Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ଜାଲିଆନାୱାଲାବାଗ ରକ୍ତତୀର୍ଥ ଇରମ୍‌ର ସୁରକ୍ଷା , ଏବଂ ଉନ୍ନତି ନିମନ୍ତେ ଜାତୀୟ ମାନବାଧିକାର ଆୟୋଗଙ୍କ...

ଦ୍ୱିତୀୟ ଜାଲିଆନାୱାଲାବାଗ ରକ୍ତତୀର୍ଥ ଇରମ୍‌ର ସୁରକ୍ଷା , ଏବଂ ଉନ୍ନତି ନିମନ୍ତେ ଜାତୀୟ ମାନବାଧିକାର ଆୟୋଗଙ୍କ ନୋଟିସ

58

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଦ୍ୱିତୀୟ ଜାଲିଆନାୱାଲାବାଗ ରକ୍ତତୀର୍ଥ ଇରମର ସୁରକ୍ଷା ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସାମାଜିକ ସୁରକ୍ଷା ଦେବା ତଥା ରାଜ୍ୟ ପର୍ଯ୍ୟଟନ ବିକାଶ ପ୍ରାଧିକରଣ ଦ୍ୱାରା ରକ୍ତତୀର୍ଥ ଇରମ୍ ଠାରେ ଏକ ଭାରତର ସର୍ବପ୍ରଥମ “ସ୍ୱାଧୀନତା ସଂଗ୍ରାମୀ ବ୍ୟାଖ୍ୟା କେନ୍ଦ୍ର” ଆଗାମୀ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ନିର୍ମାଣ ସାରିବ । ଇରମ୍‌ର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୬ ବର୍ଷ ହେଲା ୨୦୧୪ ମସିହାରୁ ଚାଲିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଜାତୀୟ ମାନବାଧିକାର ଆୟୋଗ ଭଦ୍ରକ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରୀ କରିଛନ୍ତି । ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଏର କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା (କେଶ୍ ନଂ୨୪୭୮/୧୮/୧୮/୨୦୧୪) କୁ ବିଚାରକୁ ମାନ୍ୟବର ଆୟୋଗ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ତ୍ରିପାଠୀ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମଧ୍ୟ ଅନୁରୂପ ପିଟିସନ ଦାଏର କରିଥିଲେ । ଦୁଇଟି ଯାକ ପିଟିସନରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଥମ ପର୍ଯ୍ୟାୟରେ ଉତ୍ତର ଦେବାକୁ କୁହାଯାଇଥିଲା । ତେବେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ରକ୍ତତୀର୍ଥ ଇରମକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ତଥା ରାଜ୍ୟ ସଂଗ୍ରହାଳୟରେ ଶହୀଦ୍ ଓ ସଂଗ୍ରାମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଲେରୀ କରାଯାଇଥିବା ଉଲ୍ଲେଖ କରି ରାଜ୍ୟ ସରକାର ମାନ୍ୟବର ଆୟୋଗ ତଥା ଶ୍ରୀ ତ୍ରିପାଠୀଙ୍କୁ ଜଣାଇଥିଲେ । ବିଶେଷ ଉଲ୍ଲେଖଯୋଗ୍ୟ ଏହିକି, ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଗୁଳିରେ ୨୮ ଜଣ ଶହୀଦ୍ ହୋଇଥିବାବେଳେ ୫୦ ରୁ ଅଧିକ ସଂଗ୍ରାମୀ ଆହତ ହୋଇଥିଲେ । ଯେଉଁଥିପାଇଁ ଏହାକୁ ଭାରତ ଜାତୀୟ ଆନ୍ଦୋଳନ ଇତିହାସରେ ଦ୍ୱିତୀୟ ଜାଲିଆନାୱାଲାବାଗ୍ ଆଖ୍ୟା ଦିଆଯାଇଛି । ଶ୍ରୀ ତ୍ରିପାଠୀଙ୍କ ଆବେଦନ ମୂଳେ ୨୦୧୫ ମସିହାରେ ରାଜ୍ୟ ମ୍ୟୁଜିୟମ୍‌ରେ ଶହୀଦ୍ ସ୍ମାରକୀ ଗ୍ୟାଲେରୀ ପ୍ରତିଷ୍ଠା ହେବାର ଯୋଜନା ଓ ଇରମ୍‌କୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି ସତ, ମାତ୍ର ପ୍ରକୃତ ପକ୍ଷେ କୌଣସି ଆଖିଦୃର୍ଶିଆ ପଦକ୍ଷେପ ନିଆଯାଇ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଶହୀଦ୍ ଓ ସଂଗ୍ରାମୀ ପରିବାରର ପରବର୍ତ୍ତୀ ପିଢ଼ି ବଂଶଧର ମାନଙ୍କୁ ସମାଜ ମଙ୍ଗଳ ଯୋଜନାରେ ସଂପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ତ୍ରିପାଠୀ କରିଥିବା ଆବେଦନକୁ ଭଦ୍ରକ ଜିଲ୍ଲାପାଳ ଗୁରୁତର ଗ୍ରହଣ କରି ବାସୁଦେବପୁର ବିଡ଼ିଓଙ୍କୁ ଚିଠି ସଂଖ୍ୟା-୧୨୯୬/ଏମ୍‌.ସି. ମୂଳେ କ୍ଷତ୍ରିୟ ତଦନ୍ତ କରି ପ୍ରତିଟି ଶହୀଦ୍ ଓ ସଂଗ୍ରାମୀ ପରିବାରକୁ ସଂପୂର୍ଣ୍ଣ ଭାବରେ ସରକାରୀ ଯୋଜନାରେ ସାମିଲ କରିବା ଚିଠି କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଏହିକି ତିନିବର୍ଷ ପୂର୍ବରୁ ଇରମ୍‌ର ହୀରକ ଜୟନ୍ତୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ୧ କୋଟି ଟଙ୍କା ଭିତ୍ତିଭୂମିର ବିକାଶ ପାଇଁ ଦେବେ ବୋଲି ଘୋଷଣା କରିଥିଲେ । ଯାହାକି ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନାହିଁ । ଏତଦ୍‌ବ୍ୟତୀତ ନିକଟ ଅତୀତରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନରେ ଭଦ୍ରକର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଇରମ୍‌କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ପାଇଁ ମଧ୍ୟ ଦାବୀ କରିଥିଲେ । ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ଶହୀଦ ସଂଗ୍ରାମୀ ପରିବାରଙ୍କ ବିକାଶ ପାଇଁ ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.