Home ଜିଲ୍ଲା ପରିକ୍ରମା ଧାନ କିଣାରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହିତ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ...

ଧାନ କିଣାରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହିତ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ଉତ୍ସବର ସିଧା ପ୍ରସାରଣ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ, ଗଡ଼ିଲା ସଚେତନତା ରଥ

20

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଦ୍ୱାରା ଧାନକ୍ରୟ ଯୋଜନାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଶୁଭାରମ୍ଭ କରାଯିବା ଅବସରରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପରି ଭଦ୍ରକ ଜିଲ୍ଲାରେ ଉକ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆର୍‌.ଏମ୍‌.ସି ପରିସରରେ ଆୟୋଜିତ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଏବଂ ଅନ୍ୟତମ ସମ୍ମାନିତ ଅତିଥିଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ଆସିଥିବା ପ୍ରାୟ ୩ ହଜାର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଧାନକିଣା ବ୍ୟବସ୍ଥା ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ଜରିଆରେ ସଚେତନ କରାଇଥିଲେ । ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ । କଟନୀ ଛଟନୀ ଆଦୌ ରହିବ ନାହିଁ । ମାତ୍ର ଏଥିପାଇଁ ଚାଷୀମାନଙ୍କୁ ସମ୍ପୁର୍ଣ୍ଣ ପରିଷ୍କାର ଓ ଶୁଖିଲା ଧାନ ଝୋଟ ଅଖାରେ ପୁରାଇ ମଣ୍ଡିକୁ ଆଣିବାକୁ ହେବ । ମୋବାଇଲକୁ ମେସେଜ୍ ଆସିବା ଜରିଆରେ ଚାଷୀମାନେ ଧାନ ବିକିବା ପାଇଁ ଟୋକନ୍ ପାଇବେ ଏବଂ ଟୋକନ ପାଇବାର ୩୦ ଦିନ ମଧ୍ୟରେ ଧାନ ବିକିବାକୁ ହେବ । ଧାନ ବିକିବାର ୪୮ ଘଂଟା ମଧ୍ୟରେ ଅର୍ଥ ଜମା ଖାତାକୁ ଆସିବ । ଏସବୁ ପାଇଁ ବିକ୍ରୟ କରିବାକୁ ଚାହୁଁଥିବା ଧାନକୁ ଚାଷୀମାନଙ୍କୁ ଏଫ୍‌.ଏ.କ୍ୟୁମାନର କରିବାକୁ ହେବ । ଧାନର ଆର୍ଦ୍ରତା ରହିବ ନାହିଁ । କଂଚା, ପୋକା, ବେରଙ୍ଗୀ, ପାଣିଫୁଲା ଧାନ ହେବ ନାହିଁ କି ଧାନରେ ମାଟି, ଗୋଡ଼ି, ବାଲି, ଧୂଳି, ଧୂଷ, ଅଗାଡ଼ି ଆଦି ମିଶି ନଥିବ । ଏହି ପ୍ରକାର ଧାନ ଏଫ୍‌. ଏ.କ୍ୟୁ ମାନର ଗଣା ହେବ ଏବଂ ଏହାକୁ ପ୍ଲାଷ୍ଟିକ୍ ଆଖା ନୁହଁ ଝୋଟ ଅଖାରେ ପୁରାଇ ନିଜର ପାଳି ଅନୁଯାୟୀ ମଣ୍ଡିକୁ ନେଇ ବିକିଲେ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କା ଚାଷୀଙ୍କୁ ମିଳିବ ବୋଲି ଅତିଥିମାନେ ବୁଝାଇଥିଲେ । ସରକାରଙ୍କର ଏହି ଧାନ କ୍ରୟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀମାନଙ୍କର ସମ୍ପୁର୍ଣ୍ଣ ସହଯୋଗ ଆବଶ୍ୟକ ବୋଲି ମଧ୍ୟ ସେମାନେ ପ୍ରକାଶ କରିଥିଲେ । ଚାଷୀମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ଅଂଚଳରେ ପରିକ୍ରମା କରିବାକୁ ଥିବା ରଥ ସବୁକୁ ଅତିଥିମାନେ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ସରକାରୀ ଦରରେ ଧାନକ୍ରୟ ନେଇ ଚାଷୀମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ସଂଗୀତ ଓ ଦୃଶ୍ୟାବଳୀ ପରିବେଷଣ କରାଯାଇଥିଲା । ଚାଷୀମାନଙ୍କ ଉଦ୍ଦ୍ୟେଶରେ କୃଷି, ଉଦ୍ଦ୍ୟାନ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଫ୍‌.ଏ.କ୍ୟୁ ମାନର ଧାନ ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସଭା ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପ୍ରଦର୍ଶନ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର ପିଲାଙ୍କ ଦ୍ୱାରା ବେଶ୍ ଆକର୍ଷଣୀୟ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ସହକାରୀ କୃଷି ଅଧିକାରୀ ଅନୁରାଧା ପଣ୍ଡା ମଂଚ ପରିଚାଳନା କରିଥିଲେ । ସଂପୃକ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାପରିଷଦ ସଦସ୍ୟ, ସରପଂଚ ଆଦି ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.