ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ବରଗଡ଼ା ସେବାସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଚାଷୀଙ୍କ ଋଣ ଟଙ୍କାକୁ ଜାଲିଆତିକରି ହଡ଼ପ କରିବା ଏବଂ ଚାଷୀମାନଙ୍କର ପାସବୁକ୍କୁ କର୍ମଚାରୀମାନେ ନିଜ ପାଖରେରଖି ବିଭିନ୍ନ ସମୟରେ ବେଆଇନ୍ ଋଣକରି ଉଠାଇନେବା ଦାବିରେ ଦୁଇମାସତଳେ ଶତାଧିକ ଚାଷୀ ସେବାସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଯାଇଥିଲା । ପରବର୍ତ୍ତି ସମୟରେ ଧୂଷୁରୀ ପୋଲିସ ଓ ଧାମନଗର ସମବାୟ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ କାର୍ଯ୍ୟାଳୟ ଖୋଲା ଯାଇଥିଲା । ପୁଣି ଚାଷୀମାନେ ତାଙ୍କ ନ୍ୟାୟ ନପାଇବାରୁ ସେହି କାର୍ଯ୍ୟାଳୟରେ ତାଲା ପକାଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ତେବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପଜିଲ୍ଳାପାଳ ପିତାମ୍ବର ସାମଲ, ଏଆରସିଏସ୍ ବିକାଶ ନାୟକ, ଏରିଆ ଅଫିସର ମୃତ୍ୟୁଞ୍ଜୟ ପଣ୍ଡା ଓ ଧାମନଗର ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ ଉକ୍ତ ବରଗଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟରେ ପହଂଚି ସମିତିରେ ହୋଇଥିବା ଦୁର୍ନିତୀର ତଦନ୍ତ କରିବା ସହିତ ବିଭିନ୍ନ ଖାତାପତ୍ର ଜାଞ୍ଚ କରିଥିଲେ ଏବଂ ଚାଷୀମାନଙ୍କ ମଧ୍ୟରୁ ୧୮ଜଣ ଚାଷୀଙ୍କୁ ଡ଼କାଇ ଏହି ତଦନ୍ତ ଅଧିକାରୀ ସେମାନଙ୍କର ଅଭିଯୋଗକୁ ସୁଣିଥିଲେ ଏବଂ ସେଥିମଧ୍ୟରୁ କେତେକ ଚାଷୀ ମାନଙ୍କର ଦସ୍ତଖତକୁ ଜାଲିଆତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବାର ମଧ୍ୟ ଏହି ତଦନ୍ତକାରୀ ଅଧିକାରୀ ହୃଦବୋଦ୍ଧ କରିଥିଲେ ଏହି ସମୟରେ ସମିତିର ୧୩ଟି ଦରକାରୀ ଲେଜର ମଧ୍ୟରୁ ଚାଷୀଙ୍କ ଲୋନ ୧୦ଟି ଲେଜର ଓ କୁକୁଡ଼ା ଆଦି ଲୋନରେ ତିନୋଟି ଲେଜରକୁ ଉପଜିଲ୍ଳାପାଳ ସିଜକରି ନେଇଯାଇଥିଲେ ।
ଏହି ସମୟରେ ପ୍ରାୟ ଶତାଧିକ ଚାଷୀ ସମିତି ଆଗରେ ରୁଣ୍ଡହୋଇ ସମିତିରେ ହୋଇଥିବା ଦୁର୍ନିତୀରେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଥିଲା । ଜିଲ୍ଲା ସିପିଏମ୍ ପାର୍ଟିର କୃଷକ ନେତା ଚନ୍ଦ୍ରଶେଖର ନାୟକ, ସତ୍ୟମୁର୍ତ୍ତୀ ବେହେରା ପ୍ରମୁଖ ସେଠାରେ ପହଂଚି ମଧ୍ୟ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏହା ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ । ପ୍ରକାଶ ଥାଉକି ଉକ୍ତ ସମିତିରେ ସମ୍ପାଦକ, ସହସମ୍ପାଦକ ଓ ଅନ୍ୟକର୍ମଚାରୀ ମାନଙ୍କର ତାଳମେଳ ଠିକ୍ଭାବେ ରହୁନଥିବାରୁ ଏପରି ଦୁର୍ନିତୀ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୨ମାସ ଧରି ଉକ୍ତ ସମିତିରେ ତାଲା ପଡ଼ିଥିବାରୁ ଚାଷୀମାନଙ୍କ ପାଇଁ ଆସିଥିବା ସାର ଚାଷୀମାନଙ୍କୁ ମଧ୍ୟ ଦିଆଯାଇ ପାରିନାହିଁ । ଏ ଦୀଗରେ ଚାଷୀମାନଙ୍କୁ ତୁରନ୍ତ ସାର ଯୋଗାଇ ଦେବାପାଇଁ ମଧ୍ୟ ଆଜି ଉପଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସମିତିର ଜଣେ କର୍ମଚାରୀ ତାଙ୍କର ଅବସର ଦୁଇବର୍ଷ ହେବ ସରିଯାଇଥିଲେ ମଧ୍ୟ ଜିଲ୍ଳାର ସମବାୟ ବିଭାଗର ଜଣେ କର୍ମଚାରୀଙ୍କ ଇଙ୍ଗିତରେ ସେ ଦୀର୍ଘଦିନ ହେବ ସେ ଏହିଅଫିସରେ କାର୍ଯ୍ୟକରୁଥିବାରୁ ଚାଷୀ ମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ତେବେ ଯାହା ହେଉନା କାହିଁକି ଚାଷୀମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସମିତିର କର୍ମଚାରୀ ନିଷ୍ଟାପର ଭାବରେ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବାସହ ସମିତି ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ଚାଷୀମାନେ ପାଇପାରିବେ ସେନେଇ ଉପଜିଲ୍ଳାପାଳଙ୍କ ନିକଟରେ ଗୋବିନ୍ଦପୁର ପଂଚାୟତର ସରପଂଚ ପ୍ରତିନିଧି ଶ୍ରୀକାନ୍ତ ନାୟକ ଦାବି କରିଥିଲେ । ତେବେ ଦୀର୍ଘଦିନପରେ ସେବାସମବାୟ ସମିତି ତାଲା ଖୋଲିଥିବାରୁ ଏବେ ସ୍ୱାଭାବିକ୍ ଭାବରେ କାର୍ଯ୍ୟାଳୟ ଚାଲିବ ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ହେବବୋଲି ସମିତିର ସମ୍ପାଦକ ଅଶୋକ ବସନ୍ତିଆ ପ୍ରକାଶ କରିଥିଲେ ।








