ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ତହସିଲ ଭାଟପଡ଼ା ପଂଚାୟତ ଅଧୀନ ତିହିଡ଼ି ଗ୍ରାମର ଶ୍ରୀଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମିର୍ଜାପୁର ମୌଜାରେ ଥିବା ସମ୍ପତିକୁ ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ବିକ୍ରି ପାଇଁ ମସୁଧା କରୁଥିବା ସମ୍ପର୍କରେ ସ୍ୱପ୍ନେଶ୍ୱର ମହାଦେବଙ୍କ ମାର୍ଫତଦାର ଓ ଗ୍ରାମବାସୀ ଜାଣିବା ପରେ ସେମାନେ ତହସିଲଦାରଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରି ଏହାର ତଦନ୍ତ କରି ଠାକୁରଙ୍କ ସମ୍ପତିକୁ ମୂଳ ଖତିଆନ ଅନୁଯାୟୀ ମାର୍ଫତଦାରଙ୍କ ନାମରେ ରେକର୍ଡ ସଂଶୋଧନ ସହିତ ଠାକୁର ସମ୍ପତି ବିକ୍ରୟ ପ୍ରକ୍ରିୟାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ମାର୍ଫଦାର ଶରତ କର, ଅଶୋକ କୁମାର କର, ନିରଂଜନ କର, କମଳାକାନ୍ତ କର, ଲକ୍ଷ୍ମୀଧର କରଙ୍କ ସମେତ ଗ୍ରାମର ପାର୍ଥସାରଥି ନାୟକ, ପ୍ରଭାତ କୁମାର ରାଉଳ, ବିଷ୍ଣୁଚନ୍ଦ୍ର ଦାଶ, ମନୋରଂଜନ ବେହେରା, ହୃଷିକେଶ ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା, କୈଳାସ ପାତ୍ର, ପୀତବାସ ପଣ୍ଡା, ରମାକାନ୍ତ ନାଥ, ତାରାକାନ୍ତ ଜେନା, ଚିତରଂଜନ ବାରିକ, ତପନ କୁମାର ନାୟକ ପ୍ରମୁଖ ଦର୍ଶାଇଛନ୍ତି ଯେ ମିର୍ଜାପୁର ମୌଜାରେ ଶାବକ ଖାତା ନଂ ୮୩୩, ପ୍ଲଟ ନଂ ୧୬୭୧ରେ ଥିବା ୪ଡେସିମିଲ ସ୍ୱପ୍ନେଶ୍ୱର ମହାଦେବଙ୍କ ସମ୍ପତି ହାଲ ଖାତା ନଂ ୧୮୭, ପ୍ଲଟ ନଂ ୧୫୧୧ରେ ୫ଡେସିମିଲ ହୋଇଥିଲା। ଏହି ସମ୍ପତିରୁ ହେଉଥିବା ଆୟ ମହାଦେବଙ୍କ ବିଭିନ୍ନ ପୂଜାପାର୍ବଣ, ଉତ୍ସବ ସମୟରେ କାର୍ଯ୍ୟରେ ଲାଗୁଥିଲା। ମାତ୍ର ଗ୍ରାମର ୨ଜଣ ବ୍ୟକ୍ତି ଚକବନ୍ଦୀ ସମୟରେ ଚଞ୍ଚକତା ପୂର୍ବକ ସେହି ସମ୍ପତିକୁ ନିଜ ନାମରେ କରାଇ ନେଇଥିଲେ। ଯାହା ଏବେ ଚକବନ୍ଦୀ ରେକର୍ଡରେ ଖାତା ନଂ ୪୯୧, ପ୍ଲଟ ନଂ ୧୩୨୫ରେ ୫ଡେସିମିଲ ହୋଇଛି। ଏହି ଚକବନ୍ଦୀ ଖତିଆନ ମୂଳେ ସେମାନେ ସେହି ଠାକୁର ସମ୍ପତିକୁ ଏବେ ବିକ୍ରି ପାଇଁ ଯୋଜନା କରୁଥିବା ଜଣାପଡ଼ିବା ସମ୍ପର୍କରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି।
Home ଜିଲ୍ଲା ପରିକ୍ରମା ତିହିଡ଼ି ଗ୍ରାମର ସ୍ୱପ୍ନେଶ୍ୱର ମହାଦେବଙ୍କ ସମ୍ପତିକୁ ବିକ୍ରି ପାଇଁ ମସୁଧା, ତହସିଲଦାରଙ୍କୁ ଅଭିଯୋଗ କଲେ ମାର୍ଫତଦାର...








