Home ଜିଲ୍ଲା ପରିକ୍ରମା ଦୁର୍ନିତୀର ଗନ୍ତାଘର ପାଲଟିଛି ଶ୍ରମ କାର୍ଯ୍ୟାଳୟ, ଶ୍ରମିକ ନେତାଙ୍କ ଗୁରୁତର ଅଭିଯୋଗ

ଦୁର୍ନିତୀର ଗନ୍ତାଘର ପାଲଟିଛି ଶ୍ରମ କାର୍ଯ୍ୟାଳୟ, ଶ୍ରମିକ ନେତାଙ୍କ ଗୁରୁତର ଅଭିଯୋଗ

82

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ନିତୀର ଗନ୍ତାଘର ପାଲଟିଛି ଭଦ୍ରକ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଗତ ଦେଢ଼ ବର୍ଷର ଘଟଣାବଳୀରୁ ଏହା ସ୍ପଷ୍ଟ ହୋଇଯାଇଛି । ୨୦୧୯ ମସିହା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ତତ୍କାଳୀନ ଜିଲ୍ଲା ଶ୍ରମାଧିକାରୀ ଯସ୍ମିନ ସାହୁଙ୍କ ଏକ ଅଡିଓ ଟେପ ଭାଇରାଲ ହୋଇଥିଲା । ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ୩୦ହଜାର ଟଙ୍କା ନେବା ପରେ ମଧ୍ୟ ଏତିକି ଯଥେଷ୍ଟ ନୁହେଁ କହି ଜନୈକ ଶ୍ରମିକ ନେତାଙ୍କ ସହିତ ମୂଲଚାଲ କରିବା ଅଡିଓ ଭାଇରାଲ ହୋଇଥିଲା । ଏହାର ତଦନ୍ତ କରି ଜିଲ୍ଲାପାଳ ଶ୍ରମ କମିଶନରଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ତଦନ୍ତ ରିପୋର୍ଟ ଆଧାରରେ ଶ୍ରୀମତୀ ସାହୁଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ସେହିପରି ଚଳିତ ମାସ ୧ତାରିଖ ଜନୈକ ଠିକା ସଂସ୍ଥାର ଶ୍ରମ ଲାଇସେନ୍ସ ନବିକରଣ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେଇ ବିଭାଗୀୟ କନିଷ୍ଠ କିରାଣୀ ସୁଧାକର ବାରିକ ଧରାପଡ଼ି ଗିରଫ ହୋଇଛନ୍ତି । ତେଣୁ ଏହି କାର୍ଯ୍ୟାଳୟରେ ଦୁର୍ନୀତି ଛାଇ ଯାଇଥିବାର ଅଭିଯୋଗ ହୋଇ ଆସୁଥିବାବେଳେ, ଏହି ଦୁଇଟି ଘଟଣା ତାହାର ପ୍ରମାଣ ବୋଲି ଚର୍ଚ୍ଚା ହେଉଛି । ତେବେ ତତ୍କାଳୀନ ଶ୍ରମାଧିକାରୀ ଶ୍ରୀମତୀ ସାହୁଙ୍କୁ ଜଣେ ଶ୍ରମିକ ନେତାଙ୍କ ସହ ହୋଇଥିବା କଥାବାର୍ତ୍ତାର ଭାଇରାଲ ଅଡ଼ିଓ ଆଧାରରେ ନିଲମ୍ବନ କରାଯାଇଥିଲା । କିନ୍ତୁ ଏହି ଅଡ଼ିଓରେ ଉକ୍ତ କାର୍ଯ୍ୟାଳୟର ମଲ୍ଲିକ ବାବୁ ଓ ଟୁଟୁ ବାବୁଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲେ ମଧ୍ୟ ସେମାନେ କିଏ ସେମ୍ପର୍କରେ ତଦନ୍ତ କରାଗଲା ନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇଜଣ ବ୍ୟକ୍ତି ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ । ଇତିମଧ୍ୟରେ ଦେଢ଼ ବର୍ଷ ବିତିଯାିଥିଲେ ମଧ୍ୟ ସେହି ୨ଜଣଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହାକୁ ନେଇ ନିର୍ମାଣ ଶ୍ରମିକ ମହଲରେ ଚର୍ଚ୍ଚା ଲାଗି ରହିଛି । ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡକୁ ବିଚାରକୁ ନିଆଯାଉ ନାହିଁ । ବହୁତ ଥିଲାବାଲା ଲୋକ ମଧ୍ୟ ଏହି ନିର୍ମାଣ ଶ୍ରମିକ କାର୍ଡ଼ ହାତେଇବାରେ ସକ୍ଷମ ହୋଇଛନ୍ତି । ଯାହାର ପ୍ରମାଣ ନିକଟ ଅତୀତରେ ଦେଖିବାକୁ ମିଳିଛି । କରୋନା ଲକ ଡାଉନ ସମୟରେ ସରକାର ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହହାର ଟଙ୍କାର ଅନୁକମ୍ପା ରାଶୀ ଘୋଷଣା କରିଥିଲେ । ଏହି ସମୟରେ ବନ୍ତ ଥାନାର ଜଣେ ହୋମଗାର୍ଡ଼ ଉକ୍ତ ଅନୁକମ୍ପା ରାଶୀ ଉଠାଉଥିବାର ଫଟୋ ସାମଜିକ ଗଣମାଧ୍ୟମରେ ଆସିଥିଲା । କିନ୍ତୁ ତାଙ୍କ ବିରୁଦ୍ଧରେ ତଦନ୍ତ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସେହିପରି ୧୦ହଜାର ଶ୍ରମିକଙ୍କ ଦେଢ଼ କୋଟି ଟଙ୍କା ବଣ୍ଟନ ହୋଇ ପାରିଲା ନାହିଁ ।

ଯାହାକି ନିର୍ମାଣ ଶ୍ରମିକ ଚୟନ କ୍ଷେତ୍ରରେ ହେଉଥିବା ଦୁର୍ନିତୀକୁ ସୂଚାଉଛି । ବିଭିନ୍ନ ବ୍ଲକରେ ବହୁ ସଂଖ୍ୟକ ଦଲାଲ ଏବେ ସକ୍ରିୟ ଅଛନ୍ତି । ଯେଉଁମାନେକି ଲୋକଙ୍କ ଠାରୁ ୨ହଜାରରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ସେମାନଙ୍କ ନିର୍ମାଣ ଶ୍ରମିକ ପରିଚୟପତ୍ର କରାଉଛନ୍ତି । ଏସମସ୍ତ ଦଲାଲଙ୍କୁ କିଛି ଶ୍ରମିକ ସଂଗଠନ ମଧ୍ୟ ସହଯୋଗ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି । କାରଣ ସେମାନଙ୍କ ବିନା ସହଯୋଗରେ ଏପରି କାର୍ଡ଼ ମିଳିବା ସମ୍ଭବ ନୁହେଁ । ଠିକ ଏତିକିବେଳେ, ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ ସମିତିର ସଭାପତି ତଥା ସଂଗଠନର ରାଜ୍ୟ ସମ୍ପାଦକ ନାରାୟଣ ନାୟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନିତୀ ବିରୋଧରେ ସ୍ୱର ଉଠାଇଛନ୍ତି । କନିଷ୍ଠ କିରାଣୀ ଗିରଫ ହୋଇଛନ୍ତି ସତ, କିନ୍ତୁ ଚାଲିଥିବା ଦୁର୍ନୀତିର ପଶ୍ଚାତଭାଗରେ ଥିବା ବଡ ଅଫିସର ଓ କର୍ମଚାରୀମାନେ ତଦନ୍ତରୁ ଖସି ଯାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗିରଫ କନିଷ୍ଠ କିରାଣୀ ଶ୍ରୀ ବାରିକ ଦାବି କରିଥିବା ୧୩ହଜାର ଟଙ୍କା କଣ କେବଳ ତାଙ୍କ ପକେଟକୁ ଯାଇ ଥାଆନ୍ତିକି ବୋଲି ସେ ପ୍ରଶ୍ନ କରିଛନ୍ତି । ଆବେଦନକାରୀଙ୍କ ଆବେଦନପତ୍ର ପଞ୍ଜିକରଣ ପାଇଁ ପଡ଼ି ରହୁଥିବାବେଳେ, କେତେକ ଦଲାଲ ଟଙ୍କା ଦେଇ ତୁରନ୍ତ ନିର୍ମାଣ ଶ୍ରମିକ ପରିଚୟପତ୍ର ହାତେଇ ଚାଲିଛନ୍ତି । ୨୦୧୭ ମସିହାରୁ ଅଦ୍ୟାବଧି ହଜାର ହଜାର ସଂଖ୍ୟାରେ ବିଭିନ୍ନ ସହାୟତା ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ପଡି ରହିଥିବା ବେଳେ ସେଗୁଡିକୁ ସମାଧାନ କରାଯାଉନାହିଁ । ଜିଲ୍ଲାରେ ଶ୍ରମିକ ସମସ୍ୟା ଅତି ଉତ୍କଟ ଅବସ୍ଥା ଧାରଣ କରିଛି । କିନ୍ତୁ କେବଳ ଲାଞ୍ଚ କାରବାର କରି ଏହି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ନୂତନ ଶ୍ରମିକ ପଞ୍ଜିକରଣ କରିବା ବାସ୍ତବ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ସଅଷ୍ଟି କରିଛି ବୋଲି ସେ କହିଛନ୍ତି । ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ ତଥ୍ୟ ପ୍ରଦାନକାରୀ ଅଧିକାରୀ କେହି ନାହାନ୍ତି ବୋଲି କହି ଏହାକୁ ଏଡାଇ ଦିଆ ଯାଉଛି । ତେଣୁ ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ବାସ୍ତବ ଅବସ୍ଥାକୁ ଦେଖି ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ ଆୟୁକ୍ତ ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.