Home ଜିଲ୍ଲା ପରିକ୍ରମା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ ବିଜେପିର ଗଣବିକ୍ଷୋଭ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ ବିଜେପିର ଗଣବିକ୍ଷୋଭ

88

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣରେ ଚଞ୍ଚକତା ଓ ଟାଳଟୁଳ ନୀତି ପ୍ରତିବାଦରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ ବିଜେପି ନେତା, କର୍ମକର୍ତ୍ତା, ସମର୍ଥକମାନେ ଗାନ୍ଧିପଡ଼ିଆରୁ ଶୋଭାଯାତ୍ରାରେ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ଚିଥିଲେ । ସେଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଳ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ପୌରୋହିତ୍ୟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ ଓ ମାଧବାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜେଡ଼ି ସରକାରଙ୍କ ଓବିସି ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ୫୪%ରୁ ଯାହାକି, ୨.୫ କୋଟିର ଉର୍ଦ୍ଧ୍ୱ ଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କର ଓବିସିବର୍ଗଙ୍କ ପ୍ରତି ବୈମାତୃକ ମନଭାବ କାରଣରୁ ଉକ୍ତ ବର୍ଗ ନିର୍ବାଚନରେ ଭାଗନେବା ନେଇ ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୫ଟି ପଞ୍ଚାୟତ ନିର୍ବାଚନରେ ଓବିସିବର୍ଗ ପ୍ରାର୍ଥୀମାନେ ୨୭% ସଂରକ୍ଷଣ ଆଧାରରେ ନିର୍ବାଚନ ଲଢି ସାରିଥିବା ବେଳେ ଆଗାମୀ ନିର୍ବାଚନରେ ସଂରକ୍ଷଣ ନରଖିବା ଓବିସି ବର୍ଗଙ୍କ ପାଇଁ ପ୍ରତାରଣା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଏହାଛଡା ଭଦ୍ରକ ଜିଲ୍ଲାରେ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହେଉଛି । ଶାସକ ଦଳକୁ ସୁହାଇବା ଭଳି ଆସନ ସଂରକ୍ଷଣ କରାଯାଉଛି । ସଂରକ୍ଷଣ ତାଲିକା ପ୍ରସ୍ତୁତିରେ ସବୁ ନୀତିନିୟମକୁ ଉଲଂଘନ କରାଯାଉଥିବା ବେଳେ ଏଥିରେ ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ହାତବାରିସୀ ସାଜୁଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ବିକ୍ଷୋଭ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନସ୍ମିତା ଖୁଣ୍ଟିଆ, ଜଗନ୍ନାଥ ଦାଶ, ଶ୍ରୀହର୍ଷ ସ୍ୱାଇଁ, ଦେବାଂଶୁ ରାଉତ, ସୂର୍ଯ୍ୟବଂଶୀ ସୂରଜ, ସିଦ୍ଧାର୍ଥ ଶଙ୍କର ପତି, ଉଦୟ ନାରାୟଣ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ, ପଙ୍କଜିନୀ ଲେଙ୍କା, କମଳାକାନ୍ତ ସୂତାର, ସୁରେଶ ସାମଲ, ଚତୁର୍ଭୁଜ ନାୟକ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ବୁଦ୍ଧଦେବ ଜେନା, ଅଶୋକ ପରିଜା, ରଂଜିତା ସ୍ୱାଇଁ, ତପସ୍ୱିନୀ ମହାପାତ୍ର, ମମତା ବେହେରା, ମିଲନ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରତିବାଦ ସଭା ପରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଏହି ଗଣବିକ୍ଷୋଭ ସମୟରେ ବିଜେପି କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଏପରିକି ପୁଲିସ୍‌ର ପ୍ରବଳ ବିରୋଧ ପ୍ରତିରୋଧ ସତ୍ୱେ ବିଜେପି କର୍ମୀମାନେ ଜିଲାପାଳଙ୍କ ଗାଡିର ନେମ୍ ପ୍ଲେଟ୍ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚେୟାରଗୁଡିକୁ ବାଡେି ଭାଙ୍ଗି ଦେଇଥିଲେ । ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବ୍ୟାନରଗୁଡିକ ଚିରି ଫୋପାଡି ଦେଇଥିଲେ । ତେବେ ଜିଲାପାଳ ଏହି ଘଟଣାରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.