Home ଜିଲ୍ଲା ପରିକ୍ରମା ଦେଶ ଭବିଷ୍ୟତର ମୁଖ୍ୟ ଆଧାର ଶିକ୍ଷା ଓ ଶିକ୍ଷକ, ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ...

ଦେଶ ଭବିଷ୍ୟତର ମୁଖ୍ୟ ଆଧାର ଶିକ୍ଷା ଓ ଶିକ୍ଷକ, ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ – ୨୦୨୪

5

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ଭବିଷ୍ୟତ ଗଠନ ଉତମ ଶିକ୍ଷକ ହାତରେ ଥାଏ । ଶିକ୍ଷକତା ଏକ ସମ୍ମାନନୀୟ ବୃତି । ଗୁରୁ ଶିଷ୍ୟ ପରମ୍ପରା ଆମ ଭାରତୀୟ ସଂସ୍କୃତିର ଗର୍ବ । ଜଣେ ଉତମ ଶିକ୍ଷକ ହିଁ ନିଜର ଶିଷ୍ୟକୁ ଉତମ ଓ ଚରିତ୍ରବାନ ନାଗରିକ ଭାବେ ଗଢ଼ି ତୋଳିଥାନ୍ତି ଯିଏ ରାଷ୍ଟ୍ର ନିର୍ମାଣରେ ସହାୟକ ହୁଏ । ତେଣୁ ଶିକ୍ଷା ଓ ଶିକ୍ଷକ ଆମ ଦେଶ ଭବିଷ୍ୟତର ମୁଖ୍ୟ ଆଧାର । ଏ ଦୁଇ ଦିଗରେ ଯଥେଷ୍ଟ ଉନ୍ନତି ହେବା ଜରୁରୀ । ଶିକ୍ଷକମାନେ ଆମକୁ ରାସ୍ତା ଦେଖାନ୍ତି ରାସ୍ତାରେ ଚାଲିବା ଆମର କର୍ତବ୍ୟ । ଆମେ ସମସ୍ତେ ଆଜି ଯେଉଁ ପଦ ପଦବୀରେ ଅଛୁ ସେସବୁ ମୂଳରେ ଶିକ୍ଷକ ଓ ବାପା, ମାଆଙ୍କ ଅବଦାନ ଅନନ୍ୟ । ତେଣୁ ଆଜିର ଛାତ୍ରମାନେ କାଲି ଯିଏ ଯେତେ ଉପରକୁ ଗଲେ ମଧ୍ୟ ନିଜର ଗୁରୁ ଏବଂ ବାପା, ମାଆଙ୍କୁ ଭୁଲିବା ଉଚିତ୍ ନୁହେଁ ବୋଲି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବରେଣ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଏବଂ ଅନ୍ୟତମ ସମ୍ମାନୀତ ଅତିଥିଭାବେ ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ଚରଣ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ୧୫ ଜଣ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଭଦ୍ରକ ଜିଲ୍ଲାର ସମୁଦାୟ ୧୧୩୨ ଜଣ ଛାତ୍ର-ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଗଲା । ଏମାନଙ୍କ ମଧ୍ୟରେ ୨୫ ଜଣ ବିଦ୍ୟାର୍ଥୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କୃତ ହୋଇଥିବା ସଂଖ୍ୟା ମଧ୍ୟରେ ୭୦୭ ଜଣଙ୍କୁ ବ୍ଲକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୧୩ ଜଣଙ୍କୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର, ମୁଖ୍ୟମନ୍ତ୍ରୀ ଭାଷାବୃତିରେ ୧୭୦, ରେସନ୍ କାର୍ଡ଼ ଅନ୍ତର୍ଭୁକ୍ତ ଆଧାରରେ ୧୧୭ ଜଣଙ୍କୁ ମେରିଟ୍ ସ୍କଲାରସିପ୍ ପ୍ରଦାନ କରାଗଲା । ଜିଲ୍ଲା ସ୍ତରରେ ଏହି ପୁରସ୍କାର ରାଶି ୧୦ ହଜାର, ବ୍ଲକ୍ ସ୍ତରରେ ୫ ହଜାର ଓ ମେରିଟ୍ ସ୍କଲାରସିପ୍ ୫୦ ହଜାର ଟଙ୍କା ରାଜ୍ୟସ୍ତରରୁ ପିଲାମାନଙ୍କ ଏକାଉଂଟକୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଭାଷାବୃତି ଯୋଜନାରେ ୫୦୦୦ ଟଙ୍କା ଲେଖାଏଁ ପିଲାଙ୍କ ଏକାଉଂଟକୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟକି ହାଇସ୍କୁଲ ପରୀକ୍ଷାରେ ଓଡ଼ିଆରେ ୯୦ ନମ୍ବରରୁ ଉର୍ଦ୍ଧ୍ୱ ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀର ଭଦ୍ରକ ଜିଲ୍ଲାରୁ ସମୁଦାୟ ୧୭୦ ଜଣ ମୁଖ୍ୟମନ୍ତ୍ରୀ ଭାଷାବୃତି ପାଇଥିଲାବେଳେ ଏଥିରେ ସର୍ବୋଚ୍ଚ ୯୭ ନମ୍ବର ପର୍ଯ୍ୟନ୍ତ ପିଲା ରଖିଥିବାର ସୂଚନା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ମଧ୍ୟାହ୍ନ ୧୨ଟାରୁ ଆଭାସି ଜରିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ଓ ସଫଳତା ନେଇ ଆଧାରିତ “ଗୁରୁଜୀରୁ ଗୁରୁ ଦାୟିତ୍ୱ” ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଭଦ୍ରକ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ ମଂଚ ପରିଚାଳନା କରିଥିଲେ । ଦୁଇ ଏ.ଡି.ଇ.ଓ., ପ୍ରଣୟ ନାୟକ ଏବଂ ଜଗବଂଧୁ ସାହୁ, ୭ଟି ବ୍ଲକର ୬ ଜଣ ବି.ଇ.ଓ, ଏ.ବି.ଇ.ଓ., ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.