Home ଜିଲ୍ଲା ପରିକ୍ରମା ଦଶବର୍ଷ ହେଲା ଧାମନଗର ତହସିଲରେ ସରୁନି ନୂତନ ମୌଜା ଗଠନ କାର୍ଯ୍ୟ, ଜମି କିଣାବିକା ବନ୍ଦ...

ଦଶବର୍ଷ ହେଲା ଧାମନଗର ତହସିଲରେ ସରୁନି ନୂତନ ମୌଜା ଗଠନ କାର୍ଯ୍ୟ, ଜମି କିଣାବିକା ବନ୍ଦ ଯୋଗୁଁ ଲୋକେ ହା ହତାଶ, ତହସିଲଦାର ପାଇଁ କାମ ଅଚଳ

7

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ବିଭିନ୍ନ ୧୪ ଟି ବଡ଼ ବଡ଼ ମୌଜା କୁ ବିଭାଜନ କରି ନୂଆ ମୌଜା ଗଠନ ନିମନ୍ତେ ଗତ ୧୦ ବର୍ଷ ତଳୁ ତହସିଲ କର୍ତୃପକ୍ଷ କାଗଜପତ୍ର କାମ ଆରମ୍ଭ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ମୌଜା ବିଭାଜନ କାଗଜପତ୍ର କାମ ସରୁ ନଥିବାରୁ ସମ୍ପୃକ୍ତ ମୌଜା ଅଂଚଳର ଲୋକେ ଦୀର୍ଘ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପୁଣି ନୂତନ ମୌଜା ଗଠନର କାଗଜପତ୍ର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ଥିବାରୁ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ତୀବ୍ରତର ହୋଇଛି। ୨୦୧୪ମସିହାରେ ରାଜ୍ୟର ମେଂଟ ସରକାର ଥିବା ସମୟରେ ଜମିବାଡ଼ି କାଗଜପତ୍ର ସରଳି କରଣ ନିମନ୍ତେ ବିଭିନ୍ନ ତହସିଲ ଅଧୀନରେ ଥିବା ବଡ ବଡ ମୌଜା କୁ ବିଭାଜିତ କରି ପୃଥକ ନୂତନ ମୌଜା ଗଠନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଥିଲା।ସେହି କ୍ରମରେ ଧାମନଗର ତହସିଲ ଅଧୀନରେ ଥିବା ଧୁଷୁରୀ ମୌଜା କୁ ବିଭାଜିତ କରି ନୂତନ ମୌଜା ଜଗନ୍ନାଥ ସାହି ,ପଳିକିରି ରୁ ବାଇଦପୁର, ସରପୁର ରୁ ଲେଙ୍କା ସାହି, କାକୁଡ଼ିଗଡ଼ିଆ ରୁ ଉଚ୍ଚପଦା, ଜୟ ନଗର ରୁ ମୁନିସପାଟଣା,ମଉଦପୁର ରୁ ଜଗନ୍ନାଥ ବାଡ଼ି, ବୟାଙ୍ଗଡ଼ିହି ରୁ ଆମ୍ବିଳି ଗାଁ ଆଦି ୧୪ ଟି ନୂତନ ମୌଜା ଗଠନ ନିମନ୍ତେ ତହସିଲ କର୍ତୃପକ୍ଷ କାଗଜପତ୍ର କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ଫଳରେ ସେହି ଦିନ ଠାରୁ ସମ୍ପୃକ୍ତ ମୌଜା ଅଞ୍ଚଳର ଲୋକମାନଙ୍କ କିଣାଯାଇଥିବା ଜମି ନାମଜାରୀ କାମ ,ଓଆରଏସ ସଂଶୋଧନ,ଜମିର କିସମ ପରିବର୍ତନ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅତିରିକ୍ତ ଜିଲାପାଳଙ୍କ ଠାରୁ ଅନୁମତି ଆଣି କେବଳ ସମ୍ପୂର୍ଣ୍ଣ ପ୍ଲଟ ଜମି କିଣାବିକା ହେଉଥିଲା।ହେଲେ ଗତ ୩ ମାସ ହେଲା ଜମି କିଣା ବିକା ନିମନ୍ତେ କର୍ତୃପକ୍ଷ ଦେଉଥିବା ସେହି ଅନୁମତି ପତ୍ର ବନ୍ଦ କରି ଦେଇଥିବାରୁ ଜମି କିଣାବିକା ବନ୍ଦ ରହିଛି।ଏଣୁ ନିଜର ସମ୍ପତି ବିକି ଝିଅର ବିବାହ କାର୍ଯ୍ୟ, ସନ୍ତାନ ମାନଙ୍କର ଶିକ୍ଷା, କିମ୍ବା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଭରଣା ନିମନ୍ତେ ଜମି ମାଲିକ ମାନେ ସେମାନଙ୍କର ଜମି ବିକ୍ରି କରି ପାରୁ ନାହାନ୍ତି। ବର୍ତମାନ ତହସିଲ କାର୍ଯ୍ୟଳୟରେ ଚାଲୁଥିବା ସେହି କାଗଜପତ୍ର କାର୍ଯ୍ୟ ନିମନ୍ତେ ଆବଶ୍ୟକ ଷ୍ଟାଫ ନଥିବାରୁ ସେହି କାର୍ଯ୍ୟ ଅତି ମନ୍ଥର ଚାଲିବା ସହ ଏପରି ହେଲେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆହୁରି ଦୀର୍ଘ ବର୍ଷ ଲାଗିବ ।ରାଜ୍ୟର ନୂତନ ସରକାର ଆସିବା ପରେ ନୂତନ ମୌଜା ଗଠନ କାର୍ଯ୍ୟ ଡିସେମ୍ବର ମାସରେ ଶେଷ କରିବେ ବୋଲି ଘୋଷଣା କରିଥିଲେ। ଏହା କେବଳ ପ୍ରହସନ ବୋଲି କୁହାଯାଇଛି।ସେହିପରି ଉକ୍ତ ତହସିଲ ରେ ତହସିଲଦାର ଦୀପକ ଦାସ ଦୀର୍ଘ ଦିନ ହେବ ତାଙ୍କର ଚାକିରିରୁ ଅବସର ନେଇ ସାରିଥିବା ବେଳେ ତାଙ୍କ ସ୍ଥାନ ରେ ନୂତନ ତହସିଲଦାର ଯୋଗଦେଇ ନଥିବାରୁ ସମସ୍ୟା ଆହୁରି ଜଟିଳ ହେଉଚି।ଏପଟେ ଉକ୍ତ ତହସିଲ ର ଦୁଇ ଜଣ ଅତିରିକ୍ତ ତହସିଲଦାର ପୋଷ୍ଟ ଥିବା ବେଳେ ଜଣେ ଅତିରିକ୍ତ ତହସିଲଦାର ରହିଥିବାରୁ ତାଙ୍କ ଦ୍ୱାରା ସବୁ କାର୍ଯ୍ୟ ତୁଲାଇବା ସମ୍ଭବ ହୋଇପାରୁନି ଫଳରେ ତହସିଲ କୁ ଆସୁଥିବା ଅନେକ ଲୋକ ବିଭିନ୍ନ କାର୍ଯ୍ୟ ରେ ଆସି ନାନାଦି ହଇରାଣ ରେ ସମ୍ମୁଖିନ ହେଉଛନ୍ତି। ଖୋଦ ରାଜ୍ୟ ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ର ଏପରି ସମସ୍ୟା କୁ ତୁରନ୍ତ ସମାଧାନ କରିକିବାକୁ ମନ୍ତ୍ରୀ ଙ୍କ ନିକଟରେ ଅଂଚଳ ତରଫରୁ ଦାବିକରା ଯାଉଛି।ତେବେ ଖୁବ ଶୀଘ୍ର ପଦବୀ ପୂରଣ ହେବବୋଲି ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.