ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମାଈ-ଅଣ୍ଡିଆ ଧାନ ଚାଷ କରି ତିହିଡି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଓ ବାରସର ପଂଚାୟତର ଚାଷୀମାନେ ଠକାମୀର ଶୀକାର ହୋଇଛନ୍ତି। ଯେଉଁ ଦୁଇଟି ସଂସ୍ଥା (ଭିଭିଆର ସିଡସ୍ ପ୍ରାଇଭେଟ୍ ଲିମିଟେଡ୍, ହାଇଦ୍ରାବାଦ ଓ ଟାଟା ରାଲିସ୍ କୋ ) ଜରିଆରେ ସଂପୃକ୍ତ ଚାଷୀମାନେ ୨୬୪ ଏକର ରବିଋତୁରେ ଧାନଚାଷ କରୁଥିଲେ। ଏହି ଦୁଇଟି ସଂସ୍ଥା ଧାନ ନେବା ପରେ ଚାଷୀଙ୍କ ପ୍ରାପ୍ୟ ୫୧ ଲକ୍ଷ ୪୩ ହଜାର ୮୮୭ ଟଙ୍କା ନଦେଇ ପଳାଇ ଯାଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଠକାମୀ ସଂପର୍କରେ ଚାଷୀମାନେ ପୀରାହାଟ ଥାନାରେ ଗତ ତା ୨୬.୦୭.୨୫ ରିଖରେ ଅଭିଯୋଗ କରିଥିଲେ। ଏହାମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କୁ ସୁଫଳ ମିଳିନାହିଁ। ଏଭଳି ପରିସ୍ଥିତିରେ ଦୁର୍ଦ୍ଦଶାଗ୍ରସ୍ତ ଚାଷୀମାନେ ଗତକାଲି ତା ୨୭.୦୮.୨୫ ରିଖ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ। ପୂର୍ବ ନିଷ୍ପତି ଅନୁଯାୟୀ ଏହି ଦୁଇଟି ପଂଚାୟତର ଚାଷୀମାନେ ଦୁଇଦିନ ଧରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି। ଧାରଣାରତ ଚାଷୀମାନେ ହେଲେ ପ୍ରଶାନ୍ତ ନାୟକ, ସଂଜୟ ମାଝୀ, କୈଳାସ ପଣ୍ଡା, ହୃଷିକେଶ ପଣ୍ଡା, ଆନନ୍ଦ ଦାସ, ପ୍ରତାପ ଦାସ, ତୁଳସୀ ଦାସ, ସୁଷମା ଦାସ, ପଦ୍ମଲୋଚନ ଦାସ, ଉପେନ୍ଦ୍ର ଦାସ, ସରୋଜ ନାୟକ ପ୍ରମୁଖ।








