Home ଜିଲ୍ଲା ପରିକ୍ରମା ଦୁଇ ହତ୍ୟା ଅଭିଯୁକ୍ତ ଆଜୀବନ ବନ୍ଦୀଙ୍କୁ ମୁକ୍ତ କରାଗଲା

ଦୁଇ ହତ୍ୟା ଅଭିଯୁକ୍ତ ଆଜୀବନ ବନ୍ଦୀଙ୍କୁ ମୁକ୍ତ କରାଗଲା

46

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ଗୃହ ବିଭାଗ ନିର୍ଦ୍ଦେଶ ମତେ ୨ ଆଜୀବନ ବନ୍ଦୀ ଯଥା ସାବରଙ୍ଗ ଥାନା ଅଧିନସ୍ଥ ବେନ୍ତାଳ, ଜଗନ୍ନାଥପୁର ଗ୍ରାମର ଜଗବନ୍ଧୁ ବେହେରାଙ୍କ ପୁତ୍ର ବିଷ୍ଣୁ ମୋହନ ବେହେରା ଓ ଆଗରପଡା ଥାନା ଅନ୍ତର୍ଗତ କୁସୁନପୁର ଗ୍ରାମର ଅନନ୍ତ ଗିରିଙ୍କ ପୁତ୍ର ପିତାମ୍ବର ଗିରିଙ୍କୁ ଭଦ୍ରକ ଜେଲରୁ ମୁକ୍ତ କରାଯାଇଛି। ନିଜର ବ୍ୟବହାରିକ ପରିବର୍ତନ, ମନସ୍ତାପ, ବୟସାଧିକ ଓ ଅବଶିଷ୍ଟ ଜୀବନ ସମାଜର ମୁଖ୍ୟ ସ୍ରୋତରେ ସାଧାରଣ ଜୀବନ ବିତେଇବା ପାଇଁ ସେମାନଙ୍କୁ ମୁକ୍ତ କରା ଯାଇଛି ବୋଲି ଜେଲରେ ଋଷିନାଥ ନାୟକ କହିଛନ୍ତି।ସେମାନଙ୍କୁ ଗତ କାଲିର ଗୃହ ବିଭାଗ ନିର୍ଦ୍ଦେଶ ନାମା ଅନୁଯାୟୀ ଜେଲରୁ ଆଜି ସକାଳେ ମୁକ୍ତି ଦେବା ବେଳେ ଫୁଲ ତୋଡ଼ା ଦେଇ ସ୍ୱାଗତ କରିବା ସହ ସେମାନଙ୍କର ଦୀର୍ଘ ନିରୋଗ ଜୀବନ କାମନା କରିଥିଲେ। ୧୯୯୯ ମସିହା ରଜ ସଂକ୍ରାନ୍ତି ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗନ୍ନାଥ ପୁର ଗ୍ରାମର ଭାଗିରଥି ଜେନାଙ୍କ ପରିବାର ଲୋକ ରଜ ଉତ୍ସବ ମନଉଥିବା ବେଳେ ନିକଟସ୍ଥ ପଦ୍ମପୁର ଗ୍ରାମର ସଂଗ୍ରାମ ରାଉତଙ୍କ ନେତୃତ୍ୱରେ କିଛି ଲୋକ ହାତରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଯାଇଥିଲେ. ସେମାନଙ୍କୁ ଘର ଭିତରେ ଥିବା ପାର୍ବତୀ ଜେନା ଭିତର ପାଖରୁ କବାଟ ବନ୍ଦ କରି ଦେବାରୁ ଦୁର୍ବୃତମାନେ ସେ ଘରେ ନିଆଁ ଲଗାଇ ଦେଇଥିଲେ। ଜୀବନ ବଞ୍ଚାଇବାକୁ ବାଧ୍ୟ ହୋଇ ସେମାନେ ଘରୁ ବାହାରକୁ ବାହାରିବାରୁ ପାର୍ବତୀର ଭାଇ ପ୍ରଫୁଲ୍ଲ, ଧରମ ଭାଇ ନିକଟସ୍ଥ ପଲ୍ଲା ସାହି ଗ୍ରାମର ସୁନାକର ମଳିକକୁ ଗୋଡ଼ାଇ ଗୋଡ଼ାଇ ଅମାନବୀୟ ଭାବେ ହାଣି ହତ୍ୟା କରିଥିଲେ। ଦୁଷ୍ମନ୍ତଙ୍କୁ ଦଉଡିରେ ବାନ୍ଧି କିଛି ବାଟ ଘୋସାରି ଘସାରି ନେଇ ଶ୍ମାଶନରେ ବଳି ଦେଇ ଥିଲେ। ଦୁର୍ବୃତଙ୍କର ତୀର ମାଡରେ ପାର୍ବତୀ ଆହତ ହୋଇଥିଲେ ବି ସୌଭାଗ୍ୟ କ୍ରମେ ବଂଚି ଯାଇଥିଲେ। ଖବର ପାଇ ସେତେବେଳେ ଭଦ୍ରକ ଗ୍ରାମାଂଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ନିଜ ଆଡୁ ଏକ ମାମଲା ରୁଜୁ କରି ସେତେ ବେଳେ ତଦନ୍ତ କରିଥିଲା ଓ ତଦନ୍ତ ବେଳେ ବିଷ୍ଣୁମୋହନ ବେହେରାଙ୍କୁ ସେହି ମାସ ୨୩ ତାରିଖରେ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୨୩ ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ବିଚାର ବେଳେ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପରେ ତତ୍କାଳୀକ ଅତିରିକ୍ତ ଜିଲ୍ଲା ଜଜ ବୈକୁଣ୍ଠ ନାଥ ଜେନା ଜିଲ୍ଲା ଇତିହାସରେ ପ୍ରଥମ ଥର ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ରାଉତର ସାନ ଭାଇ ଅଭିଯୁକ୍ତ ପ୍ରଶାନ୍ତ ରାଉତଙ୍କୁ ଫାସୀ ଆଦେଶ ଦେବା ସହ ବିଷ୍ଣୁଙ୍କ ସମେତ ଅନ୍ୟ ୧୯ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଆଦେଶ ଦେଇଥିଲେ। ବିଷ୍ଣୁ ମୋହନ ମୋଟ ୨୧ ବର୍ଷ ୬ ମାସ ୨ ଦିନ ଜେଲରେ କଏଦୀ ଭାବରେ ରହିଥିଲା। ତେବେ ପିତାମ୍ବର ଗିରି ମଧ୍ୟ ଏକ ହତ୍ୟା ଅପରାଧରେ ଗତ ୧୯୯୬ ମସିହା ଫେବୃଆରୀ ମାସ ୧୯ ତାରିଖରୁ ଜେଲରେ ଅଟକ ଥିଲା। ସେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କୁ ପ୍ରମାଣ ଅଭାବରୁ ତତ କାଳିନ ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ। ମାତ୍ର ସରକାରଙ୍କ ତରଫରୁ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଓଡିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ଆବେଦନ ଗ୍ରହଣ କରିବା ସହ ପିତାମ୍ବରଙ୍କ ଖଲାସ ଆଦେଶକୁ ବଦଳାଇ ଆଜୀବନ ଜେଲଦଣ୍ଡରେ ପରିବର୍ତନ କରିବା ପରେ ଗତ ୨୦୦୮ ମସିହା ଡିସେମ୍ବର ମାସ ୮ ତାରିଖରେ ପିତାମ୍ବର ପୁନଶ୍ଚ ଗିରଫ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲା. ତେବେ ସେ ମଧ୍ୟ ଇତି ମଧ୍ୟରେ ୧୭ ବର୍ଷ ୫ ମାସ ୪ ଦିନ ଜେଲ ଦଣ୍ଡ ଭୋଗିସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.