Home କେନ୍ଦ୍ରାପଡ଼ା ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ

ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ

16

କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ) – ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହେଉଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମରେ ଗତ ୧୯୧୯ ମସିହା ଜାନୁଆରୀମାସ ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ଧର୍ମପୁରୁଷ ସ୍ୱର୍ଗତ ଧନୁର୍ଜୟ ବିଶ୍ୱାଳ। ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଚରଣାଶ୍ରିତ, ବିଶିଷ୍ଟ ସମାଜସେବୀ ଓ ଧର୍ମପୁରୁଷ ସ୍ୱର୍ଗତ ବିଶ୍ୱାଳ ଜଣେ ଭଗବତ ଗୀତାର ସାରମର୍ମ କର୍ମ, ଭକ୍ତି, ଜ୍ଞାନ ଓ ଧ୍ୟାନ ଯୋଗର ପରମ ଉପାସକ ଓ ସଫଳ ପୁରୁଷ ରୂପେ ଯେତିକି ନମସ୍ୟ ତାଙ୍କର ଚରମ ତ୍ୟାଗନିଷ୍ଠା ଏବଂ ଦାନଧର୍ମର ପରାକାଷ୍ଠା ସେତିକି ପ୍ରଶଂସନୀୟ। ସେ ଜଣେ ଆଦର୍ଶ ମାନବତାବାଦୀ ମହାମାନବ। ସେ ପ୍ରଚଣ୍ଡ ସ୍ୱାଭିମାନୀ। ସେ ଜଣେ ସଫଳ ଧର୍ମପ୍ରଚାରକ ଭାବରେ ମନୁଷ୍ୟ ମନୁଷ୍ୟ ଭିତରେ ଥିବା ଭାଇଚାରା ଓ ଭଲପାଇବାର ସମ୍ପର୍କ ସୁତ୍ରକୁ ଉଦଘାଟିତ କରି ସେ ଏକ ବାସ୍ତବ ଧର୍ମର ଚିନ୍ତାଧାରା ନେଇ ଭାରତର ବହୁ ଧର୍ମାନୁଷ୍ଠାନ, ଚାରିଧାମ ଓ ଜ୍ୟୋର୍ତିଲିଙ୍ଗ ପ୍ରଭୃତି ଭ୍ରମଣ କରି ଧର୍ମଯାଜକରେ ପରିଣତ ହୋଇ ସନାତନ ଧର୍ମ ପ୍ରଚାର କରିଯାଇଛନ୍ତି। ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଭକ୍ତ ସଂପ୍ରଦାୟଙ୍କ ମଧ୍ୟରେ ଠାକୁରଙ୍କ ମୂଳ ଚିନ୍ତାଧାରାର ସର୍ବଧର୍ମ ସମନ୍ୱୟାତ୍ମକ ସନ୍ଦେଶର ବାହକ ରୂପେ ଦୟାର୍ଦ୍ରହୃଦୟ, ଆଶ୍ରିର୍ବାଦପରାୟଣ ସତ୍ୟନିଷ୍ଠ ବ୍ୟକ୍ତି। କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ପ୍ରଥମ ଅଧ୍ୟକ୍ଷ ଭାବେ ସେ ସର୍ବତ୍ର ପରିଚିତ। ଗୁରୁଦତ୍ତ ଦିବ୍ୟଜ୍ଞାନରେ ଉଦଭାସିତ ତାଙ୍କ ମୁଖମଣ୍ଡଳ। ସେ ଧର୍ମର ମର୍ମଜ୍ଞ ତଥା ଜଣେ ଅନୁଭବୀ ମହାପୁରୁଷ। ଦୁର୍ଦ୍ଦିନ ସମୟରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟକରି ଜଣେ ଦାନଧର୍ମ ନିଷ୍ଠ ବ୍ୟକ୍ତିର ପ୍ରକୃତ ପରିଚୟ ସୃଷ୍ଟି କରିଯାଇଛନ୍ତି। ବିଭିନ୍ନ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ଐକ୍ୟ ସୃଷ୍ଟି କରିବାରେ ସେ ଜଣେ ସଫଳ ସାଧକ। ବିଚକ୍ଷଣ ଭାବରେ ସେ ନିଜର ସ୍ୱଭାବ ସୁଲଭ ସରଳ ତରଳ ଭାବଗର୍ଭକ ଭାଷାରେ ସର୍ବଧର୍ମର ସାର କେବଳ ଭାତୃଭାବ ବୋଲି ବଜ୍ରକଣ୍ଠରେ ଉଦଘୋଷଣ କରିଥାନ୍ତି। ସତ୍ୟ ଓ ନ୍ୟାୟ ସପକ୍ଷରେ ନିଜର ସୁଦୃଢ ମତବ୍ୟକ୍ତ କରିବାରେ ସେ କେବେହେଲେ ପଶ୍ଚାତପଦ ହୋଇନାହାନ୍ତି। ଜଣେ ଧର୍ମ ସଂଗ୍ରାମୀ ଭାବରେ ସେ ନିଜର ସ୍ୱ ଧର୍ମରେ ସର୍ବଦା ଅଚଳ ଅବିଚଳ ମହାମେରୁ ରୂପେ ସର୍ବଜନରେ ପରିଚିତ। ଯୈାଥ ପରିବାରର ସଫଳ ସାରଥି ସେ। ତାଙ୍କର ଦୃଢ ମନୋବଳ ତାଙ୍କୁ ଜୀବନର ଅନେକ ସଂଗ୍ରାମରେ ବିଜୟ ଆଣିଦେଇଛି। ସେ ଅବିଶ୍ରାନ୍ତ ଭାବରେ କର୍ମଠ ଏବଂ ମାନବ ଜୀବନର ସ୍ୱାଦ ଅସ୍ୱାଦନ କରିବାରେ ଅଭିଜ୍ଞ। ସେ ସ୍ପଷ୍ଟବାଦୀ ନୀରୋଗ ଶରୀରଧାରୀ ଏବଂ ନିରହଂକାରୀ ଭାବରେ ସର୍ବଜନାଦୃତ ଥିଲେ। ପ୍ରତିବର୍ଷ ପରି ଚଳିତଥର ତାଙ୍କର ୧୦୨ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ବସପୁରରେ ଏକଦିବସୀୟ ଆଧ୍ୟାତ୍ମିକ ଦାନଧର୍ମ ସମାରୋହ ଅନୁଷ୍ଠିତ ହେଉଛି। ଏହି ଅବସରରେ ଧର୍ମଯଜ୍ଞ – ଗୀତାପାଠ, ଦୀପଦାନ ଓ ଦାନଧର୍ମ (ଫଳ, ଅନ୍ନ, ବସ୍ତ୍ର ) ଧର୍ମକାର୍ଯ୍ୟମାନ ଅନୁଷ୍ଠିତ ହେବ। ତାଙ୍କର ସେହି ମହନୀୟ ଚିନ୍ତାଧାରା ଓ ଧର୍ମମାର୍ଗକୁ ଊତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.