ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ଅଧୀନ ଅଣ୍ଡରାଇ, ବିଲଣା, ନିଶ୍ଚନ୍ତପୁର, ଶ୍ୟାମସୁନ୍ଦରପୁର, ବାମନବିନ୍ଧା, ଚାରିତରଫ, ମଙ୍ଗଳପୁର, ଆରସା ଇତ୍ୟାଦି ୧୩ ସମବାୟ ସମିତିରେ ୨୫ ହଜାରରୁ ଅଧିକ କୁଇଂଟାଲ ଧାନ ବର୍ଷାରେ ଭିଜୁଛି। ସମିତିର ସମ୍ପାଦକମାନେ ମିଲରମାନଙ୍କ ମନମାନି ପାଇଁ କଷ୍ଟ ଭୋଗୁଛନ୍ତି। ସମ୍ପାଦକ ଓ ପ୍ରଶାସନ ମିଲରମାନଙ୍କୁ ବାରମ୍ବାର ଅନୁରୋଧ କଲା ପରେ ବି ମିଲରମାନେ ମନମାନି କରି ଗାଡ଼ି ପଠାଉ ନାହାନ୍ତି। ଯାହାଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଛି। ବ୍ଲକର ଅଧିକାଂଶ ସମିତିରେ ଗୋଦାମ ଗୃହ ନଥିବାରୁ ସମ୍ପାଦକମାନେ ଚାଷୀମାନଙ୍କ ଠାରୁ ଧାନ କିଣି ବାହାରେ ଗଦା କରି ରଖିଛନ୍ତି। ବର୍ଷାର ସୂଚନା ମିଳିବା ପରେ ସମ୍ପାଦକମାନେ ବାହାରେ ପଡ଼ିଥିବା ଧାନକୁ ଆଇତି କରିବା ପାଇଁ ବହୁ କଷ୍ଟରେ ପଲିଥିନ ଘୋଡ଼ାଇ ରଖିଛନ୍ତି। ମାତ୍ର ପାଣିପାଗ ସୂଚନା ଅନୁଯାୟୀ ୭ଦିନ ଧରି ପବନ ସହିତ କୁଆପଥର ବର୍ଷା ଲାଗି ରହିବ। ଧାନରେ ଘୋଡ଼ା ଯାଇଥିବା ପଲିଥିନ ବର୍ଷାରେ ଉଡ଼ିଯାଇ ଧାନ ବସ୍ତା ଓଦା ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ବର୍ଷାରେ ଧାନ ଓଦା ହେଲେ ଧାନରେ ଗଜା ହେବ। ଏହି ଧାନକୁ ମିଲରମାନେ ଉଠାଇବାକୁ କୁଣ୍ଠାବୋଧ କରିବେ। ଯାହାଫଳରେ ସେତେବେଳେ ସମ୍ପାଦକ ଓ ମିଲରଙ୍କ ମଧ୍ୟରେ ତିକ୍ତତା ହେବ। ବର୍ଷା ପୂର୍ବରୁ ମିଲରମାନେ ଧାନ ଉଠାଇ ନେଇଥିଲେ ଏପ୍ରକାର ସମସ୍ୟା ସୃଷ୍ଟି ହୋଇ ନଥାନ୍ତା। ଅଣ୍ଡରାଇ ସମିତିରେ ୫ହଜାର କୁଇଂଟାଲ, ବିଲଣାରେ ୧ହଜାର, ଶ୍ୟାମସୁନ୍ଦରପୁର ୩ହଜାର, ଆରସାରେ ୩ହଜାର, ମଙ୍ଗଳପୁର ୫ହଜାର, ବାମନବିନ୍ଧା ୫ହଜାର, ଚାରିତରଫ ୩ହଜାର, ନିଶ୍ଚନ୍ତପୁର ୧ହଜାର କୁଇଂଟାଲ ଧାନ ବସ୍ତା ବାହାରେ ପଡ଼ି ବର୍ଷାରେ ଭିଜୁଥିବା ଜଣାଯାଇଛି। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ହେବାକୁ ଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।