Home Top News ଦରଦାମ ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ : ବାଇକ ରଖି ଟ୍ରଲି ଟାଣିଲେ...

ଦରଦାମ ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ : ବାଇକ ରଖି ଟ୍ରଲି ଟାଣିଲେ ଯୁବ କଂଗ୍ରେସ ସଭାପତି : ପ୍ଲାକାର୍ଡ ବାଂଟି ଲୋକଙ୍କୁ ସଚେତନ କଲେ

62

ଭୁବନେଶ୍ୱର, ୬/ଏପ୍ରିଲ (ଓଡ଼ିଆ ପୁଅ) : ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କର୍ମୀମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବିଶାଳ ଶୋଭାଯାତ୍ରାରେ ଯାଇ ବରମୁଣ୍ଡା ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ଲାକାର୍ଡ ବାଂଟି ଲୋକଙ୍କୁ ସଚେତନ କରିଥିଲେ। ନିଜେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଏକ ବାଇକ ଲଦି ଟ୍ରଲି ଟାଣିବା ସହ ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ ପାଇଁ ଦାବି ଜଣାଇଥିଲେ।

ଏହି ଅବସରରେ ଡ. ଲେଙ୍କା କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଅଛେ ଦିନର ସୁନେଲି ସ୍ୱପ୍ନ ଦେଖାଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ୟୁକ୍ରେନ ଓ ଋଷ ଯୁଦ୍ଧର ଆଳ ଦେଖାଇ କିଛି ମାସ ହେଲା କ୍ରମାଗତ ଭାବେ ତୈଳ ଦର ବଢ଼ାଇ ଚାଲିଛନ୍ତି। ଗତ ୧୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୯.୨୦ ଟଙ୍କା ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ପ୍ରତିଦିନ ଏହି ଦର କିିଛି ମାତ୍ରାରେ ବୃଦ୍ଧି ପାଇଚାଲିଛି। ସେପଟେ ରନ୍ଧନ ଗ୍ୟାସ ଦର ମଧ୍ୟ ଆକାଶ ଛୁଆଁ ହେଲାଣି।

ଦେଶର ଗରିବ ଜନସାଧାରଣଙ୍କ ପେଟକୁ ଲାତ ମାରି, ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦି ସରକାର କେବଳ ନିର୍ଦ୍ଦିଷ୍ଟ କେତେଜଣ ପୁଞ୍ଜିପତିଙ୍କ ସମ୍ପତି ବଢ଼ାଇ ଚାଲିଛନ୍ତି। କରୋନା କାଳରେ ଗରିବ ଜନସାଧାରଣ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ଅବସ୍ଥା ବେହାଲ ହୋଇପଡ଼ିଥିବା ବେଳେ ଏବେ ଦରଦାମ ବୃଦ୍ଧି ସେମାନଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା ଓ ମନ୍ତ୍ରୀମାନେ ତୈଳ ଦର ବୃଦ୍ଧି ପାଇଁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦାୟୀ କରୁଛନ୍ତି। ମାତ୍ର ବାସ୍ତବ କଥା ଭିନ୍ନ ବୋଲି ଡ.ଲେଙ୍କା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଆସିବା ସମୟରେ ମୋଦି ସରକାର କିଛିଦିନ ପାଇଁ ଦରଦାମ ଉପରେ ନିୟନ୍ତ୍ରଣ ରଖି ଜନସାଧାରଣଙ୍କ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନିର୍ବାଚନ ସରିବା ପରେ ହଠାତ୍ ଦରଦାମ ବଢ଼ାଇ ସେମାନଙ୍କୁ ପ୍ରତାରିତ କରୁଛନ୍ତି। ନିକଟରେ ଦେଶର ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏବେ ଦରଦାମ ଆକାଶ ଛୁଆଁ ହୋଇଛି। ତେଣୁ ସରକାର ତୁରନ୍ତ ଏଭଳି ହୀନ ରାଜନୀତିରୁ ଓହରି ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଜନଆନ୍ଦୋଳନ କରିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି।

ଆଜିର ଏହି ବିକ୍ଷୋଭ ସମାବେଶରେ ସମ୍ରାଟ କେଶରୀ ଜେନା, ଶୈଳେଶ ତିୱାରୀ, ରିତୁଲ ମହାରଣା, ଆଶୁତୋଷ ଲେଙ୍କା, ବିଶ୍ୱଜିତ, ରାକେଶ କୁମାର ଦାସ, ସୁଶାନ୍ତ ଘଡ଼େଇ, ନୀଳାଂଚଳ ବେହେରା, ସୁଶାନ୍ତ ଭୋଇ, ରାକେଶ ବେହେରା, ସଞ୍ଜୟ ଭୋଇଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.