Home ଜିଲ୍ଲା ପରିକ୍ରମା ଦିନ ଦ୍ୱିପ୍ରହରରେ ବାଲି ଉତୋଳନ, ଗେଙ୍ଗୁଟିର ସୁରକ୍ଷା ଦିଗରେ ପ୍ରଶାସନିକ ଅବହେଳା

ଦିନ ଦ୍ୱିପ୍ରହରରେ ବାଲି ଉତୋଳନ, ଗେଙ୍ଗୁଟିର ସୁରକ୍ଷା ଦିଗରେ ପ୍ରଶାସନିକ ଅବହେଳା

11

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଷୋଳମପୁର ପଂଚାୟତ ମଣିନାଥପୁର ନିକଟ ବୈତରଣୀ ନଦୀରେ ବ୍ୟାରେଜ୍ ହେବା ଯୋଗୁଁ ଏବେ ଏହାର ଭୌଗୋଳିକ ସ୍ଥିତି ପରିବର୍ତନ ହେବାର ଆଶଙ୍କା ଦେଖାଦେଇଛି । ଯାଜପୁର ପଟୁ ନଦୀପଠା ପୋତାଯାଇ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବାବେଳେ ବାମପଟ ଅଂଶରେ ନଦୀ କାୟା ବିସ୍ତାର କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୈତରଣୀ ନଦୀ ସଂଯୁକ୍ତ ଗେଙ୍ଗୁଟି ନଦୀଟି ଏବେ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ବିପଦ ଆଣିଦେବ ବୋଲି କୁହାଯାଉଛି । ବଲ୍ଲଭୀ ଘାଟ ନିକଟରୁ ଗେଙ୍ଗୁଟି ନଦୀର ଉତ୍ପତି ସ୍ଥଳ ହୋଇଥିବାବେଳେ ଏହା ସଠ ଗାଁ ଦେଇ ଧାମନଗର ବ୍ଲକ୍ ସୀମା ମଧ୍ୟକୁ ପ୍ରବେଶ କରିଛି । ସେତୁ ନିକଟରୁ ପ୍ରାୟ ଦେଢ କିଲୋମିଟର ଯାଏ କେବଳ ପଠା ରହିଥିବା ବେଳେ ଗେଙ୍ଗୁଟିର କୌଣସି ଚିହ୍ନବର୍ଣ୍ଣ ନାହିଁ । ଏହି ପଠାରେ ସ୍ଥାନୀୟ ଲୋକେ ପ୍ରତ୍ୟେକ ବର୍ଷ ମାଟି ଖୋଳି ଇଟା ବ୍ୟବସାୟ କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗେଙ୍ଗୁଟିର ମଧ୍ୟଭାଗରୁ ଗତ କିଛିମାସ ହେବ ଅହରହ ବେଆଇନ୍ ବାଲି ଉତୋଳନ ହେଉଛି । ଏହା ବଣବୁଦା ଭର୍ତି ନିକାଂଚ ଅଂଚଳ ହୋଇଥିବାରୁ ସ୍ଥାନୀୟ ବାଲି ବ୍ୟବସାୟୀମାନେ ଏହା ମଧ୍ୟକୁ ପ୍ରବେଶ କରି ଜେସିବି ଜରିଆରେ ଦିନ ଦ୍ୱିପ୍ରହରରେ ଟ୍ରିପ୍ ଟ୍ରିପ୍ ବାଲି ଉତୋଳନ କରୁଛନ୍ତି । ଅନେକ ବର୍ଷ ହେବ ଏହା ଲଘୁ ଖଣିଜ ଦ୍ରବ୍ୟ ଭାବେ ଗେଙ୍ଗୁଟିର ଉପର ସ୍ତର ମାଟି ତଳେ ଗଚ୍ଛିତ ଥିବାବେଳେ ଏବେ ଏହା ଉପରେ ଚୋରା ବ୍ୟବସାୟ ମାନଙ୍କର ଲୋଲୁପ ଦୃଷ୍ଟି ପଡିଛି । ନଦୀର କ୍ରାୟ ଏକ କିମି ପରିସୀମା ମଧ୍ୟରୁ ଖରାଦିନେ ଟ୍ରିପ୍ ଟ୍ରିପ୍ ବାଲି ଉତୋଳନ ହୋଇ ଚୋରା ଚାଲାଣ ହୋଇଯାଇଥିବାବେଳେ ଏବେ ମଧ୍ୟ ପୂର୍ବବତ୍ ବ୍ୟବସାୟ ଲାଗି ରହିଛି । ପୂର୍ବରୁ ବୈତରଣୀ ମୁହଁରୁ କେବଳ ନାମକୁ ମାତ୍ର ଥିବାବେଳେ ବର୍ଷା ୪ ମାସକୁ ଛାଡିଦେଲେ ସଠ ଗାଁ ଠାରୁ ତଳକୁ ଖରା ଆଠ ମାସ ଏଠାରେ ପାଣି ଦେଖାଯାଇଥାଏ । ଉପରିଭାଗ ଷୋଳମପୁଂ ପଂଚାୟତ ଅଂଚଳ ସୀମା ଗେଙ୍ଗୁଟି ନଦୀର ଚିତ୍ର କେବଳ ପଠାରେ ସୀମିତ ଥାଏ । ଏବେ ମନୁଷ୍ୟକୃତ ଭୁଲ୍ ଯୋଗୁଁ ଗେଙ୍ଗୁଟି ନଦୀ ବୈତରଣୀ ନଦୀରେ ରୂପାନ୍ତରିତ ହୋଇଯିବ ବୋଲି ଅନୁମାନ କରାଯାଉଛି । ଏହାଦ୍ୱାରା ମଣିନାଥପୁର ସମେତ ମୁଢାପଦା, ଦାଣ୍ଡକୁଳ, ତିଖିଲିଆ, ବିରୋଳି, ବରାହ ନୂଆପଡା ପ୍ରମୁଖ ଗ୍ରାମଗୁଡିକୁ ବିପଦ ମାଡି ଆସିବ । ତେଣୁ ଏବେଠାରୁ ଗେଂଗୁଟି ସୁରକ୍ଷା ଦିଗରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ନଦେଲେ ଆଗକୁ ପରିସ୍ଥିତି ଅଣାୟତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.