Home ଜିଲ୍ଲା ପରିକ୍ରମା ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ

ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ

27

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ଧାନମଣ୍ଡି ମାନଙ୍କରେ ବିଭିନ୍ନ ସମସ୍ୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କେଉଁ ମଣ୍ଡିରେ ଟାର୍ଗେଟ ନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନାହିଁ ତ କେଉଁ ମଣ୍ଡିରୁ ଚାଷୀ ଧାନ ବିକ୍ରି କରି ମଧ୍ୟ ଠିକ୍ ସମୟରେ ପଇସା ପାଇ ପାରୁନାହିଁ। ଆହୁରି କେତେକ ମଣ୍ଡିରେ ମିଲର ଧାନ ନେଉ ନଥିବାରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ିରହିଛି। ଯେଉଁଥିପାଇଁ ଚାଷୀ ଆଇସ୍କାନ୍ କରିନପାରି ଅପେକ୍ଷା କରି ବସି ରହିଛି। ଚାଷୀଟିଏ ଟୋକନ ପାଇବା ପରେ ମଣ୍ଡିରେ ଧାନ ଦେଇ ଦେଉଛି। ମାତ୍ର କେତେକ ନିର୍ଦ୍ଦିଷ୍ଟ ମିଲର ଧାନ ମଣ୍ଡିରୁ ନେଉନଥିବାରୁ ଚାଷୀର ଧାନକୁ ଗୋରୁଗାଈ ଷଣ୍ଢ ନଷ୍ଟ କରୁଛନ୍ତି। ଯାହାଫଳରେ ଚାଷୀ କ୍ଷତିଗ୍ର୍ରସ୍ତ ହେଉଛି। ବାମନବିନ୍ଧା ସେବା ସମବାୟ ସମିତିରେ ୧୫୧୪ ଚାଷୀ ପଞ୍ଜୀକୃତ କରିଥିଲେ। ତନ୍ମଧ୍ୟରୁ ଅଦ୍ୟାବଧି ୬୮୭ ଚାଷୀଙ୍କ ଠାରୁ ୨୫୪୪୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସମବାୟ ସମିତିକୁ ୨୫୬୭୯ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ଆହୁରି ୨୦ ହଜାର କୁଇଣ୍ଟାଲ ଟାର୍ଗେଟର ଆବଶ୍ୟକତା ରହିଛି। ସମବାୟ ସମିତି ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଥିଲେ ମଧ୍ୟ ଠିକ୍ ସମୟରେ ମିଲର ଧାନ ନେଉନଥିବା ଅଭିଯୋଗ ହୋଇଛି। ଜାମଯୋଡ଼ି ସେବାସମବାୟ ସମିତି ମଣ୍ଡି ୧୭୮୮୩ କୁଇଣ୍ଟାଲ ଟାର୍ଗେଟ ପାଇଥିଲା ବେଳେ ୧୮୭୬ କୁଇଣ୍ଟାଲ ଧାନ କ୍ରୟ କରିସାରିଛି। ଇତିମଧ୍ୟରେ ଟାର୍ଗେଟ ନଥିବାରୁ ୫୧ ଚାଷୀଙ୍କର ୧୦୦୦ କୁଇଣ୍ଟାଲ ଟୋକନ ଲାବ୍‌ସ କରିଛି। ତେବେ ଆହୁରି ୫ହଜାର କୁଇଣ୍ଟାଲ ଟାର୍ଗେଟର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି। ଚାରିତରଫ ସମବାୟ ସମିତିରେ ୧୬୭୧୫ କୁଇଣ୍ଟାଲ ଟାର୍ଗେଟ ପାଇଥିବା ବେଳେ ୧୫୭୧୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏହି ସମବାୟ ସମିତିକୁ ଧାନ ଉଠାଇବା ପାଇଁ ଦାୟିତ୍ୱ ଦିଆଯାଇଥିବା ଏକ ମିଲର ଧାନ ନେବାରେ ଅବହେଳା କରୁଥିବାରୁ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି ବୋଲି ଜଣାପଡ଼ିଛି। ମଣ୍ଡି ସୁପରଭାଇଜିଂ ଅଫିସର ଶ୍ରୀକାନ୍ତ ଜେନା ପ୍ରତ୍ୟେକ ମଣ୍ଡିକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରୁଛନ୍ତି। ଏହି ରିପୋର୍ଟ ମୂଳେ ପ୍ରଶାସନ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.