ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟସ୍ଥିତ ନୀଳମଣି ସଭାଗୃହରେ ମଙ୍ଗଳବାର ୧୫ତମ କେନ୍ଦ୍ରୀୟ ଅର୍ଥ ଆୟୋଗ (ସିଏଫସି)ଏବଂ ୫ମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନର ଖର୍ଚ୍ଚ ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍ରର ୩୧ ପଂଚାୟତ ବିକାଶ ମୂଳକ କାର୍ଯ୍ୟପାଇଁ ଆସିଥିବା ୧୧କୋଟି ଟଙ୍କା ଖର୍ଚ୍ଚନ ହୋଇ ପଡିରହିଛି।ଏହି ଅର୍ଥ ଆସନ୍ତା ଫେରୁଆରୀ ସୁଦ୍ଧା ଖର୍ଚ୍ଚ କରିବାକୁ ଜିଲ୍ଲାପାଳ ଶ୍ରୀ ରାଉତରାଏ ନିର୍ଦ୍ଦେଶ ଦେଇଛନ୍ତି । ଜଣାଯାଇଛି ଯେ, ୨୦୨୦-୨୧ ଠାରୁ ସିଏଫସି ଓ ୫ମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ବ୍ଲକ ଅଧୀନ ୩୧ ପଂଚାୟତ ରେ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତିବର୍ଷ ୨ଟି ପର୍ଯ୍ୟାୟରେ ଅନୁଦାନ ଯୋଗାଇ ଦିଆଯାଉଛିା। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ପଂଚାୟତର ଜନସଂଖ୍ୟା ଅନୁଯାୟୀ ଏହି ଅର୍ଥ ବଂଟନ କରାଯାଉଛି । ତେବେ ବିଗତ ୫ବର୍ଷ ମଧ୍ୟରେ ମିଳିଥିବା ଅନୁଦାନ ମଧ୍ୟରୁ ୧୧କୋଟି ଟଙ୍କା ବିନିଯୋଗ ହୋଇ ପାରିନାହିଁ । ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ବାକିଥିବା ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଗାଁ ଗାଁ ବୁଲି ପ୍ରକଳ୍ପର ରୂପରେଖ ଅନୁଧ୍ୟାନ କରିବାକୁ କୁହାଯାଇଛି । ଯେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ ଅଥବା ହୋଇପାରିବ ନାହିଁ ତା ପ୍ରତିବଦଳରେ ଅନ୍ୟ ପ୍ରକଳ୍ପ ଗ୍ରାମସଭା ମାଧ୍ୟମରେ ଚୟନ କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠି ବିବାଦ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି ସେ ସବୁ ସ୍ଥାନରେ ତିନିଦିନ ମଧ୍ୟରେ ବିବାଦର ସମାଧନକରି ପ୍ରକଳ୍ପର କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଂଚାୟତ ଗୁଡ଼ିକରେ ବକେୟା ଥିବା ବିଦ୍ୟୁତ ବିଲ ଆସନ୍ତା ୨୫ତାରିଖ ସୁଦ୍ଧା ପ୍ରଦାନ କରିବାକୁ ସରପଂଚ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ପଂଚାୟତ ଆକାଉଂଟକୁ ପଠାଯାଇଛି। ଏଥିରେ ଖିଲାପ ହେଲେ ଜୋରିମାନା କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ବିଡ଼ିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦ୍ୱେ ଶତପଥୀ ଓ ତନୁଜା ମିଶ୍ର,କନିଷ୍ଠ ଯନ୍ତ୍ରୀ ଲଲଟେନ୍ଦୁ ପାଲ, ଅଲେଖ ତିର୍କୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ, କନିଷ୍ଠ ଯନ୍ତ୍ରୀ, ପିଇଓମାନେ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ,ଫେବୃଆରୀ ସୁଦ୍ଧା ୧୧କୋଟି ବିନିଯୋଗ କରିବାକୁ ନିର୍ଦ୍ଦେଶ , ପଂଚାୟତ...







