Home ଜିଲ୍ଲା ପରିକ୍ରମା ଧାନକ୍ରୟ ନେଇ ଚାଷୀ ହନ୍ତସନ୍ତ, ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ପକ୍ଷରୁ ୧୬ନଂ ଜାତୀୟ ରାଜପଥ...

ଧାନକ୍ରୟ ନେଇ ଚାଷୀ ହନ୍ତସନ୍ତ, ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ପକ୍ଷରୁ ୧୬ନଂ ଜାତୀୟ ରାଜପଥ ଅବରୋଧ

23

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମକୁ ଟୋକନ ଦେଇଛ, ଆମ ଧାନ ନିଅ । ନହେଲେ ଆମେ ଧାରଣାରୁ ଉଠିବୁନାହିଁ ବୋଲି କହି ଆଜି ଭଦ୍ରକର ବନ୍ତଛକଠାରେ ୧୬ ନଂ ଜାତୀୟ ରାଜପଥ ଅବରୋଧ କାଳରେ କହିଥିଲେ ବହୁ ଚାଷୀ । ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକର ୧୬ନଂ ଜାତୀୟ ରାଜପଥରେ । ଚାଷୀମାନଙ୍କ ଅଭିଯୋଗରୁ ଯାହା ଜଣାଯାଏ, ଭଦ୍ରକ ଗେଲଟୁଆ ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା’ ତାରିଣୀ ମହାସଂଘକୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ଥିର ହୋଇଥିଲା । ଏହି ମହାସଂଘ ମାଧ୍ୟମରେ ୨୯ ହଜାର ୭୨୪ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍ ଦିଆଯିବା ସହ ଚାଷୀମାନଙ୍କୁ ଟୋକନ୍ ମଧ୍ୟ ଦିଆଯାଇଥିଲା । ମାତ୍ର ୧୬ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ଯାହାଫଳରେ ଫେବୃୟାରୀ ୩ ତାରିଖ ଠାରୁ ୧୦ ତାରିଖ ମଧ୍ୟରେ ଥିବା ୭ ହଜାର କ୍ୱିଣ୍ଟାଲର ଟୋକନ ଲାପ୍ସ ହୋଇଯାଇଛି । ଏଥିଯୋଗୁଁ ଋଣ କରି ଧାନ ବିକ୍ରିଲବ୍ଧ ଅର୍ଥ ପରିଶୋଧ କରିନପାରି ବହୁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଟାର୍ଗେଟ୍ ଦିଆଯାଉନଥିବାବେଳେ ମହାସଂଘ ଚାଷୀଙ୍କ ଧାନ କିଣିବାରୁ ବଂଚିତ ହୋଇଛି । ଏହି ଘଟଣାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଧାନକ୍ରୟକୁ ନେଇ ଉପରୋକ୍ତ ଚାଷୀମାନଙ୍କ ପକ୍ଷରୁ ବହୁବାର ଜିଲାପାଳଙ୍କ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ଅଧିକାରୀ ଓ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା । ଯାହାକୁ ନେଇ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଆଜି ଉକ୍ତ ପଂଚାୟତର ଶତାଧିକ ଚାଷୀଙ୍କ ୪୦ ରୁ ଉର୍ଦ୍ଧ୍ୱ ଧାନ ବୋଝେଇ ଟ୍ରାକ୍ଟର ଧରି ୧୬ନଂ ଜାତୀୟ ରାଜପଥକୁ ପ୍ରାୟ ୪୫ ମିନିଟ୍ ଅବରୋଧ କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନରଖି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲା । ଏବଂ ଯେପର୍ଯ୍ୟନ୍ତ ସରକାର ଉକ୍ତ ଧାନ କ୍ରୟ ନକରିଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଡି ବସିଥିଲେ । ପରବର୍ତ୍ତୀ ସମୟରେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପୀତାମ୍ବର ସାମଲଙ୍କ ସହ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ଉତ୍ତର ଓଡ଼ିଶା ସଭାପତି ଭବେନ୍ଦ୍ର ସାହୁଙ୍କ ସମେତ ଏକ ଚାଷୀ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏବଂ ସମସ୍ତ ଧାନକୁ ସେମାନଙ୍କ ମଣ୍ଡିରେ ସରକାର କ୍ରୟ କରିବାର ପ୍ରତିଶ୍ରୁତି ମିଳିବା ପରେ ଉକ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.