Home ଜିଲ୍ଲା ପରିକ୍ରମା ଥାନାଧିକାରୀଙ୍କ ସସପେଣ୍ଡ ପରେ ପୁଣି ଉଠିଲା ବାଲି, ପ୍ରତିକାର ନହେଲେ ହେବ ଆନ୍ଦୋଳନ

ଥାନାଧିକାରୀଙ୍କ ସସପେଣ୍ଡ ପରେ ପୁଣି ଉଠିଲା ବାଲି, ପ୍ରତିକାର ନହେଲେ ହେବ ଆନ୍ଦୋଳନ

136

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ନିଲମ୍ବନ ପରେ ବାଲିମାଫିଆମାନେ ଉତ୍ସାହିତ ହୋଇ ପୁଣି ଯଥାରୀତି ବାଲି ଉଠାଇବା ଆରମ୍ଭ କରି ଦେଇଛନ୍ତି । ବାଲିମାଫିଆମାନେ ଥାନାର କେତେକ କର୍ମଚାରୀଙ୍କ ସହାୟତାରେ ଷଡଯନ୍ତ୍ର ଭିଆଇ ଥାନାଧିକାରୀଙ୍କୁ ହଟାଇବାକୁ ସକ୍ଷମ ହେବା ପରେ ଥାନା ପକ୍ଷରୁ ଆଉ କୌଣସି ଅସୁବିଧା ନଥିବା ଅନୁଭବ କରି କୁକାର୍ଯ୍ୟ ଚଳାଇଛନ୍ତି । ଜଣେ ନିଷ୍ଠାପର ପୁଲିସ ଅଧିକାରୀଙ୍କୁ କେବଳ ବାଲି ପାଇଁ ନିଲମ୍ବନ ହେବାକୁ ପଡିବା ପରେ ମଧ୍ୟ ପ୍ରଶାସନ ଚେତିନାହିଁ । ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ମଣିନାଥପୁର ବୈତରଣୀ ନଦୀ ଶଯ୍ୟାରୁ ବାଲି ପୁନଃଉଠାଣକୁ ପଞ୍ଚାୟତବାସୀ ବିରୋଧ କରି ଗୁରୁବାର ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କୁ ଶହ ଶହ ଲୋକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରି ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବା ସହ ଏଥିରେ ବିଫଳ ହେଲେ ଆଗାମୀ ସୋମବାର ତହସିଲ ଘେରାଉ କରିବାକୁ ଚେତାବୀ ମଧ୍ୟ ଦେଇଛନ୍ତି । ଚେନ ପୁଲି ଓ ଜେସିବି ମେସିନ ସହାୟତାରେ ରାତ୍ର ସମୟରେ ବାଲି ଉତ୍ତୋଳନ କରାଯାଇ ପ୍ରତିଦିନ ଶହଶହ ଟ୍ରିପ ବାଲି ହାଇୱା ଗାଡିରେ ଚୋରା ଚାଲାଣ କରାଯାଉଛି । ବନ୍ୟାରେ ନଦୀବନ୍ଧ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିଲେ ବି ବାଲିମାଫିଆମାନେ ଏଥିପ୍ରତି ଭ୍ରୁକ୍ଷେପ ନକରି ନିଜ କାରବାର ଚଳାଇ ବେଶ ଦି ପଇସା ଲାଭ ଉଠାଉଛନ୍ତି । ଏହା ଦ୍ୱାରା ପରିବେଶ ଓ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ପୁଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଜନସାଧାରଣ ଏଥିପ୍ରତି ସଜାଗ ହେବା ସହ ବିରୋଧ କରିବାକୁ ଦୃଢ଼ପ୍ରତିଜ୍ଞ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫଟୋ-ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.