Home ଜିଲ୍ଲା ପରିକ୍ରମା ଦୋକାନ ଗୃହ ଭାଙ୍ଗିବାକୁ ନେଇ ୧୭ଜଣଙ୍କ ନାମରେ ମାମଲା ରୁଜୁ

ଦୋକାନ ଗୃହ ଭାଙ୍ଗିବାକୁ ନେଇ ୧୭ଜଣଙ୍କ ନାମରେ ମାମଲା ରୁଜୁ

7

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା କିଛି ଦୋକାନ ଗୃହକୁ ଭାଙ୍ଗାଯିବାକୁ ନେଇ ତିହିଡ଼ି ଥାନାରେ ୧୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ କେଶ ନଂ୨୬୧/୨୫, ଦଫା ୧୨୬(୨), ୧୧୫(୨), ୭୪, ୩୦୩(୨), ୩୨୪(୪), ୩୫୧(୨), ୩(୫) ବିଏନଏସରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗ କାରିଣୀ ବିଶ୍ୱମୈତ୍ରୀ ନାୟକଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ତିହିଡ଼ି ବଜାରରେ ଥିବେ ମିର୍ଜାପୁର ମୌଜା ଅଧୀନ ଖାତା ନଂ ୧୦୫୩, ପ୍ଲଟ ନଂ ୨୪୬୨, ଘରବାଡ଼ି କିସମର ୮ଡିସ୍ମିଲ ଜମି ବିଶ୍ୱମୈତ୍ରୀଙ୍କ ଶଶୁର ଘରର ଅଂଶୀଦାରମାନଙ୍କ ଜଏଂଟ ସମ୍ପତି ଅଟେ। ଏହି ସମ୍ପତିକୁ ନେଇ ଜିଲ୍ଲା ଜଜ କୋର୍ଟଙ୍କ ଅଦାଲତରେ କେଶ ନଂ ଆର.ଏଫ.ଏ-୧୧୫/୨୦୨୪ ଏବଂ ଚକବନ୍ଦୀ ଅଦାଲତରେ କେଶ ନଂ ଆର.ଏଲ. ନହ ୨୦/୨୦୨୫ ବିଚାରାଧୀନ ଅଛି। ଏ ସମ୍ପର୍କରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗା ଯାଇଛି। ମାତ୍ର ଜୁଲାଇ ୨୯ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ଅଂଶୀଦାର ଦିପ୍ତୀମୟୀ ବେହୁରା, ଜ୍ୟୋତିରଂଜନ ବେହୁରା, ଦୀପକ ବେହୁରା, ରବିନାରାୟଣ ବେହୁରାଙ୍କ କଥାରେ ପରିଚାଳିତ ହୋଇ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଜେସିବି ଲଗାଇ ତାଙ୍କ ଦୋକାନ ଗୃହକୁ ଭାଙ୍ଗୁଥିଲେ। ଖବର ପାଇ ବିଶ୍ୱମୈତ୍ରୀ ଏବଂ ତାଙ୍କର ପୁଅ ତାଳଧ୍ୱଜ ଘଟଣା ସ୍ଥଳରେ ପହଂଚି ଦୋକାନ ଗୃହ ଭଙ୍ଗାକୁ ବିରୋଧ କରିଥିଲେ। ମାତ୍ର ଅପରପକ୍ଷମାନେ ଖଣ୍ଡା ଭୁଜାଲି ଧରି ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରୁ ମାରି ଦେବା ପାଇଁ ମରଣାନ୍ତକ ଆକ୍ରମଣ କରିବା ସହିତ ବିଶ୍ୱମୈତ୍ରୀଙ୍କୁ ଅସଦାଚରଣ କରି ତଳେ ପକେଇ ଦେଇଥିଲେ। ଏଥି ସହିତ ତାଙ୍କୁ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳି ଗୁଲଜ କରି ସେଠାରେ ଥିବା ସିସିଟିଭିକୁ ଭାଙ୍ଗି ଦେଇଥିଲେ। ଏହି ଦୋକାନ ଗୃହକୁ କେତେକ ଦୋକାନୀ ଭଡ଼ା ସୂତ୍ରରେ ନେଇଥିଲେ। ସେହି ଦୋକାନ ଗୃହରେ ଥିବା ୫ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ଆଇନର ଆଶ୍ରୟ ନେଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଚମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.