁ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ମୃତକ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.