Home Top News ତୃଟିପୂର୍ଣ୍ଣ ‘ରିଜର୍ଭେସନ ଷ୍ଟାଟସ୍‌’ ପ୍ରସ୍ତୁତ କରି ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର...

ତୃଟିପୂର୍ଣ୍ଣ ‘ରିଜର୍ଭେସନ ଷ୍ଟାଟସ୍‌’ ପ୍ରସ୍ତୁତ କରି ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ ସାମନ୍ତସିଂହାର

48

ଏସଟି, ଏସସି, ଓବିସି ଓ ମହିଳା ସଂରକ୍ଷଣରେ ବ୍ୟାପକ ପାତରଅନ୍ତର କରାଯାଇଛି
ସମ୍ବିଧାନିକ ଉଲ୍ଲଂଘନକାରୀ ରାଜ୍ୟସରକାର ଓ ତାଲିକା ପ୍ରସ୍ତୁତିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
ଭୁବନେଶ୍ୱର ୦୯/୧୦ (ଓଡ଼ିଆ ପୁଅ) : ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଲେ। ପଂଚାୟତ ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ଉଭୟ ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ। ବାଧ୍ୟବଧକତାରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ। ଗତକାଲି ୮ ତାରିଖ ସୁଦ୍ଧା ଜିଲ୍ଲାପଳମାନେ ନିଜ ନିଜ ଜିଲ୍ଲାର ଡିଭିଜନ ଓ ସଂରକ୍ଷଣ ପ୍ରସଙ୍ଗରେ ‘ରିଜର୍ଭେସନ ଷ୍ଟାଟସ୍‌’ ତାଲିକା ସର୍ବସାଧାରଣରେ ଘୋଷଣା କରିବାକୁ ଧାର୍ଯ୍ୟ ହୋଇଥିଲା। ‘ରାଜ୍ୟ ପଂଚାୟତ ଆଇନ’ ଅନୁଯାୟୀ କୈାଣସି ତୃଟି ଥିଲେ ଅଭିଯୋଗକାରୀମାନେ ଆଗାମୀ ୭ ଦିନ ଅର୍ଥାତ ଆସନ୍ତା ଅକ୍ଟୋବର ୧୬ ତାରିଖ ସୁଦ୍ଧା ସଂଶୋଧନ ପାଇଁ ଅଭିଯୋଗ କରିପାରିବେ। ମାତ୍ର ଗତକାଲି ବିଳମ୍ବିତ ରାତି ସୁଦ୍ଧା ମାତ୍ର ୨୦ଟି ଜିଲ୍ଲାର ତାଲିକା ଘୋଷଣା କରାଯାଇଥିବାବେଳେ ୧୦ଟି ଜିଲ୍ଲାର ଘୋଷଣା କରାଯାଇନଥିଲା। ଅନ୍ୟପଟେ ଶନିବାର, ରବିବାର ଓ ଦୁର୍ଗାପୁଜା ଛୁଟିଜନିତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଅଭିଯୋଗ ସଂକ୍ରାନ୍ତ ମାମଲା ବାଧାପ୍ରାପ୍ତ ହେବ। ଚଂଚକତା କରି ପଂଚାୟତ ନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ପ୍ରଥମରୁ ପ୍ରକ୍ରିୟା ଆରମ୍ଭ କରିଦେଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଜନସମର୍ଥନ କମୁଥିବାର ଭୟ ଥିବାରୁ ଶାସକ ବିଜେଡି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳ କରି ପ୍ରଥମେ ପୈାର ନିର୍ବାଚନ ଏବଂ ବର୍ତମାନ ପଂଚାୟତ ନିର୍ବାଚନକୁ ଘୁଚାଂଇବାର ବାହାନା କରିଆସୁଛନ୍ତି। ଏପରିକି ନିର୍ବାଚନ ନକରାଇବାର ମନସ୍ଥ କରିସାରିଥିଲେ। ନ୍ୟାୟାଳୟର ହସ୍ତକ୍ଷେପ କାରଣରୁ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହେଲେ। ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାର ଅଧିକାରୀ ହେଲେ ରାଜ୍ୟ ସରକାର। କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ଗତ ବିଧାନସଭା ଅଧିବେସନରେ ନୂତନ ବିଧେୟକ ଆଣି ଏହି କ୍ଷମତାକୁ ଜିଲ୍ଲାପାଳଙ୍କ ଅଧିନରେ ଆଣିଲେ। ଏପରିକି ଶାସକ ବିଜେଡି ନେତାମାନଙ୍କ ସହ ଆଲୋଚନା କରି ସଂରକ୍ଷଣ ବ୍ୟବସ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଲେ ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ଜିଲ୍ଲାୱାରୀ ‘ରିଜର୍ଭେସନ ଷ୍ଟାଟସ୍‌’ ତାଲିକାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ ତାଲିକା ପ୍ରସ୍ତୁତ କରାଯାଇଛି। ତୃଟିପୂର୍ଣ୍ଣ ‘ରିଜର୍ଭେସନ ଷ୍ଟାଟସ୍‌’ ପ୍ରସ୍ତୁତ କରି ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସଟି, ଏସସି, ଓବିସି ଓ ମହିଳା ସଂରକ୍ଷଣରେ ବ୍ୟାପକ ପାତରଅନ୍ତର କରାଯାଇଛି। ସାଧାରଣ ଓଡିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି କେବଳ ଦଳୀୟ ସ୍ୱାର୍ଥ ପାଇଁ ଶାସକ ବିଜେଡି ଯେଉଁ ସମ୍ବିଧାନିକ ଉଲ୍ଲଂଘନ କରିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ଏଭଳି ହୀନ ଚକ୍ରାନ୍ତକୁ ଆମେ ବିରୋଧ କରୁଛୁ ଏବଂ ଏ ସଂକ୍ରାନ୍ତରେ ଆମେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛୁ। ସମ୍ବିଧାନିକ ଉଲ୍ଲଂଘନକାରୀ ରାଜ୍ୟସରକାର ଓ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ ଏବଂ ବିଜେପି ପଂଚାୟତରାଜ କମିଟିର ରାଜ୍ୟ ସଂଯୋଜକ ଶଂକର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.