Home କେନ୍ଦୁଝର ଥାନାଠାରୁ ମାତ୍ର ୧୦୦ମିଟର ଦୁରରେ ପୁଣି ଚୋରୀ ଦୋକାନ ଲୁଟ ପରେ ବାଇକ ଛାଡି ଚାଲିଗଲେ...

ଥାନାଠାରୁ ମାତ୍ର ୧୦୦ମିଟର ଦୁରରେ ପୁଣି ଚୋରୀ ଦୋକାନ ଲୁଟ ପରେ ବାଇକ ଛାଡି ଚାଲିଗଲେ ଦୁର୍ବୁତ

30

ହାଟଡ଼ିହି-୨୫ /୧୧, (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଠାରୁ ମାତ୍ର ୧୦୦ ମିଟର ଦୁରରେ ପୁଣିଥରେ ଚୋର ମାନେ ଦୁଇଟି ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରୀକରିଛନ୍ତି । ଗତ କିଛିଦିନ ତଳେ ମରୈଗାଁ ବଜାରରୁ ୪/୫ଟି ଦୋକାନରୁ ଚୋରୀ ହୋଇଥିବାବେଳେ ଗତକାଲି ପୁଣି ଗୋଟିଏ ମେଡିସିନି ଦୋକାନ ଓ ଆଉ ଗୋଟିଏ ଗ୍ରୋସରୀ ଦୋକନରୁ ଲୁଟ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଦୁର୍ବୁତମାନେ ଚୋରୀ କରିବାପରେ ଗୋଟିଏ ବାଇକ ଛାଡି ଚାଲିଯାଇଛନ୍ତି । ଖବରରୁ ଜଣାଯାଇଛି ଗତକାଲି ରାତିରେ ସୁଆର କମ୍ପେ୍ଲକ୍ସରେ ଥିବା ସୁଦାମ ଚରଣ ସାହୁ ନିଜ ଦୋକନ ବନ୍ଦ କରି ରାତି ୧୦ଟାରେ ଘରକୁ ଯାଇଥିଲେ । ମାତ୍ର ଆଜି ଆସି ସକାଳୁ ଦେଖିବା ବେଳକୁ ତାଙ୍କ ଦୋକାନର ସ୍କାଏ ଲାଇଟ ଭାଙ୍ଗି ଦୋକାନ ଭିତରେ ଥିବା ନଗଦ ୪୦ହଜାର ୬ଶହ ଟଙ୍କାକୁ ଚୋରମାନେ ଲୁଟି ନେଇଥିବାବେଳେ ଅନେକ ସାମଗ୍ରୀ ଭାଙ୍ଗିରୁଜି ନଷ୍ଟ କରିଛନ୍ତି । ସେହିପରି ପାଖରେ ଥିବା ଏକ ଗ୍ରୋସରୀ ଦୋକାନରୁ ୬୦ହଜାରରୁ ଉଦ୍ଧ ନଗଦ ଟଙ୍କା ନେଇଯାଇଛନ୍ତି । ଚୋରମାନେ ଦୋକାନ ଭିତରେ ଏକ ଷ୍ଟିଲ କତୁରୀ ଛାଡିଥିବାବେଳେ ଛାତ ଉପରେ ଏକ ଲୁହାର ଶାବଳ, ଗୋଟିଏ ବାଇକ ଚାବି ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଦୋକାନ ଠାରୁ ଦୁଇଶହ ମିଟର ଦୁରରେ ଏକ ହିରୋହୋଣ୍ଡା ପାସିଏନ ପ୍ରୋ ବାଇକ ରଖାଯାଇ ଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଗାଡିଟିକୁ ନେଇ ନଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଛାତ ଉପରେ ଛାଡିଯାଇଥିବା ବାଇକ ଚାବିରେ ସେହି ବାଇକଟି ଖୋଲିଯିବାରୁ ତାହା ଚୋର ମାନେ ଛାଡି ଯାଇଥିବା ସନ୍ଦେହକରି ଗାଡିଟିକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ଗତ କିଛିଦିନ ତଳେ ୪/୫ଟି ଦୋକାନରୁ ଚୋରୀ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଲୁଟେରା ସମ୍ପର୍କରେ କୌଣସି ସୁଚନା ପାଇପାରୁ ନଥିବାବେଳେ ଆଜିକାର ପୁଣି ଏପରି ଚୋରୀକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ନନ୍ଦିପଦା ପୁଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉ ନଥିବାରୁ ଏପରି ଚୋରୀ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.