Home Top News ତୁମେ ନଥିଲେ ମଧ୍ୟ ସବୁ କିଛି ସମ୍ଭବ

ତୁମେ ନଥିଲେ ମଧ୍ୟ ସବୁ କିଛି ସମ୍ଭବ

85

ଅନେକ କହିଥାନ୍ତି ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ, ଯାହାକି ପୂର୍ବ ନିର୍ଧାରିତ। ଯାହାଦ୍ୱାରା ଯେଉଁ କର୍ମ ହେବାର ଥିବ ଭଗବାନ ତାଙ୍କୁ ହିଁ ଦାଇତ୍ୱ ଦେଇଥାନ୍ତି। ବେଳେବେଳେ ଆମେ ଭାବୁ ଯେ ଯାହା ମୁଁ କରୁଛି ତା’ହା ଆଉ କାହା ଦ୍ୱାରା ହୋଇପାରିବ ନାହିଁ। ମୋ ଉପରେ ହିଁ ସବୁ କିଛି ନିର୍ଭର କରୁଛି ଯେମିତିକି “ମୁଁ ନଥିଲେ କିଛି ହବନି”।

ଜଣେ ଲୋକ ଓ ସାଧୁଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିବା ବେଳେ ସାଧୁ କହିଲେ ମୁଁ ଦେଖୁଛି ତୁମେ ସବୁବେଳେ ବ୍ୟସ୍ତ ରହୁଛ, ଏମିତି କ’ଣ ସବୁ କରୁଛ କି ? ଲୋକଟି କହିଲା ମୋ ସ୍ତ୍ରୀ ଓ ପିଲାଛୁଆ ମୋତେ ଛାଡି ଦଣ୍ଡେ ମଧ୍ୟ ରହିପାରୁ ନାହାନ୍ତି। ମୋ ବିନା ସେମାନଙ୍କର ଜୀବନଯାପନ ଅସମ୍ଭବ। ଏମିତିକି ମୁଁ ନିୟମିତ ଦରମା ପାଉଥିଲେ ମଧ୍ୟ ଅଫିସକୁ ଠିକ୍ ସମୟରେ ଯାଇପାରୁନି କାରଣ ପରିବାର ପାଇଁ ସବୁବେଳେ ବ୍ୟସ୍ତ ରହୁଛି। ସାଧୁ କହିଲେ ଘରର ମୁରବି ହିସାବରେ ତୁମର ଦାଇତ୍ୱ ରହିବା ସ୍ୱାଭାବିକ କଥା ଏବଂ ତୁମେ ମଧ୍ୟ ସେ ସବୁ କାର୍ଯ୍ୟ କରିବା କଥା କିନ୍ତୁ ତୁମେ ନଥିଲେ ବି ସବୁ କିଛି ହୋଇପାରିବ ଏବଂ ତୁମର ଅନୁପସ୍ଥିତ ମଧ୍ୟ କାହାକୁ ପ୍ରଭାବିତ କରିପାରିବନି କାରଣ ସଂସାରର ପାଳନ ଭଗବାନ ହିଁ କରନ୍ତି। ମଣିଷ ଛାର କ’ଣ ବା କରିପାରିବ ? କାହା ପାଇଁ କୌଣସି କାମ ଅଟକି ଯାଏନି, ଯାହା ଯେମିତି ହେବାର କଥା ତାହା ହେଇଯାଏ। ଯଦି ତୁମେ ଚାହୁଁଛ ପରୀକ୍ଷା କରି ଜାଣିପାରିବ ଯେ ତୁମର ଗୁରୁତ୍ୱ କେତେ ଓ ତୁମ ବିନା କେମିତି ସବୁ କିଛି ସମ୍ଭବ ହୋଇପାରୁଛି। ଲୋକଟି ମନରେ ଉତ୍ସାହ ହେଲା ଜାଣିବା ପାଇଁ ଯେ ତା’ ବିନା କେମିତି ଘର ଲୋକ ଜୀବନଯାପନ କରିପାରୁଛନ୍ତି। ତେଣୁ ସାଧୁଙ୍କୁ କହିଲେ, କେମିତି ଜାଣିବି ଯେ ମୋର ପରିବାର ମୋ ବିନା ଭଲରେ ରହିପାରୁଛନ୍ତି। ସାଧୁ ଲୋକଟିକୁ ନିଜ ଆଶ୍ରମରେ କିଛିଦିନ ପାଇଁ ଲୁଚି ରହିବାକୁ କହିଲେ ଓ ଗ୍ରାମରେ ପ୍ରଚାର କରିଦେଲେ ଯେ ଲୋକଟି ନଦୀରେ ଗାଧଉଥିଲା ବେଳେ ପାଣିରେ ଭାସିଗଲା। ତା’ର ପରିବାର ଓ ଗ୍ରାମର ଲୋକମାନେ ନଦୀରେ ଲୋକଟିକୁ ବହୁତ ଖୋଜାଖୋଜି କଲେ। ଲୋକଟିର କୌଣସି ସନ୍ଧାନ ନମିଳିବାରୁ ସମସ୍ତେ ଭାବିଲେ ଯେ ସେ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଛି।

ସାଧୁଙ୍କ ପାଖକୁ ପ୍ରତିଦିନ ପ୍ରବଚନ ଶୁଣିବାକୁ ଆସୁଥିବା ଭକ୍ତମାନେ ବିଚାର କଲେ ସେ ଲୋକଟି ତ ମରିଗଲା ଏବେ ତା’ ପିଲାଛୁଆ ବଞ୍ଚିବେ କେମିତି ? ସେମାନେ ଚିନ୍ତା କରି ନିଜ ନିଜ ତରଫରୁ ସବୁ ବ୍ୟବସ୍ତା କରିଦେଲେ। କିଏ ପରିବା ଦେଲା ତ କିଏ ଡାଲିଚାଉଳ ପୁଣି କିଏ ଟଙ୍କା ଏମିତି ସବୁ ପ୍ରକାର ଜିନିଷର ବନ୍ଦୋବସ୍ତ କରିଦେଲେ। କିଛିଦିନ ପରେ ଲୋକଟିର ପତ୍ନୀ ସାଧୁଙ୍କୁ ଦେଖା କରିବାକୁ ଗଲେ। ସାଧୁ ପଚାରିଲେ ମାଆ ତୁମେ ଏବେ ଚଳୁଛ କେମିତି ? ସ୍ତ୍ରୀଲୋକଟି କହିଲେ ବାବା ସେ ତ ଚାଲିଗଲେ କିନ୍ତୁ ଭଗବାନଙ୍କ ଦୟା ଓ ଆପଣଙ୍କ ଆଶୀର୍ବାଦରୁ ପୂର୍ବ ଅପେକ୍ଷା ମୁଁ ଓ ମୋର ପିଲାମାନେ ଭଲରେ ଅଛୁ। ସାଧୁ ପଚାରିଲେ ଆଶ୍ଚର୍ଯ୍ୟ କଥା କହୁଛ ପୂର୍ବ ଅପେକ୍ଷା ତୁମେ କେମିତି ଭଲରେ ଚଳୁଛ ? ସ୍ତ୍ରୀଲୋକଟି କହିଲେ ଆପଣଙ୍କ ପାଖକୁ ଆସୁଥିବା ଭକ୍ତମାନେ ସବୁ ଆବଶ୍ୟକ ଜିନିଷପତ୍ରର ବନ୍ଦୋବସ୍ତ କରିଦେଇଛନ୍ତି। ଲୋକଟି ଘର ଭିତରେ ଲୁଚି ରହି ସବୁ ଶୁଣୁଥାଏ।

କିଛିଦିନ ପରେ ସାଧୁ ଲୋକଟିକୁ କହିଲେ ତୁମେ ତୁମର ଘରକୁ ଯାଇ ସ୍ତ୍ରୀ ପିଲାଛୁଆଙ୍କ କଥା ବୁଝାବୁଝି କର। ଲୋକଟି ରାତିରେ ଯାଇ ଘର କବାଟ ବାଡେଇଲା। ସ୍ତ୍ରୀ ଭିତରୁ ପଚାରିଲେ ତୁମେ କିଏ ? ଲୋକଟି କହିଲେ ମୁଁ ଆସିଛି କବାଟ ଖୋଲ। ସ୍ୱାମୀଙ୍କ ସ୍ୱର ଶୁଣି ସ୍ତ୍ରୀ ଡରିଗଲା ଓ ଭୟରେ କହିଲେ ତୁମେ ତ ଚାଲିଗଲ ପୁଣି କାହିଁକି ଭୁତ ହୋଇ ଆସିଛ ? ପିଲାମାନେ ଦେଖିଲେ ଡରିଯିବେ, ତୁମେ ଫେରିଯାଅ। ଲୋକଟି କହିଲେ ମୋ ବିନା ତୁମେ କେମିତି ଚଳିବ ? ତୁମର କୌଣସି ଅସୁବିଧା ହେଉନି ତ ? ସ୍ତ୍ରୀ କହିଲେ ଅସୁବିଧା ଏତିକି ଯେ ତୁମେ ଆମକୁ ଭୁତ ହୋଇକି ଡରେଇବାକୁ ଆସିଛ, ଦୟାକରି ଏ ଜାଗା ଛାଡି ଚାଲିଯାଅ। ଏବେ ଲୋକଟି ବୁଝିପାରିଲା ଯେ ତା’ର ଅନୁପସ୍ଥିତି କାହାକୁ ପ୍ରଭାବିତ କରିପାରିନି ଓ ସେ ନଥିଲେ ବି ସବୁକିଛି ସମ୍ଭବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.