ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡି ଜରିଆରେ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ଦରରେ କିଣାଯିବା ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ପରେ ଗତ ଜାନୁୟାରୀ ୫ ତାରିଖରୁ ଧାନକିଣା ଆରମ୍ଭ କରାଯାଇଛି। ସଠିକ୍ ଭାବେ ଧାନକିଣା କାର୍ଯ୍ୟ ସମ୍ପାଦନ ନେଇ ତଦାରଖ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ଜିଲ୍ଲାପାଳ ଦିଲୀପ ରାଉତରାୟ ମଣ୍ଡି ପରିଦର୍ଶନ ଅବସରରେ ବିନା କଟନୀ ଛଟନୀରେ ଧାନ ବିକ୍ରୟ କରିଥିବା କେତେ ଜଣ ଚାଷୀଙ୍କ ଠାରୁ ଶୁଣିଥିଲେ ବି ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କଟନୀ ଛଟନୀ ଚାଲୁଥିବା ନେଇ ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ପହଂଚୁଥିଲା। ଏହାର ସତ୍ୟତା ପରୀକ୍ଷଣ ପାଇଁ ଶନିବାର ଅପରାହ୍ନରେ ଜିଲ୍ଲାପାଳ ଜଣେ ଚାଷୀବେଶରେ ହଠାତ୍ ଯାଇ ଧାମନଗର ର କଟ୍ସାହି ଧାନମଣ୍ଡିରେ ପହଂଚିଥିôଲେ। ହାଫ୍ ପ୍ୟାଂଟ, ଗଞ୍ଜି ପିନ୍ଧି, ବେକରେ ଗାମୁଛା ପକାଇ, ପାଦରେ ଚପଲ, ମୁହଁରେ ମାସ୍କ ଲଗାଇ ଅନୁରୂପ ବେଶରେ ନିଜର ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ନେଇ ମଣ୍ଡି ସଂଲଗ୍ନ ପରିବା ବଜାରରେ ୩ ଘଂଟା ବିତାଇ ଥିଲେ। ମଣ୍ଡିରେ ଧାନ ବିକ୍ରୟ ବ୍ୟବସ୍ଥା ନେଇ ଚାଷୀମନାଙ୍କୁ ବିଭିନ୍ନ ବିଷୟ ପଚାରି ବୁଝିଥିଲେ ଏବଂ ଶେଷରେ ନିଜେ ଜଣେ ଚାଷୀର ପରିଚୟ ନେଇ ୪ ତାରିଖକୁ ମିଳିଥିବା ଟୋକନ୍ରେ ଧାନ ବିକ୍ରୟ ପାଇଁ ମଣ୍ଡି ସମ୍ପାଦକଙ୍କୁ ଜଣାଇ କଟନୀ ଛଟନୀ ବାବଦରେ ଜାଣିବାକୁ ଚାହିଁଥିଲେ। ୮ କେ.ଜି. ପର୍ଯ୍ୟନ୍ତ କଟନୀ ହେବା ନେଇ ସମ୍ପାଦକଙ୍କ ଠାରୁ ଜାଣି ଅଭିଯୋଗର ସତ୍ୟତାକୁ ଉପଲବ୍ଧି କରି ଉକ୍ତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏ.ଆର.ସି.ଏସ୍.ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ କି ଧାନ କିଣାରେ ମିଲରମାନଙ୍କ ମନମାନି ସମସ୍ୟାକୁ ଦୂର କରିବା ପାଇଁ ବାହାର ମିଲରଙ୍କୁ ଜିଲ୍ଲାରୁ ଧାନ କିଣିବା ପାଇଁ ଅନୁମତି ପ୍ରଦାନ ସମ୍ବନ୍ଧେ ସରକାରଙ୍କ ଅନୁମୋଦନ ପ୍ରାପ୍ତିପରେ ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ଯାଜପୁରରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ସମୁଦାୟ ୧୫ ଜଣ ମିଲର ସମ୍ମତି ପ୍ରକାଶ କରିଛନ୍ତି। ଆବଶ୍ୟକ ଅମାନତ ଜମା ପ୍ରଦାନ ଓ କାଗଜାଦି କାର୍ଯ୍ୟ ପରେ ସେମାନେ ଧାନ କିଣା ଆରମ୍ଭ କରିବେ ବୋଲି ଜଣାଯାଇଛି। ପ୍ରକାଶ ଥାଉ କି ଫେବୃୟାରୀ ୩ ଜାରିଖ ସୁଦ୍ଧା ଜିଲ୍ଲାରୁ ସମୁଦାୟ ୧୧୯୨୨୯୬.୨୩ କ୍ୱିଂଟାଲ ଧାନ କିଣାଯାଇଛି। ସେଥିରୁ ୧୦୧୬୮୮୮.୨୩ କ୍ୱିଂଟାଲ ଧାନ ମିଲର ମାନେ ମଣ୍ଡିରୁ ଉଠାଇ ସାରିଥିବା ବେଳେ ୧୭୫୪୦୮ କ୍ୱିଂଟାଲ ଧାନ ମଣ୍ଡିରେ ପଡ଼ି ରହିଛି।
Home ଜିଲ୍ଲା ପରିକ୍ରମା ଧାନକିଣା ସୁବ୍ୟବସ୍ଥିତ ପାଇଁ ଅଧିକ ସକ୍ରିୟ ହେଉଛି ଜିଲ୍ଲା ପ୍ରଶାସନ, ଛଦ୍ମବେଶରେ ମଣ୍ଡି ପରିଦର୍ଶନ କଲେ...