Home ଓଡ଼ିଶା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସିପିଆଇ(ଏମ୍‌) ର ୭ ଜିଲା ପରିଷଦ ପ୍ରାର୍ଥୀ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସିପିଆଇ(ଏମ୍‌) ର ୭ ଜିଲା ପରିଷଦ ପ୍ରାର୍ଥୀ

39

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପରିଷଦ ନିର୍ବାଚନରେ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ସିପିଆଇ(ଏମ୍‌) ପକ୍ଷରୁ ୭ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଚାନ୍ଦବାଲି-୨ ନିର୍ବାଚନ ମଣ୍ଡଳୀରୁ ଭାରତର ଛାତ୍ର ଫେଡେରେସନ୍ (ଏସ୍‌ଏଫ୍‌ଆଇ) ର ପୂର୍ବତନ ରାଜ୍ୟ ସଭାପତି ତଥା ସିପିଆଇ(ଏମ୍‌) ର ଯୁବନେତା ବିକାଶ ନାଥ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଚାନ୍ଦବାଲି-୪ ରୁ କନିକାର ଅନ୍ୟତମ ବହ୍ନି କନ୍ୟା ରଂଜିତା ସେନାପତି, ତିହିଡି ବ୍ଲକ୍ ଅନ୍ତର୍ଗତ ୭ନଂ ଜୋନ୍‌ରୁ ମହିଳା ନେତ୍ରୀ ଜ୍ୟୋତିର୍ମୟୀ ଦାସ, ୮ ନଂ ଜୋନ୍‌ରୁ ଆଶାକର୍ମୀଙ୍କ ନେତ୍ରୀ ମମତାରାଣୀ ଜେନା, ଧାମନଗର ବ୍ଲକ୍ ଅନ୍ତର୍ଗତ ୧୧ନଂ ଜୋନ୍‌ରୁ ମହିଳା ନେତ୍ରୀ ଜାନକୀ ଯେନା, ୧୨ନଂ ଜୋନ୍‌ରୁ କୃଷକ ନେତା ରମେଶ ଚନ୍ଦ୍ର ସାହୁ ଏବଂ ୧୩ ନଂ ଜୋନ୍‌ରୁ ଶ୍ରମିକ-କର୍ମଚାରୀ ନେତା ବାମଦେବ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଯାଞ୍ଚରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୁର୍ନୀତିମୁକ୍ତ କରିବା ପାଇଁ ସିପିଆଇ(ଏମ୍‌) ପ୍ରାଥମିକତା ଦେବା ସହିତ ଅର୍ଥବଳ ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି ସିପିଆଇ(ଏମ୍‌) ର ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ ପ୍ରମୁଖ ପ୍ରକାଶ କରିଛନ୍ତି। ଜିଲାରେ ବନ୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର, ଚାଷୀ ଫଳାଉଥିବା ଫସଲର ଉଚିତ୍ ମୂଲ୍ୟ, ଜିଲାର ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା, ଜିଲା ପରିଷଦ ସଭ୍ୟମାନଙ୍କ ପାଣ୍ଠିର ସଠିକ୍ ବିନିଯୋଗ, ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଭଦ୍ରକ ସହରରେ ଉଠାଦୋକାନୀ ମାନଙ୍କୁ ଥଇଥାନ ନକରି ସେମାନଙ୍କୁ ଜୋର ଜବରଦସ୍ତ ଉଚ୍ଛେଦ କରିବାର ଚକ୍ରାନ୍ତ ବନ୍ଦ କରିବା, ଗ୍ରାମାଞ୍ଚଳରେ ସମସ୍ତ ଲୋକଙ୍କୁ ବିଦ୍ୟୁତ୍ ମାଗଣାରେ ଯୋଗାଇବା ଆଦି ଦାବିରେ ଏହି ନିର୍ବାଚନରେ ଲଢେଇ ହେବ ବୋଲି ସିପିଆଇଏମ୍‌ର ଜିଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ଆମ ଜାତୀୟ ସଂପତ୍ତି ବିକ୍ରି କରୁଥିବା ମୋଦି ସରକାର ଓ ଦୁର୍ନୀତିର ପାହାଡ ଚଢିଥିବା ନବୀନ ସରକାର ବିରୁଦ୍ଧରେ ହାତୁଡି ଦା ତାରା ଚିହ୍ନରେ ଭୋଟ ଦେଇ ସିପିଆଇ (ଏମ୍ ) ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାକୁ ସିପିଆଇ(ଏମ୍‌) ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ ଜିଲାର ସମସ୍ତ ଭୋଟରମାନଙ୍କୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛନ୍ତି। ସିପିଆଇ(ଏମ୍‌) ପ୍ରାର୍ଥୀ ଦେଇନଥିବା ଜିଲାର ଅନ୍ୟ ଜିଲା ପରିଷଦ ଜୋନ୍ ଗୁଡିକରେ ବିଜେପି ଓ ବିଜେଡି ବିରୁଦ୍ଧରେ ବିକଳ୍ପ ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବାକୁ ମଧ୍ୟ ସିପିଆଇ(ଏମ୍‌)ର ଜିଲା ନେତୃବୃନ୍ଦ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.