ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଦିନର ପ୍ରତୀକ୍ଷା ପରେ ଶୁକ୍ରବାର ତିହିଡ଼ି ରୋଗୀକଲ୍ୟାଣ ସମିତିର ବୈଠକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି। ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଏଥିରେ ପୌରୋହିତ୍ୟ କରିଥିଲେ। ବୈଠକରେ ନୂତନ ଗୃହ ନିର୍ମାଣ ପାଇଁ ଆସିଥିବା ୧୬କୋଟି ୪୪ଲକ୍ଷ ଟଙ୍କାର ବିନିଯୋଗ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ପୂର୍ବରୁ ଥିବା ଅନ୍ତଃବିଭାଗ ବିଲ୍ଡିଂକୁ ଭଙ୍ଗା ଯାଇ ସେହି ସ୍ଥାନରେ ନୂତନ ବିଲ୍ଡିଂ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିଲା। ଡାକ୍ତରଖାନା ପରିସର ଏବଂ କ୍ୱାର୍ଟର ଏରିଆକୁ ମାପଚୁପ କରାଯାଇ ସୀମା ନିର୍ଦ୍ଧାଣ କରାଯିବାକୁ ନିଷ୍ପତି ହୋଇଥିଲା। ମେଡ଼ିକାଲ ପରିସରରେ ଡ୍ରେନେଜ ଓ ପାଚେରୀ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା। ମଙ୍ଗରାଜପୁର ରାସ୍ତା ପାଶ୍ୱର୍ରେ ଥିବା ମେଡ଼ିକାଲ ଜମିକୁ ଚିହ୍ନଟ କରାଯାଇ ମେଡ଼ିକାଲ ଦଖଲକୁ ଆଣିବା ପାଇଁ ଆଲୋଚନା କରାଯାଇଥିଲା। ଏଥି ସହି ମେଡ଼ିକାଲରେ ଡିଜିଟାଲ ଏକ୍ସରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ମେଡ଼ିକାଲରେ ନିଅଁଂଟ ଥିବା କର୍ମଚାରୀ ପୂର୍ଣ୍ଣ କରିବା ଓ ଡେପୁଟେସନରେ ଚାନ୍ଦବାଲି ଯାଇଥିବା ଡାକ୍ତରଙ୍କୁ ଫେରାଇ ଆଣିବା ପାଇଁ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବାକୁ ଆଲୋଚନା କରାଯାଇଥିଲା। ତିହିଡ଼ି ମେଡ଼ିକାଲ ତିନିଟି ନିର୍ବଚନ ମଣ୍ଡଳୀରେ ଅବସ୍ଥିତ ଥିବାରୁ ଚାନ୍ଦବାଲି ଏବଂ ଧାମନଗର ବିଧାୟକଙ୍କୁ ମଧ୍ୟ ରୋଗୀକଲ୍ୟାଣ କମିଟିରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ଏହି ବୈଠକରେ ମେଡ଼ିକାଲ ଅଫିସର ଡା. ଶୁଭକାନ୍ତ ଓଝା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଂଜନ ବାରିକ, ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଭାରପ୍ରାପ୍ତ ସିଡିପିଓ ସବିତା ବେହେରା, ଜଳ ପରିମଳ ବିଭାଗ ଯନ୍ତ୍ରୀ ମାନସୀ ମହାପାତ୍ର, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, କମିଟି ସଦସ୍ୟ ଗଣେଶ ମଳିକ, ମୀନକେତନ ସେନାପତି, ରାମନାରାୟଣ ନାୟକ, ବିପିନ ବିହାରୀ ପତି, ଡା. ନିରାକାର ମାଠ, ଡା. ଲକ୍ଷ୍ମୀକାନ୍ତ ପଣ୍ଡା, ବିତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ଫାର୍ମାଶିଷ୍ଟ ସଂଜୟ ନାୟକ, ବିପିଏମ ରଶ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।








