Home ଓଡ଼ିଶା ଧାନ କିଣାରେ ବ୍ୟାପକ ତ୍ରୁଟି – ଚାଷୀ ଅଭାବୀ ବିକ୍ରିର ଶୀକାର – ପଶ୍ଚିମ ଓଡ଼ିଶାର...

ଧାନ କିଣାରେ ବ୍ୟାପକ ତ୍ରୁଟି – ଚାଷୀ ଅଭାବୀ ବିକ୍ରିର ଶୀକାର – ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡି ବୁଲିଲେ କଂଗ୍ରେସର ତଥ୍ୟ ଅନୁଧ୍ୟାନକାରୀ କମିଟି

444

ଭୁବନେଶ୍ୱର, ୧୦/୧୨(ଓଡ଼ିଆ ପୁଅ) – ରାଜ୍ୟ ସରକାର ଭୁବନେଶ୍ୱରରୁ ଚଳିତ ଥର ଟୋକନ୍ ଦେବା ନିଷ୍ପତି କରିଥିବାରୁ ଧାନ ବିକ୍ରି ପାଇଁ ଚାଷୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାର ଜଣାପଡ଼ିଛି। ଧାନ କ୍ରୟ ବ୍ୟବସ୍ଥାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପିସିସି ପକ୍ଷରୁ ଗଠିତ ତଥ୍ୟ ଅନୁଧ୍ୟାନକାରୀ କମିଟିରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପିସିସି ସଭ୍ୟ ସମରେନ୍ଦ୍ର ମିଶ୍ର, କୃଷକ ସେଲ୍ ଉପାଧ୍ୟକ୍ଷ ସୁଧିର ପରିଚ୍ଛା, ସମ୍ବଲପୁର କୃଷକ ସେଲ୍ ସଭାପତି ଗୋବିନ୍ଦ ମିଶ୍ରଙ୍କୁ ନେଇ ଏକ ୫ ଜଣିଆ ଟିମ୍ ଇତି ମଧ୍ୟରେ ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ମଣ୍ଡି ପରିଦର୍ଶନ କରିବା ସମୟରେ ଏହିି ଟିମ୍ ଚାଷୀମାନଙ୍କ ଠାରୁ ଟୋକନ୍ ପ୍ରକ୍ରିୟାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିଥିଲେ। ସରକାର ଚାଷୀଙ୍କଠାରୁ ସବୁ ବଳକା ଧାନ କିଣିବାକୁ ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାପାଳ କେଉଁ ଅଂଚଳରୁ କେତେ ଧାନ କିଣାଯିବ ନିଷ୍ପତି କରିବା ସହ ଜଳସେଚିତ ଅଂଚଳରୁ ୧୯ କ୍ୱିଂଟାଲ ଓ ଅଣଜଳସେଚିତ ଅଂଚଳରୁ ୧୩ କ୍ୱିଂଟାଲ ଧାନ କିଣିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏଥିରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି। ଚାଷୀ ଏବେ କେତେ ଧାନ ବିକିବେ ଜାଣିବା କାଠିକର ପାଠ। ବିଭିନ୍ନ ସ୍ଥାନରେ ଧାନ ମଣ୍ଡିର ଭିତିଭୂମି ନ ଥିବା, ଜଙ୍ଗଲ ଅଂଚଳକୁ ଫୋନ୍ ମ୍ୟାସେଜ୍ ନ ପହଂଚିବା ଏବଂ ବହୁ ସମୟରେ ନେଟ୍ ଧିମା ଥିବା ଯୋଗୁଁ, ଚାଷୀଙ୍କ ଧାନ ବିକ୍ରି କରା ଯାଇ ପାରୁନାହିଁ। ଧାନ କ୍ରୟ ସୀମା ଏହି ଅଂଚଳ ପାଇଁ ନଭେମ୍ବର ୧୫ରୁ ଫେବୃୟାରୀ ୧୫ ଧାର୍ଯ୍ୟ କରାଯାଇଥିବା ବେଳେ ହୀରାକୁଦ କେନାଲ ଜଳସେଚିତ ଅଂଚଳରୁ ଉତ୍ପାଦିତ ଧାନ ଯଦି ଜାନୁୟାରୀ ସୁଦ୍ଧା ଯୁଦ୍ଧକାଳୀନ ଭିତିରେ କିଣା ନ ଯାଏ, ଚାଷୀ ରବି ଧାନ ବିକିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଅନେକ ବୟସ୍କ ଚାଷୀ ମଧ୍ୟ ଧାନ କିଣା କେନ୍ଦ୍ରକୁ ଯାଇ ପାରୁ ନାହାନ୍ତି। ଜମିଜମା ତଥ୍ୟ ନେଇ ଭାଗଚାଷୀର ଧାନ କିଣିବାରେ ସରକାରଙ୍କ ନୀତି ବାଧକ ସାଜିଛି। ଏବେ ସୁଦ୍ଧା ହଜାର ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ଚାଷୀ ଅନଲାଇନ ସିଷ୍ଟମର ବିଳମ୍ବତା ଦୃଷ୍ଟିରୁ ବାଧ୍ୟ ହୋଇ ମଣ୍ଡିରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି। ଅନ୍‌ଲାଇନ୍ ଟୋକନ୍ ପାଇବାକୁ ହେଲେ ପ୍ରଥମେ ସୋସାଇଟିର ସମ୍ପାଦକଙ୍କୁ ଜଣାଇବାକୁ ପଡ଼ୁଛି। ସମ୍ପାଦକ ଭୁବନେଶ୍ୱର କର୍ତୁପକ୍ଷଙ୍କୁ ଜଣାଇଲା ପରେ ଟୋକନ୍ ଆସୁଛି ଫଳରେ ଟୋକନ୍ ପାଇବାରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି। ସରକାର ୨୪ ଘଂଟା ମଧ୍ୟରେ ଚାଷୀର ପ୍ରାପ୍ୟ ଦେବାପାଇଁ ଘୋଷଣା କରିଥିବା ବେଳେ ଅନେକ ଜାଗାରେ ଚାଷୀ ଧାନ ଦେଇ ଟଙ୍କା ପାଇବା ପାଇଁ ୪/୫ ଦିନ ଅପେକ୍ଷା କରୁଛି। ଚାଷୀଙ୍କଠାରୁ କିଣାଯାଉଥିବା ଧାନରେ ବ୍ୟାପକ କଟଣିଛଟଣୀ ଚାଲିଛି। ସରକାରଙ୍କ ପକ୍ଷରୁ ଏହି ସବୁ ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ କମିଟି ସଦସ୍ୟମାନେ ଦୃଢ଼ ଦାବି କରିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଗତ ନିର୍ବାଚନର ବରଗଡ଼ କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ପ୍ରଦୀପ୍ତ ଦେବତା, ପୂର୍ବତନ ବିଧାୟକ ନିହାର ମହାନନ୍ଦ, ବିଧାୟକ ପ୍ରାର୍ଥୀ ଲିପନ୍ ଦାସ, ସରୋଜ ମହାପାତ୍ର, ଦିଲ୍ଲୀପ ପଣ୍ଡା, ବରଗଡ଼ ଜିଲ୍ଲା କୃଷକ ସେଲ୍ ସଭାପତି ଦୟାସାଗର ମେଣ୍ଡଲୀ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ସୋନପୁରର କଂଗ୍ରେସ ନେତା ଚିତରଞ୍ଜନ ମିଶ୍ର ପ୍ରମୁଖ ନେତୃମଣ୍ଡଳୀ ଓ ଏହି ଅଂଚଳର ଶତାଧିକ ଚାଷୀ ମଣ୍ଡି ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.