Home ଓଡ଼ିଶା ତୃତୀୟ ସପ୍ତାହଅନ୍ତ ସଟ୍ ଡାଉନ୍ – ଜନଶୂନ୍ୟ ବାଲେଶ୍ୱର ସହର

ତୃତୀୟ ସପ୍ତାହଅନ୍ତ ସଟ୍ ଡାଉନ୍ – ଜନଶୂନ୍ୟ ବାଲେଶ୍ୱର ସହର

100

ବାଲେଶ୍ୱର, ୧୮ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରଥମେ ଲକ୍ ଡାଉନ୍ ଓ ଅନ୍ଲକ୍୧ପରେ ଚଳିତ ଜୁଲାଇ ମାସ ପହିଲାରୁ ଆରମ୍ଭ ହୋଇଛି ଅନଲକ୍୨। ତେବେ ଅନଲକ୍୧ ତୁଳନାରେ ଅନଲକ୍୨ରେ କେନ୍ଦ୍ର ସରକାର କଟକଣା କିଛି କୋହଳ କରିଥିବା ବେଳେ ଓଡ଼ିଶାରେ ବାଲେଶ୍ୱର ସମେତ ଏକାଧିକ କରୋନା ପ୍ରବଣ ଜିଲ୍ଲାରେ ପୂର୍ବପରି ସପ୍ତାହ ଅନ୍ତ ଦୁଇଦିନିଆ ସଟ୍ ଡାଉନ୍ ବଳବତ୍ତର ରହିଛି। ଆଜି ଥିଲା ଅନଲକ୍୨ର ତୃତୀୟ ସପ୍ତାହ ଅନ୍ତ ସଟ ଡାଉନର ପ୍ରଥମ ଦିନ। ବାଲେଶ୍ୱର ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ଡାଉନ୍ ନିୟମକୁ ବେଶ୍ ଗୁରୁତ୍ୱର ସହ ପାଳନ କରିଛନ୍ତି। ସକାଳଠାରୁ ବାଲେଶ୍ୱର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ କ୍ଷେତ୍ରରେ ପଲିସ ଓ ପ୍ରଶାସନର ଅନୁମତି ନେଇ କାଁଭାଁ ଲୋକେ ବାହାରକୁ ବାହାରିଥିଲେ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ ସହ ପୁଲିସ ପକ୍ଷରୁ କଡ଼ା ପହରା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ସହରର ବିଭିନ୍ନ ଛକରେ ଦଳ ଦଳ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ସଟ୍ ଡାଉନ୍ରେ ଘରୁ ବାହାରିବାର କାରଣ ପଚାରିବା ସହ ଯାଞ୍ଚ ବି କରୁଥିଲେ। ଅନ୍ୟ ପକ୍ଷରେ ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହିତ ସଟ୍ ଡାଉନ୍ର ସ୍ଥିତି ଅନୁଧ୍ୟାନ କରୁଥିଲା। ସେହିଭଳି ପଦସ୍ଥ ପୁଲିସ ଅଧିକାରୀମାନେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ସଟ ଡାଉନ୍ କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି। ମୋଟ୍ ଉପରେ ସଚେତନ ଜିଲ୍ଲାବାସୀଙ୍କ ସହଯୋଗରୁ ବାଲେଶ୍ୱରରେ ଅନଲକ୍୨ର ତୃତୀୟ ସପ୍ତାହ ପ୍ରଥମ ଦିନ ସଟ୍ ଡାଉନ୍ ବାଲେଶ୍ୱରରେ ବେଶ ପ୍ରତିଫଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ନିମନ୍ତେ ପୁଲିସ ତଥା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.