ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବାତ୍ୟା ‘ଦାନା’ ର ପ୍ରକୋପ ଥମିଥିଲେ ମଧ୍ୟ ୩ ଦିନର ପ୍ରବଳ ବର୍ଷା ଓ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ, ରେବ, କପାଳୀ, ଯଅ ନଦୀରେ ବନ୍ୟା ସଂକଟ ଦେଖାଦେଇଛି। ତେବେ ବିଶେଷକରି ଭଦ୍ରକ, ବାଲେଶ୍ୱର, କେନ୍ଦୁଝରର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀରେ ଦାନା ଜନିତ ବର୍ଷା ସାଙ୍ଗକୁ ଉପର ମୁଣ୍ଡର ଲଗାଣ ବୃଷ୍ଟିପାତ ଏବେ ତଳିଆ ଅଂଚଳକୁ ଜଳବନ୍ଦୀ କରି ରଖିଛି। ଏହି ଜିଲାର ଗ୍ରାମ ଠାରୁ ଭଦ୍ରକ ସହର ପର୍ଯ୍ୟନ୍ତ ବହୁ ରାସ୍ତାରେ ଆଜିବି ୨ ଫୁଟ୍ ଉଚ୍ଚର ପାଣି ଚାଲିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ସମସ୍ତ ବିଭାଗ ଲାଗି ପଡିଛନ୍ତି ଉଦ୍ଧାର କାର୍ଯ୍ୟରେ। ଏମାନଙ୍କ ମଧ୍ୟରେ ଓଡ୍ରାଫ୍, ଏନଡିଆରଏଫ, ଦମକଳ ବାହିନୀର କାର୍ଯ୍ୟ ସର୍ବାଗ୍ରେ ରହିଛି। ତେବେ ଏଥିରୁ ବାଦ୍ ପଡିନାହାଁନ୍ତି ପୁଲିସ୍ କର୍ମଚାରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ। ତେବେ ଆଜି ପୂର୍ବାଂଚଳ ଡିଆଇଜି ଡ. ସତ୍ୟଜିତ ନାୟକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ଟିମ୍ କିଭଳି ଜଳବନ୍ଦୀରେ ଥିବା ଏକ ଗ୍ରାମର ୩୦ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି, ସେ ସଂପର୍କରେ ସୂଚନା ଦେବାକୁ ଯାଇ ଓଡ଼ିଶା ପୁଲିସ୍ ସବୁବେଳେ ଲୋକଙ୍କ ସେବାରେ ରହିଥିବାର କହିଛନ୍ତି। ଆଜି ଡ. ନାୟକ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଦାନା ଜନିତ ବାତ୍ୟା ଓ ବର୍ଷା ଥମିଥିଲେ ମଧ୍ୟ ଉପର ମୁଣ୍ଡର ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଜଳ ତିହିଡି ବ୍ଲକ୍ର ତଳଗୋପବିନ୍ଧା ଅଂଚଳକୁ ଜଳବନ୍ଦୀ କରି କ୍ରମଶଃ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ରାତିରେ ଏହି ଖବର ପୁଲିସ୍ କେଂଟ୍ରାଲ ରୁମ୍କୁ ଆସିବା ପରେ ଏସ୍ପି ଶ୍ରୀ ସମ୍ପତ ଓ ଅନ୍ୟ ପଦାଧିକାରୀଙ୍କ ସହ ଓଡ୍ରାଫ୍ ଟିମ୍ ସହାୟତାରେ ନିଜ ଜୀବନକୁ ବାଜି ଲଗାଇ ରାତିର ଅନ୍ଧାରରେ ସଂକୀର୍ଣ୍ଣ ଜଳାର୍ଣ୍ଣବ ପଥରେ ଲାଇଫ୍ ଜାକେଟ୍ ଓ ବୋଟ୍ ଯୋଗେ ଯାଇ ଉକ୍ତ ଗ୍ରାମରେ ପହଂଚିଥିଲେ। ଏବଂ ସେଠାରେ ବନ୍ୟା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ୩୦ ଜଣ ବିପନ୍ନଙ୍କ ମଧ୍ୟରେ ୪ ବର୍ଷର ଶିଶୁ ଠାରୁ ଆରମ୍ଭ କରି ୭୧ ବର୍ଷର ବରିଷ୍ଠ ନାଗରିକ, ୧୫ ଜଣ ମହିଳାଙ୍କୁ ଉଦ୍ଧାର କରି ଐଶନ୍ୟଚଣ୍ଡି ବିଦ୍ୟାଳୟର ଆଶ୍ରୟସ୍ଥଳରେ ପହଂଚାଇଥିଲେ। ଏବଂ ସେଠାରେ ସେମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ସହ ଉପସ୍ଥିତ ଥିବା ମେଡିକାଲ ଟିମ୍ ଦ୍ୱାରା ସେମାନଙ୍କର ଚିକିତ୍ସା କରାଇଥିଲେ। ତେବେ ଉଦ୍ଧାର ହୋଇଥିବା ୩୦ ଜଣ ବନ୍ୟା ବିପନ୍ନ ଲୋକେ ବାତ୍ୟା ସମୟରେ ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ ତାହା କମିଗଲା ପରେ ବିପଦ ଟଳିଗଲା ଭାବି ନିଜ ଘରକୁ ଫେରିଯାଇଥିଲେ। କିନ୍ତୁ ପରବର୍ତୀ ଲଗାଣ ବର୍ଷା ଜନିତ ବନ୍ୟା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଅନୁରୂପ ଭଦ୍ରକ ସହରର ଡାହାଣୀ ଗଡିଆ ଛକ ନିକଟରେ ରହୁଥିବା ଏକ ଭିଆଇପି କଲୋନୀବାସୀ ଜଳବନ୍ଦୀରେ ଥିବା ବିଷୟ ଖବର ପାଇ ସେମାନେ ଦିନ ତମାମ ଓଡ୍ରାଫ୍ ଟିମ୍ ସହାୟତାରେ ଉଦ୍ଧାର କରି ଥଇଥାନ କରାଇଥିଲେ। ଏପରିକି ଏହି କଲୋନୀରେ ଥିବା ଜଣେ ମହିଳା ବ୍ୟାଙ୍କ ଅଧିକାରିଣୀ ତାଙ୍କ ପାଖରେ ବ୍ୟାଙ୍କର ଚାବି ଥିବାରୁ ତାହା ଖୋଲିବା ପାଇଁ ବ୍ୟସ୍ତ ବିବ୍ରତ ହେଉଥିବାବେଳେ ସେ ତାଙ୍କୁ ଉଦ୍ଧାର କରି ବ୍ୟାଙ୍କ ଖୋଲିବାରେ ସାହାଯ୍ୟ କରିଥିଲେ। ଏହିଭଳି ଭଦ୍ରକରେ ନିୟୋଜିତ ଓଡ଼ିଶା ପୁଲିସ୍ଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସମ୍ପତ, ସ୍ଥାନୀୟ ଏସ୍ଡିପିଓ, ସିଟି ଡିଏସ୍ପି ଓ ଥାନାଧିକାରୀ, ଓଡ୍ରାଫ୍ ଟିମ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ଯେଭଳି ବିପନ୍ନ ମାନଙ୍କୁ ରକ୍ଷା କରିଛନ୍ତି, ତାହାର ବିବରଣୀ ପ୍ରଦାନ ପୂର୍ବକ ଏ ଦିଗରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ‘ଦାନା’ ବିପନ୍ନଙ୍କୁ ଉଦ୍ଧାର କରିବାରେ ପୁଲିସ୍ର ଭୂମିକା ପ୍ରଶଂସନୀୟ – ପୂର୍ବାଂଚଳ ଡିଆଇଜି ଡ. ନାୟକ,...